ଭୁବନେଶ୍ୱର: ସ୍ୱଚ୍ଛ ପାଣି ଓ ସ୍ୱଚ୍ଛ ବାୟୁ ଜଣେ ନାଗରିକର ମୌଳିକ ଅଧିକାର। କିନ୍ତୁ ନାଗରିକମାନଙ୍କୁ ମୌଳିକ ଅଧିକାରରୁ ରାଜ୍ୟ ସରକାର ବଞ୍ଚିତ କରିଛନ୍ତି। ରାଜ୍ୟର ଦୁଇ ସ୍ମାର୍ଟ ସିଟି ରାଉରକେଲା ଓ ଭୁବନେଶ୍ବରରେ ଲୋକଙ୍କ ଅବସ୍ଥା ଏବେ ଦୁର୍ବିସହ ହୋଇଯାଇଛି। ରାଉରକେଲାରେ ଝାଡ଼ାବାନ୍ତିରେ ଲୋକେ ମୃତ୍ୟୁବରଣ କରୁଥିବାବେଳେ ଭୁବନେଶ୍ୱରବାସୀ ଦୁର୍ଗନ୍ଧମୟ ପରିବେଶ ପାଇଁ ଚର୍ମରୋଗ ଓ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି। ରାଜ୍ୟ ସରକାର ନିଜର ଅପାରଗତାକୁ ଲୁଚାଇବାକୁ ମିଛ ଗପ ଶୁଣାଉଛନ୍ତି ବୋଲି ବିେଜପିର ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି।
ଶ୍ରୀ ମହାନ୍ତି ଆଜି ଗଣମାଧ୍ୟମକୁ କହିଛନ୍ତି ଯେ ରାଉରକେଲାରେ ଝାଡ଼ାବାନ୍ତିରେ ଲୋକ ମୃତ୍ୟୁବରଣ କରିଥିବା ତଥ୍ୟକୁ ଲୁଚାଇବା ଗଣତନ୍ତ୍ର ପାଇଁ ବିପଦ। ରାଜ୍ୟର ଜନସାଧାରଣଙ୍କ ସ୍ବାସ୍ଥ୍ୟ ନେଇ ବିଜେଡି ସରକାରର କୌଣସି ଆନ୍ତରିକତା ନାହିଁ। ଯାହା ଆଜି ରାଜ୍ୟର ଦୁଇଟି ସ୍ମାର୍ଟ ସିଟିରେ ଦେଖିବାକୁ ମିଳିଛି। ଏହା କ’ଣ ୨୩ବର୍ଷ ସରକାରର ରୂପାନ୍ତରୀକରଣ କି? ରାଜ୍ୟର କୋଣ ଅନୁକୋଣରେ ରାଜ୍ୟ ସରକାର ‘ଡ୍ରିଙ୍କ ଫ୍ରମ ଟ୍ୟାପ୍’ ନାଁରେ ହୋର୍ଡିଂ ମାରିଥିବାବେଳେ କୋଟି କୋଟି ଟଙ୍କାର ବିଜ୍ଞାପନ ଦେଉଛନ୍ତି। ହେଲେ ଲୋକ ଦୂଷିତ ପାଣି ପିଇ ଝାଡ଼ାବାନ୍ତିରେ ମରୁଛନ୍ତି। ରାଜ୍ୟ ସରକାର ଭୋଟ ପାଇଁ ପ୍ରଚାର ସର୍ବସ୍ୱ ନହୋଇ ତୁରନ୍ତ ଜନତାଙ୍କ ସ୍ୱାର୍ଥ ପାଇଁ କାର୍ଯ୍ୟ କରନ୍ତୁ। ଦୁଇ ସ୍ମାର୍ଟ ସିଟିର ଜନତାଙ୍କ ଦୁଃଖକୁ ବୁଝନ୍ତୁ ନହେଲେ ବିଜେଡିକୁ ଆଗାମୀ ଦିନରେ ଲୋକେ ଉଚିତ ଜବାବ ଦେବେ ବୋଲି ଶ୍ରୀ ମହାନ୍ତି କହିଛନ୍ତି।