ବ୍ୟାଙ୍କ ଉପରେ ସରକାରଙ୍କ ନଜର, ୨୨ରେ ବୈଠକ

ଭୁବନେଶ୍ବର : କୋଭିଡ୍-୧୯ କାରଣରୁ ରାଜ୍ୟରେ ଅର୍ଥନୀତି ପ୍ରତି ଯେଉଁ ବିପଦ ସୃଷ୍ଟି ହୋଇଛି, ସେ ଆହ୍ବାନକୁ ମୁକାବିଲା କରିବା ଲାଗି ପ୍ରଶାସନ ସଜାଗ ରହିବା ଦରକାର ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ବିଭାଗକୁ ନିର୍ଦେଶ ଦେଇଛନ୍ତି। କେବଳ ସେତିକି ନୁହେଁ, ମୁଖ୍ୟମନ୍ତ୍ରୀ ଏକଥା ବି କହିଛନ୍ତି ଯେ ରାଜ୍ୟ ସରକାର ଜୀବିକା ସୃଷ୍ଟି ସଂପର୍କିତ କାର୍ଯ୍ୟକ୍ରମ ଉପରେ ଗୁରୁତ୍ବ ଦେଉଛନ୍ତି। ଏହି ପରିପ୍ରେକ୍ଷୀରେ ଆସନ୍ତା ୨୨ ତାରିଖରେ ଜିଲ୍ଲାପାଳ ଓ ବ୍ୟାଙ୍କମାନଙ୍କୁ ନେଇ ଏକ ବୈଠକ କରାଯିବ। ଯେଉଁଥିରେ ଚାଷୀ, ମିସନ ଶକ୍ତି, କୃଷକ ଓ ଏମ୍‌ଏସ୍‌ଏମଏଇ କ୍ଷେତ୍ରରେ ଋଣ ପ୍ରଦାନ ସଂପର୍କରେ ସମୀକ୍ଷା ହେବ। ଯେଉଁ ବ୍ୟାଙ୍କମାନେ ଏସବୁ କାର୍ଯ୍ୟକ୍ରମରେ ଋଣ ପ୍ରଦାନରେ ଅବହେଳା କରିଥିବେ, ସେମାନଙ୍କୁ ଆଦୌ ବରଦାସ୍ତ କରାଯିବ ନାହିଁ। ଅବହେଳା କରୁଥିବା ବ୍ୟାଙ୍କ ବିରୋଧରେ ସେହିଦିନ ହିଁ କେନ୍ଦ୍ର ଅର୍ଥମନ୍ତ୍ରାଳୟକୁ ଅବଗତ କରାଯିବ।

ଗୁରୁବାର ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ କୋଭିଡ୍ ମୁକାବିଲା ସମୀକ୍ଷା କରି ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ ପୂଜା ସମୟରେ ଯେଉଁ ଆଶଙ୍କା ଥିଲା, ତାହା ଆପାତତଃ ଟଳିଯାଇଛି ଓ ତାକୁ ସଫଳତାର ସହିତ ମୁକାବିଲା କରାଯାଇଛି। ଏବେ ଶୀତଋତୁରେ କୋଭିଡ୍ ସଂକ୍ରମଣ ବୃଦ୍ଧି ନେଇ ଯେଉଁ ଆଶଙ୍କା ରହିଛି, ତାହା ବି ଦୂରୀଭୂତ ହେବ। ଏହା ହିଁ ସୂଚାଉଛି ଯେ କୋଭିଡ୍ ପରିଚାଳନାରେ ଓଡ଼ିଶା ଦେଶର ଶ୍ରେଷ୍ଠ ରାଜ୍ୟ ମଧ୍ୟରେ ଅଛି, ଯେଉଁଥିପାଇଁ ନୀତି ଆୟୋଗ ପ୍ରଶଂସା କରିଛନ୍ତି।

ଟୀକାକରଣ ସଂପର୍କରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଦେଶରେ ଏହା ଖୁବ୍ ଶୀଘ୍ର ଆରମ୍ଭ ହେବାର ସମ୍ଭାବନା ରହିଛି। ଏଥିପାଇଁ ଓଡ଼ିଶାରେ ସମ୍ପୂର୍ଣ୍ଣ ଡାଟାବେସ୍ ପ୍ରସ୍ତୁତ ହୋଇଛି ଓ ଆନୁଷଙ୍ଗିକ ବ୍ୟବସ୍ଥା ମଧ୍ୟ କରାଯାଇଛି। ତେବେ ଦେଶରେ ଟିକାଦାନ ପ୍ରକ୍ରିୟା ଏକବର୍ଷରୁ ଅଧିକ ସମୟ ଲାଗିପାରେ। ଏ ପରିପ୍ରେକ୍ଷୀରେ କୋଭିଡ୍ ନିୟମାବଳୀ ପୂର୍ବଭଳି ଜାରି ରହିବ ଏବଂ ଜନସାଧାରଣଙ୍କୁ ସଚେତନ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନିିଆଯିବ।

ବୈଠକରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କହିଥିଲେ ଯେ ରାଜ୍ୟରେ କୋଭିଡ୍‌ ପରିସ୍ଥିତିରେ ଦ୍ରୁତ ଉନ୍ନତି ଜାରି ରହିଛି। ଟୀକାକରଣ ପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାର ବ୍ୟବସ୍ଥା କେନ୍ଦ୍ର ସରକାରଙ୍କ ସହ ପରାମର୍ଶ କରି କାର୍ଯ୍ୟକାରୀ କରୁଛନ୍ତି। ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପି.କେ. ମହାପାତ୍ର ତାଙ୍କ ଉପସ୍ଥାପନାରେ କହିଥିଲେ ଆରୋଗ୍ୟ ହାର ବର୍ତ୍ତମାନ ୯୮.୫୨ ପ୍ରତିଶତ ରହିଛି, ଯାହାକୁ ସାରା ଦେଶରେ ଦ୍ବିତୀୟ ସର୍ବଶ୍ରେଷ୍ଠ ସୂଚକାଙ୍କ। ସେହିପରି ଦୈନିକ ସଂକ୍ରମଣ ହାର ପ୍ରଥମ ଥର ପାଇଁ ୧ ପ୍ରତିଶତରୁ କମି ବର୍ତ୍ତମାନ ୦.୯୬ ପ୍ରତିଶତରେ ରହିଛି। ଡିସେମ୍ବର ୩୧ ତାରିଖ ସୁଦ୍ଧା ଗଞ୍ଜାମ, ନୟାଗଡ ଓ କୋରାପୁଟରେ ସେରୋ ସର୍ଭେ କରାଯିବ ଏବଂ ଜାନୁଆରୀରେ କଟକ ଓ ଭୁବନେଶ୍ବରରେ କରାଯିବ। ପୁଲିସ ମହାନିର୍ଦ୍ଦେଶକ ଅଭୟ କୋଭିଡ ମୁକାବିଲା ସଂପର୍କରେ ସୂଚନା ଦେଇଥିଲେ। ଏହି ବୈଠକରେ ଉନ୍ନୟନ କମିସନର ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ।

ସମ୍ବନ୍ଧିତ ଖବର