ଭୁବନେଶ୍ୱର : ରାଜ୍ୟ ସରକାର ଶୁକ୍ରବାରଦିନ ୯୨୨ କୋଟି ଟଙ୍କାର ୫ଟି ନୂଆ ପୁଞ୍ଜି ନିବେଶ ପ୍ରକଳ୍ପ ପ୍ରସ୍ତାବକୁ ନୀତିଗତ ଅନୁମୋଦନ ଦେଇଛନ୍ତି । ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସିଙ୍ଗଲ ୱିଣ୍ଡୋ ଅଥରିଟି ବୈଠକରେ ଏହି ପ୍ରକଳ୍ପ ଗୁଡ଼ିକୁ ଅନୁମୋଦନ ଦିଆଯାଇଛି ।
ଏସବୁ ପ୍ରକଳ୍ପ ପାଇଁ ଇଡକୋ ମାଧ୍ୟମରେ ଜମି ଯୋଗାଇ ଦିଆଯିବ । ଏସବୁ ପ୍ରକଳ୍ପ ଗୁଡ଼ିକରେ ପ୍ରାୟ ୨୬୫୦ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଏସବୁ ନିବେଶ ପ୍ରସ୍ତାବ ଗୁଡ଼ିକ ପର୍ଯ୍ୟଟନ, ଇସ୍ପାତ, ଖାଦ୍ୟ ପ୍ରକ୍ରିୟାକରଣ ଏବଂ ଆଇଟି ତଥା ଇଏସଡିଏମ୍ ଆଦି କ୍ଷେତ୍ରରେ ଆସିଛି । ଏହାଦ୍ୱାରା ରାଜ୍ୟରେ ୨୬୫୦ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ ।
ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ୍ ଅଥିରିଟି ପକ୍ଷରୁ ଖୋର୍ଦ୍ଧା ଜିଲ୍ଲାର ଇନଫୋ ଭ୍ୟାଲି ସ୍ଥିତ ଇଏମସି ପାର୍କଠାରେ ୧,୪୪,୦୦୦ ବର୍ଗ ମିଟର କ୍ଷମତା ବିଶିଷ୍ଟ ପ୍ରିଣ୍ଟେଡ୍ ସର୍କିଟ୍ ବୋର୍ଡ(ପିସିବି) ନିମନ୍ତେ ୯୬.୮୦ କୋଟି ଟଙ୍କାର ଆଇଟି ତଥା ଇଏସଡିଏମ୍ ପ୍ରସ୍ତାବକୁ ମଞ୍ଜୁରୀ ଦିଆଯାଇଛି । ଏଠାରେ ୪୨୫ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ । ଖାଦ୍ୟ ପ୍ରକିୟା କରଣ କ୍ଷେତ୍ରରେ ୮୫.୯୪ କୋଟି ଟଙ୍କାର ନିବେଶ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି ।
ସେହିପରି ପର୍ଯ୍ୟଟନ କ୍ଷେତ୍ରରେ ଖୋର୍ଦ୍ଧା ଜିଲ୍ଲାଠାରେ ଏକ ଅବସର ବିନୋଦନ ପାର୍କର ନିର୍ମାଣ ପାଇଁ ୧୦୭.୧୦ କୋଟି ଟଙ୍କାର ଏକ ପ୍ରସ୍ତାବକୁ ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ଅଥିରିଟି ପକ୍ଷରୁ ମଞ୍ଜୁରୀ ମିଳିଛି । ଏଠାରେ ପ୍ରାୟ ୫୦୦ ଲୋକଙ୍କୁ ନିଯୁକ୍ତି ମିଳି ପାରିବ । ପର୍ଯ୍ୟଟନ କ୍ଷେତ୍ରରେ ଭୁବନେଶ୍ୱରରେ ଏକ ୪ ତାରକା ହୋଟେଲ ନିର୍ମାଣ ପାଇଁ ୫୯.୦୮ କୋଟ ଟଙ୍କାର ଏକ ନିବେଶ ପ୍ରସ୍ତାବକୁ ମଧ୍ୟ ମଞ୍ଜୁରୀ ମିଳିଛି । ଏହାଦ୍ୱାରା ୧୬୭ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଇସ୍ପାତ କ୍ଷେତ୍ରରେ କେନ୍ଦୁଝର ଜିଲ୍ଲାର ଥିବା ବାର୍ଷିକ ୦.୦୫ ନିୟୁତ ଟନ କ୍ଷମତା ବିଶିଷ୍ଟ ଇସ୍ପାତ ପ୍ରକଳ୍ପ ୫୭୩.୪୧ କୋଟି ଟଙ୍କାର ଏକ ସମ୍ପ୍ରସାରଣ ଏବଂ ଆଧୁନିକୀକରଣ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ଏହା ଦ୍ୱାରା ପ୍ଳାଣ୍ଟର କ୍ଷମତା ବାର୍ଷିକ ୦.୨୮୩ ନିୟୁତ ଟନକୁ ବୃଦ୍ଧି ପାଇବ । ଏହାଦ୍ୱାରା ଏଠାରେ ଅତିରିକ୍ତ ଭାବେ ୯୭୮ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ ।