ନିର୍ଭୟା ପାଣ୍ଠି ଖର୍ଚ୍ଚ କରି ପାରିନାହାନ୍ତି ସରକାର: କଂଗ୍ରେସ

୫ ବର୍ଷରେ ମିଳିଛି ୨୨ କୋଟି, ଖର୍ଚ୍ଚ ୫୮ ଲକ୍ଷ

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ୫’ଟି’ ଓ ପୁଲିସ ବିଭାଗରେ ‘ମୋ ସରକାର’ କାର୍ଯ୍ୟକ୍ରମ ଲାଗିବା ପରଠାରୁ ନାବାଳିକା ଦୁଷ୍କର୍ମ ଓ ମହିଳା ନିର୍ଯାତନା କମିବା ପରିବର୍ତ୍ତେ ବୃଦ୍ଧି ପାଇଛି। ପୁଲିସର ନିଷ୍କ୍ରିୟତା ମଧ୍ୟ କମୁନି। ଆଜି କଂଗ୍ରେସ ଭବନରେ ସାମ୍ବାଦିକ ସମ୍ମିଳନୀ କରି ଏପରି ଅଭିଯୋଗ କରିଛନ୍ତି ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ। ୟୁପିଏ ସରକାର ଅମଳରେ ମହିଳାଙ୍କ ସୁରକ୍ଷା ପାଇଁ ପ୍ରଣୟନ କରାଯାଇଥିବା ନିର୍ଭୟା ପାଣ୍ଠି ଯୋଜନା ଅର୍ଥ ଖର୍ଚ୍ଚ କରିବାରେ ସରକାର ବିଫଳ ହୋଇଛନ୍ତି। ଧର୍ମଶାଳା ନାବାଳିକା ଦୁଷ୍କର୍ମ ଘଟଣାରେ ସଂପୃକ୍ତ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଉ। ସମ୍ପୃକ୍ତ ପୀଡ଼ିତାଙ୍କୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ସହାୟତା ପ୍ରଦାନ କରାଯାଉ। ଆସନ୍ତା ୭ ଦିନ ଭିତରେ ଦାବି ପୂରଣ ନ ହେଲେ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ ବୋଲି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିବା ବରିଷ୍ଠ କଂଗ୍ରେସ ନେତା ଗଣେଶ୍ବର ବେହେରା ଚେତାବନୀ ଦେଇଛନ୍ତି।

ଧର୍ମଶାଳା ନାବାଳିକା ଦୁଷ୍କର୍ମ ଘଟଣାରେ ଦୁଇ ପୁଲିସ କର୍ମଚାରୀ
୭ ଦିନ ଭିତରେ ଦାବି ପୂରଣ ନ ହଲେ ରାଜରାସ୍ତାକୁ ଓହ୍ଲାଇବ ଦଳ

ଶ୍ରୀ ମାଝୀ ଅଭିଯୋଗ କରି କହିଥିଲେ, ମହିଳା ଦୁଷ୍କର୍ମ ଘଟଣାରେ ଉତ୍ତରପ୍ରଦେଶ ପରେ ଓଡ଼ିଶା ରେକର୍ଡ଼ କଲାଣି। ବିଗତ ୧୦ ବର୍ଷ ଭିତରେ ରାଜ୍ୟରେ ପ୍ରାୟ ୧୭ ହଜାର ୩୦୦ ମହିଳା ଓ ନାବାଳିକା ଗଣଦୁଷ୍କର୍ମର ଶିକାର ହୋଇଛନ୍ତି। ୨୦୧୨ରେ ଦିଲ୍ଲୀର ନିର୍ଭୟା ଦୁଷ୍କର୍ମ ଘଟଣା ପରେ ତତ୍କାଳୀନ ୟୁପିଏ ସରକାର ମହିଳା ସୁରକ୍ଷା ଓ ନାରୀ ନିର୍ଯାତନା ରୋକିବାକୁ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ ୧୦ ହଜାର କୋଟି ଟଙ୍କାର ସ୍ବତନ୍ତ୍ର ନିର୍ଭୟା ସହାୟତା ପାଣ୍ଠି ବ୍ୟବସ୍ଥା କରିଥିଲେ। କେନ୍ଦ୍ର ସ୍ବରାଷ୍ଟ୍ର ବିଭାଗ ତଥ୍ୟ ଅନୁଯାୟୀ ଗତ ୫ ବର୍ଷ ଭିତରେ ଓଡ଼ିଶା ସରକାରଙ୍କୁ ମୋଟ୍ ୨୨ କୋଟି ୭୦ ଲକ୍ଷ ୫୩ ହଜାର ଟଙ୍କା ପ୍ରଦାନ କରାଯାଇଛି। କିନ୍ତୁ ରାଜ୍ୟ ଏହି ପାଣ୍ଠିରୁ ମାତ୍ର ୫୮ ଲକ୍ଷ ଟଙ୍କା ଖର୍ଚ୍ଚ କରିପାରିଛନ୍ତି। ଯାହାକି ଅତି ନଗଣ୍ୟ। ଅର୍ଥାତ୍‌ ମହିଳାଙ୍କ ସୁରକ୍ଷା ପ୍ରତି ରାଜ୍ୟ ସରକାର କିପରି ଉଦାସୀନ ତାହା ଏଥିରୁ ପ୍ରମାଣିତ କରୁଛି। ଖାଲି ସେତିକି ନୁହେଁ, ନିର୍ଭୟା ପାଣ୍ଠି ଅର୍ଥ ଯେତିକି ବ୍ୟୟ କରିଛନ୍ତି ତାର ବିନିଯୋଗ ପ୍ରମାଣ ପତ୍ର ବି ସରକାର ଦେଇପାରିନାହାନ୍ତି। ଫଳରେ ଚଳିତ ଆର୍ଥିକ ବର୍ଷ ପାଇଁ ସହାୟତା ପାଣ୍ଠି ଅର୍ଥ ମିଳିପାରୁନି। ଜାତୀୟ କ୍ରାଇମ୍‌ ରେକର୍ଡ଼ ବ୍ୟୁରୋ ତଥ୍ୟ ଅନୁଯାୟୀ ପ୍ରତିଦିନ ରାଜ୍ୟରେ ୭ ଜଣ ନାବାଳିକା ଓ ମହିଳା ଦୁଷ୍କର୍ମର ଶିକାର ହେଉଛନ୍ତି। ଏତେସବୁ ବିଫଳତା ପରେ ବି ସରକାର ବେଫିକର। ନିକଟରେ ଧର୍ମଶାଳା ନାବାଳିକା ଦୁଷ୍କର୍ମ ଘଟଣାରେ ମୁଖ୍ୟ ଅଭିଯୁକ୍ତର ଭଉଣୀ ଓ ଭିଣୋଇ ପୁଲିସ କର୍ମଚାରୀ ହୋଇ ବି ଅଭିଯୁକ୍ତମାନଙ୍କୁ ନିଜ ଘରେ ଆଶ୍ରୟ ଦେଇଥିଲେ। ତାଙ୍କ ବିରୋଧରେ କିଛି ବି କାର୍ଯ୍ୟାନୁଷ୍ଠାନ ନିଆଯାଇନି ବୋଲି ଶ୍ରୀ ମାଝୀ ଅଭିଯୋଗ କରିଥିଲେ। ଧର୍ମଶାଳା ନିର୍ବାଚନମଣ୍ଡଳୀର କଂଗ୍ରେସ ବିଧାୟିକା ପ୍ରାର୍ଥୀ ସ୍ମୃତିରେଖା ପହି ଗତକାଲି ଦୁଷ୍କର୍ମ ଘଟଣାର ଶିକାର ହୋଇଥିବା ପୀଡ଼ିତାଙ୍କୁ ଭେଟିଥିଲେ। ସେ କହିଥିବା କଥାକୁ ଦୋହରାଇଥିଲେ।କେଉଁ ପରିସ୍ଥିତିରେ ସେଦିନ ଘଟଣା ଘଟିଥିଲା, ସମୁଦାୟ ତଥ୍ୟ ରଖିଥିଲେ ଗଣମାଧ୍ୟମ ସାମ୍ନାରେ। ବରିଷ୍ଠ କଂଗ୍ରେସ ନେତା ଗଣେଶ୍ବର ବେହେରା କହିଛନ୍ତି, ମୁଖ୍ୟ ଅଭିଯୁକ୍ତର ଭିଣୋଇ ଓ ଭଉଣୀ ପୁଲିସ କନେଷ୍ଟବଳ ଚାକିରି କରି ଏପରି ଘୃଣ୍ୟ କାମକୁ ପ୍ରଶୟ ଦେଇଛନ୍ତି। ପୁଲିସ ସେମାନଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ନେଇନି। ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତର ଭାଇଙ୍କ ସମେତ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଜଡ଼ିତ ଭଉଣୀ ଓ ଭିଣୋଇଙ୍କୁ ଗିରଫ କରିବାକୁ ଶ୍ରୀ ବେହେରା ଦାବି କରିଛନ୍ତି।

ସମ୍ବନ୍ଧିତ ଖବର