କଟକ: ଥରେ ନୁହେଁ, ଦୁଇ ଦୁଇ ଥର ହାଇକୋର୍ଟ ନିର୍ଦେଶ ଦେଲେ। ରାଜ୍ୟ ପ୍ରଶାସନିକ ଟ୍ରିବୁନାଲ୍‌(ସ୍ୟାଟ୍‌) ଅଧ୍ୟକ୍ଷ ଓ ସଦସ୍ୟ ପଦ ପୂରଣ ପାଇଁ ସରରକାରଙ୍କୁ ୪ ସପ୍ତାହ ସମୟ ଦେଲେ। ଇତିମଧ୍ୟରେ ସାତ ମାସ ବିତିଯାଇଥିଲେ ବି ହାଇକୋର୍ଟଙ୍କ ନିର୍ଦେଶ କାର୍ଯ୍ୟକାରୀ ହୋଇପାରୁନାହିଁ। ଫଳରେ ଜଣେ ବିଚାରପତିଙ୍କୁ ନେଇ ସ୍ୟାଟ୍ ଚାଲିଥିବାରୁ ଅନେକ ଗୁରୁତ୍ବପୂର୍ଣ୍ଣ ମାମଲା ଶୁଣାଣି ହୋଇପାରୁନାହିଁ। ୨୦୧୯, ଜାନୁଆରି ୧୦ର ହାଇକୋର୍ଟ ସ୍ୟାଟ୍ ଅଧ୍ୟକ୍ଷ ଓ ସଦସ୍ୟ ପଦରେ ଏକ ବର୍ଷ ପାଇଁ କିମ୍ବା ଏ ସଂପର୍କିତ ଚୂଡାନ୍ତ ନିଷ୍ପତ୍ତି ଗ୍ରହଣ ପର୍ଯ୍ୟନ୍ତ ଆଡହକ୍ ନିଯୁକ୍ତି ପ୍ରଦାନ ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ୪ ସପ୍ତାହ ଭିତରେ ପଦକ୍ଷେପ ନେବାକୁ କୁହାଯାଇଥିଲା। କିନ୍ତୁ ସରକାର ନିର୍ଦ୍ଧାରିତ ସମୟସୀମା ପୂରି ଯାଇଥିଲେ ବି ହାଇକୋର୍ଟଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ ହୋଇନାହିଁ। ପୁନଶ୍ଚ ୨୦୧୯, ମେ’ ୧୬ରେ ଅଦାଲତ ଏ ସଂପର୍କିତ ମାମଲାର ଶୁଣାଣି କରି ସରକାର ଚାହିଁଲେ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତିଙ୍କୁ ସ୍ୟାଟ୍‌ର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇ ପାରିବେ ବୋଲି ରାୟରେ ସ୍ପଷ୍ଟ କରିଥିଲେ। କିନ୍ତୁ ଏ ପର୍ଯ୍ୟନ୍ତ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ। ଔପଚାରିକ ଭାବେ ଉଚ୍ଛେଦ ନ ହେବା ପର୍ଯ୍ୟନ୍ତ ସ୍ୟାଟ୍‌ ସ୍ବାଭାବିକ ଭାବେ କାର୍ଯ୍ୟ କରିବା ଉପରେ ଗୁରୁତ୍ବାରୋପ କରାଯିବା ଉଚିତ। ପୂର୍ବଭଳି ରାଜ୍ୟ ସରକାରଙ୍କ ଚାକିରି ଓ କର୍ମଚାରୀଙ୍କ ସଂପର୍କିତ ମାମଲାର ଶୁଣାଣି ସଂକ୍ରାନ୍ତୀୟ ଆଇନ ବ୍ୟବସ୍ଥାରେ କୌଣସି ପରିବର୍ତ୍ତନ କରାଯାଇ ନଥିବା ବେଳେ ସ୍ୟାଟ୍‌ରେ ଦେଖା ଦେଇଥିବା ଅଚଳାବସ୍ଥା ଯୋଗୁ ନ୍ୟାୟ ପ୍ରଦାନ ପ୍ରକିୟା ବାଧାପ୍ରାପ୍ତ ହୋଇଛି।

Advertisment

୨୦୧୯, ଫେବ୍ରୁଆରି ୨୭ରେ ତତ୍କାଳୀନ କାର୍ଯ୍ୟକାରୀ ଅଧ୍ୟକ୍ଷ ମନମୋହନ ପ୍ରହରାଜ ଅବସର ଗ୍ରହଣ କରିବା ପରଠାରୁ ଏଭଳି ଅଚଳାବସ୍ଥା ସୃଷ୍ଟି ହୋଇଛି। ତାଙ୍କ ସ୍ଥାନରେ କାର୍ଯ୍ୟକାରୀ ଅଧ୍ୟକ୍ଷ ରୂପେ ଜ୍ଞାନରଂଜନ ପୁରୋହିତ ଦାୟିତ୍ବ ସଂପାଦିତ କରୁଛନ୍ତି। କିନ୍ତୁ ବଡ଼ କଥା ହେଉଛି, ସେ କଟକ ସମେତ ଭୁବନେଶ୍ବର ପ୍ରମୁଖ ବେଞ୍ଚ, ସମ୍ବଲପୁର ଓ ବ୍ରହ୍ମପୁର ସର୍କିଟ ବେଞ୍ଚ୍‌ରେ ମାମଲାଗୁଡ଼ିକର ଶୁଣାଣି କରୁଥିବାରୁ ପ୍ରତିଦିନ କୋର୍ଟ ବସିପାରୁନାହିଁ। ଫଳରେ, ହଜାର ହଜାର ମାମଲା ଶୁଣାଣି ନ ହୋଇ ବିଚାରାଧୀନ ଅବସ୍ଥାରେ ପଡ଼ି ରହିଛି।

ଉଲ୍ଲେଖଯୋଗ୍ୟ, ୨୦୧୪, ଫେବ୍ରୁଆରି ୧୮ରେ ସ୍ୟାଟର ଅଧୢକ୍ଷଙ୍କୁ ମିଶାଇ ମୋଟ ୮ ଜଣ ସଦସ୍ୟ ରହିବେ ବୋଲି ସରକାର ବିଜ୍ଞପ୍ତି ପ୍ରକାଶ କରିଥିଲେ। କିନ୍ତୁ ପରବତର୍ତ୍ତୀ ସମୟରେ ୨୦୧୫, ସେପ୍ଟେମ୍ବର ୯ରେ ସ୍ୟାଟ୍‌ ଉଚ୍ଛେଦ ପାଇଁ କ୍ୟାବିନେଟ ନିଷ୍ପତ୍ତି ହେବା ପରେ ଏହାକୁ ନେଇ ସେତେବେଳେ ଆଇନଜୀବୀ ଓ ସରକାରୀ କର୍ମଚାରୀଙ୍କ ମଧୢରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ସ୍ୟାଟ୍‌ ପ୍ରତି ଅବହେଳା ଅଭିଯୋଗକୁ ନେଇ ମାମଲା ହାଇକୋର୍ଟରେ ପହଞ୍ଚିଥିଲା। ଏହି ମାମଲା ଏବେ ବିଚାରାଧୀନ ରହିଛି। ଆଇନଜୀବୀ ପ୍ରଦୀପ୍ତ ପଟ୍ଟନାୟକ, ସଚ୍ଚିଦାନନ୍ଦ ମଲ୍ଲିକ ଓ ରାଧାରମଣ ଦାସନାୟକ ପ୍ରମୁଖ ଅଭିଯୋଗ କରିଛନ୍ତି ଯେ, କଟକରେ ସ୍ୟାଟ୍ ବେଞ୍ଚ ସପ୍ତାହକୁ ମାତ୍ର ଦିନେ/ଦୁଇ ଦିନ ବସି ଜରୁରି ମାମଲା ଗୁଡିକର ଶୁଣାଣି କରୁଛନ୍ତି। ଫଳରେ ପୁରୁଣା ମାମଲା ତ ଦୂରରେ ଥାଉ, ନୂଆ ଦାୟର ମାମଲା ଗୁଡିକର ପ୍ରାରମ୍ଭିକ ଶୁଣାଣି ହୋଇପାରୁ ନାହିଁ।