ଭୁବନେଶ୍ବର(ହରପ୍ରିୟା ପୃଷ୍ଟି): ରାଜଧାନୀରେ ମାଳ ମାଳ ସରକାରୀ ଉଚ୍ଚମାଧ୍ୟମିକ ବିଦ୍ୟାଳୟ। ତା’ସହ ଅନୁଦାନପ୍ରାପ୍ତ ଓ ଘରୋଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କିଛି କମ୍ ନାହିଁ। ପିଲାଙ୍କୁ ସହରରେ ରଖି ପଢ଼ାଇବାକୁ ବି ଅଭିଭାବକମାନେ ଆଗ୍ରହ ପ୍ରକାଶ କରୁଛନ୍ତି। ମାତ୍ର ବର୍ଷକୁ ବର୍ଷ ଉଚ୍ଚମାଧ୍ୟମିକ ବିଦ୍ୟାଳୟ(ଯୁକ୍ତ୨ କଲେଜ) ଛାତ୍ରଛାତ୍ରୀ ପରୀକ୍ଷାରେ ଖରାପ ପ୍ରଦର୍ଶନ କରୁଛନ୍ତି। ମାଟ୍ରିକ୍ରେ ‘ଏ-୧’ ଗ୍ରେଡ୍ ହାସଲ କରି ଭଲ ସରକାରୀ ଶିକ୍ଷାନୁଷ୍ଠାନରେ ନାମ ଲେଖାଇବାକୁ ଯୋଗ୍ୟ ବିବେଚିତ ହେଉଛନ୍ତି ସତ ମାତ୍ର ଯୁକ୍ତ୨ରେ ପାସ୍ କରିପାରୁ ନାହାନ୍ତି।
ରାଜଧାନୀ ଉଚ୍ଚମାଧ୍ୟମିକ ବିଦ୍ୟାଳୟକୁ ଏକ ଉଦହରଣ ଭାବେ ନିଆଯାଇପାରେ। ଏହି କଲେଜର କଟ ଅଫ୍ ମାର୍କ ରାଜ୍ୟର ଅନ୍ୟ ବିଦ୍ୟାଳୟ ତୁଳନାରେ ଆଗରେ ରହୁଛି। ଏଠାକାର ଛାତ୍ରଛାତ୍ରୀ କଳା, ବିଜ୍ଞାନ ଓ ବାଣିଜ୍ୟରେ ଭଲ ନମ୍ବର ରଖି ଓଡ଼ିଶାରେ ନାଁ କରିବାର ନଜିର ରହିଛି। ତେବେ ଗତ କିଛି ବର୍ଷ ହେବ ଏଠାରେ ଯୁକ୍ତ୨ରେ ପାସ୍ହାର କମୁଥିବା ଦେଖିବାକୁ ମିଳୁଛି। ୨୦୨୨ରେ ବିଜ୍ଞାନ ବିଭାଗରେ ପରୀକ୍ଷା ଦେଇଥିବା ୩୪୧ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨୨ ଜଣ ଛାତ୍ରଛାତ୍ରୀ ବିଜ୍ଞାନରେ ଫେଲ୍ ହୋଇଥିଲେ। ୨୦୨୩ରେ ପରୀକ୍ଷା ଦେଇଥିବା ୩୮୨ଜଣଙ୍କ ମଧ୍ୟରୁ ୬୩ ଜଣ ସଫଳ ହୋଇପାରି ନଥିଲେ। ସେହିପରି ୨୦୨୨ରେ ବାଣିଜ୍ୟରେ ପରୀକ୍ଷା ଦେଇଥିବା ୧୨୨ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୨ଜଣ ଫେଲ୍ ହୋଇଥିଲେ। ୨୦୧୩ରେ ୨୧ ଜଣ ଫେଲ୍ ହୋଇଥିଲେ। ଚଳିତ ଥର ପରୀକ୍ଷା ଫଳ ଆହୁରି ନୈରାଶ୍ୟଜନକ ହୋଇଛି। ବିଜ୍ଞାନରେ ୩୮୨ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୩୭୯ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ୮୦ ଜଣ ଫେଲ୍ ହୋଇଛନ୍ତି। ବାଣିଜ୍ୟରେ ମଧ୍ୟ ୧୨୪ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୩୬ ଜଣ ଫେଲ୍ ହୋଇଛନ୍ତି।
ରାଜଧାନୀ କଲେଜର ବିଜ୍ଞାନରେ ୮୦ ଫେଲ୍
ମହର୍ଷିରେ ଯୁକ୍ତ୨ ଡେଇଁପାରିଲେନି ୧୮୦
ବିଜେବି, ରମାଦେବୀରେ ମଧ୍ୟ ଫେଲ୍ ହେଉଛନ୍ତି
ସହରର ସମସ୍ତ ସରକାରୀ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ସମାନ ଅବସ୍ଥା। ଭୁବନେଶ୍ବରର ଛାତ୍ରଛାତ୍ରୀଙ୍କ ସ୍ଥିତିକୁ ଦେଖିଲେ ବିଜ୍ଞାନ ବିଭାଗର ଶ୍ରେଷ୍ଠ ଶହେ ମଧ୍ୟରେ ସହରର ୨୦ଜଣ ଛାତ୍ରଛାତ୍ରୀ ରହିଛନ୍ତି। ସେଥିମଧ୍ୟରୁ ସରକାରୀ ଶିକ୍ଷାନୁଷ୍ଠାନର ମାତ୍ର ୬ଜଣ। ବିଜେବି ଉଚ୍ଚମାଧ୍ୟମିକ ବିଦ୍ୟାଳୟର ସର୍ବାଧିକ ୪ଜଣ ରହିଥିବା ବେଳେ ବେସିକ୍ ସାଇନ୍ସ ଓ ରମାଦେବୀ ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଜଣେ ଲେଖାଏ ସ୍ଥାନ ପାଇଛନ୍ତି। ସହରର ସେଲ୍ଫ ଫାଇନାନ୍ସିଂ କଲେଜର ଛାତ୍ରଛାତ୍ରୀ ବିଜ୍ଞାନରେ ପୂର୍ବଭଳି ୯୦%ରୁ ଅଧିକ ମାର୍କ ରଖିଛନ୍ତି। କଳା ବିଭାଗରେ ମଧ୍ୟ ଅନୁରୂପ ଅବସ୍ଥା। ଶ୍ରେଷ୍ଠ ୫୦ ମଧ୍ୟରେ ଭୁବନେଶ୍ବରର ମାତ୍ର ୫ଜଣ ରହିଛନ୍ତି। ବିଜେବି ଉଚ୍ଚମାଧ୍ୟମିକ ବିଦ୍ୟାଳୟର ୩ ଓ ରମାଦେବୀର ଦୁଇ ଜଣ ତାଲିକାରେ ସ୍ଥାନ ପାଇଛନ୍ତି। ବାଣିଜ୍ୟ ବିଭାଗର ଶ୍ରେଷ୍ଠ ୫୦ଜଣଙ୍କ ମଧ୍ୟରେ କେବଳ ବିଜେବି ଉଚ୍ଚମାଧ୍ୟମିକ ବିଦ୍ୟାଳୟର ହିଁ ୩ଜଣ କୃତୀ ପରୀକ୍ଷାର୍ଥୀ ରହିଥିବା ସୂଚନା ମିଳିଛି। ଯୁକ୍ତ୨ ବିଜ୍ଞାନ ନାମଲେଖା ସମୟରେ କଟ୍ ଅଫ୍ ମାର୍କରେ ସବୁଠାରୁ ଆଗରେ ରହୁଥିବା ମହର୍ଷି କଲେଜ ଅଫ୍ ନାଚ୍ୟୁରାଲ ଲ’, ରାଜଧାନୀ କଲେଜ, ଏକାମ୍ର କଲେଜର କୌଣସି ବି ଛାତ୍ରଛାତ୍ରୀ ୯୦% ରଖିବାରେ ସଫଳ ହୋଇନାହାନ୍ତି। ରମାଦେବୀ ଓ ବେସିକ୍ ସାଇନ୍ସର ମାତ୍ର ଜଣେ ଲେଖାଏ ବିଦ୍ୟାର୍ଥୀ ବିଜ୍ଞାନ ବିଭାଗର ଶ୍ରେଷ୍ଠ ଶହେରେ ସ୍ଥାନ ପାଇଛନ୍ତି।
ବିଜେବି ଓ ରମାଦେବୀ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ମଧ୍ୟ ପୂର୍ବବର୍ଷ ତୁଳନାରେ ଅଧିକ ଛାତ୍ରଛାତ୍ରୀ ସଫଳ ହୋଇପାରି ନାହାନ୍ତି। ମହର୍ଷି କଲେଜରେ ଚଳିତ ବର୍ଷ କଳାରେ ୨୦ଜଣ, ବାଣିଜ୍ୟରେ ୨୪ଜଣ ଓ ବିଜ୍ଞାନରେ ଶତାଧିକ ଛାତ୍ରଛାତ୍ରୀ ଫେଲ୍ ହୋଇଛନ୍ତି। ଶିକ୍ଷାବିତ୍ ସଦାଶିବ ସାହୁଙ୍କ ମତରେ ଏବେ ସହରର ପ୍ରମୁଖ କଲେଜରେ ଦିନକୁ ଦିନ ଅଧିକରୁ ଅଧିକ ବିଦ୍ୟାର୍ଥୀ ଫେଲ୍ ହେଉଛନ୍ତି। ଶିକ୍ଷାନୁଷ୍ଠାନଗୁଡ଼ିକର ଫଳ ମଧ୍ୟ ଆଶାନୁରୂପ ହେଉନାହିଁ। ଏହା ପଛରେ ମୁଖ୍ୟତଃ ସରକାରୀ କଲେଜଗୁଡ଼ିକର ଭିତ୍ତିଭୂମି ଓ ଶିକ୍ଷାଦାନ ପ୍ରଣାଳୀ ହିଁ ଦାୟୀ। ଅଧିକାଂଶ ଶିକ୍ଷାନୁଷ୍ଠାନରେ ଲାଇବ୍ରେରି, ଲାବରେଟୋରି, ଶିକ୍ଷକ ଅଭାବ ରହିଛି। ପିଲାମାନଙ୍କୁ ଗୁଣାତ୍ମକ ଶିକ୍ଷା ମିଳୁ ନଥିବାରୁ ଛାତ୍ରଛାତ୍ରୀ ଆଉ ଆଗଭଳି ପ୍ରଦର୍ଶନ କରୁନାହାନ୍ତି। ମାଟ୍ରିକ୍ରେ ‘ଏ-୧’ ଗ୍ରେଡ୍ ହାସଲ କରୁଥିବା ଛାତ୍ରଛାତ୍ରୀ ସରକାରୀ କଲେଜରେ ପଢ଼ୁଥିବା ବେଳେ ପରବର୍ତ୍ତୀ ସମୟରେ କାହିଁକି ଭଲ ପ୍ରଦର୍ଶନ କରିପାରୁନାହାନ୍ତି ତାହା ଉପରେ ଚିନ୍ତା କରିବାର ସମୟ ଆସିଛି। ରାଜ୍ୟ ସରକାର ଏହାକୁ ଗୁରୁତ୍ବର ସହ ନେବା ଆବଶ୍ୟକ।