ଫନି ମୁକାବିଲାରେ ସରକାର ବିଫଳ: ବିଜେପି

ଭୁବନେଶ୍ବର : ଫନି ପରବର୍ତ୍ତୀ ପରିସ୍ଥିତିର ମୁକାବିଲା ଓ ରିଲିଫ୍ ବଣ୍ଟନରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି ବୋଲି ଅଭିଯୋଗ କରିଛି ବିଜେପି। ଏପରିକି ବିଭିନ୍ନ ସ୍ଥାନରେ ରିଲିଫ୍ ବଣ୍ଟନରେ ଅନିୟମିତତା ହେଉଛି ବୋଲି ଅଭିଯୋଗ କରି ଦଳ ପକ୍ଷରୁ ଏକ ଦାବିପତ୍ର ଆଜି ସ୍ବତନ୍ତ୍ର ରିଲିଫ୍ କମିସନର୍‌(ଏସ୍‌ଆର୍‌ସି)ଙ୍କୁ ପ୍ରଦାନ କରାଯାଇଛି।

ବିଜେପି ଉପସଭାପତି ସମୀର ମହାନ୍ତି କହିଛନ୍ତି, ବାତ୍ୟା ହେବାର ୭ ଦିନ ବିତିଯାଇଥିଲେ ମଧ୍ୟ ପ୍ରଶାସନର ଅପାରଗତା ଓ ସ୍ଥାଣୁତା ପାଇଁ ଲୋକଙ୍କୁ ପିଇବା ପାଣି ମିଳୁ ନାହିଁ, ବିଜୁଳି ସଂଯୋଗ ନାହିଁ ଓ ରହିବାକୁ ପଲିଥିନ୍ ମିଳି ନାହିଁ। କେନ୍ଦ୍ର ସରକାର ଅଗ୍ରୀମ ୧୩୪୧ କୋଟି ଟଙ୍କା ଓ ଅନ୍ୟାନ୍ୟ ସହାୟତା ଦେଇଛନ୍ତି। କିନ୍ତୁ ରାଜ୍ୟ ସରକାର ତାହାକୁ ଠିକ୍ ଭାବେ ଉପଯୋଗ କରିପାରୁ ନାହାନ୍ତି। ରାଜଧାନୀରେ ମାତ୍ର ୨୫ ପ୍ରତିଶତ ଲୋକଙ୍କ ପାଖ‌େର ବିଜୁଳି ପହଞ୍ଚିଛି। ସରକାର କୌଣସି ସାମାଜିକ ସଂଗଠନ ଓ ରାଜନୈତିକ ଦଳଙ୍କ ସହଯୋଗ ଓ ସହାୟତା ନେଉ ନାହାନ୍ତି। ଫଳରେ ବାତ୍ୟା ବିପନ୍ନମାନେ କଷ୍ଟ ଭୋଗୁଛନ୍ତି। କେନ୍ଦ୍ର ମନ୍ତ୍ରୀ ଧ‌େର୍ମନ୍ଦ୍ର ପ୍ରଧାନ କେନ୍ଦ୍ର ସରକାରଙ୍କ ସହାୟତାରେ ଓଡ଼ିଶାକୁ ସହଯୋଗ କରିବାକୁ ଯଥାସମ୍ଭବ ପ୍ରୟାସ କରୁଛନ୍ତି।

ସବୁଠୁ ଆଶ୍ଚର୍ଯ୍ୟର କଥା‌ ରିଲିଫ୍ ବଣ୍ଟନରେ ରାଜନୈତିକ ଉଦ୍ଦେଶ୍ୟ ରଖାଯାଉଛି। ବିଞ୍ଝାରପୁର ନିର୍ବାଚନମଣ୍ଡଳୀରେ ବିଜେପି କାର୍ଯ୍ୟକର୍ତ୍ତା ହୋଇଥିବାରୁ ଅନେକ ଲୋକଙ୍କୁ ରିଲିଫ୍ ମିଳୁ ନାହିଁ। ପୁରୀରେ ସ୍ଥାନୀୟ ବିଧାୟକ ନିର୍ଦ୍ଦେଶ ଦେଇଛନ୍ତି ଯେ ଯିଏ ବିଜେଡିକୁ ଭୋଟ୍‌ ଦେଇନାହାନ୍ତି ସେମାନଙ୍କୁ ରିଲିଫ୍ ଦିଆଯିବ ନାହିଁ।

ଶ୍ରୀ ମହାନ୍ତିଙ୍କ ନେତୃତ୍ବରେ ଏସ୍‌ଆର୍‌ସିଙ୍କୁ ଭେଟିବାକୁ ଯାଇଥିବା ପ୍ରତିନିଧି ଦଳରେ ଉମାକାନ୍ତ ପଟ୍ଟନାୟକ, ଟଙ୍କଧର ତ୍ରିପାଠୀ, ସୁବାସ ଗୋଚ୍ଛାୟତ, ବିଶ୍ବରଞ୍ଜନ ମଲ୍ଲିକ ଓ ରବିଶଙ୍କର ପଟ୍ଟନାୟକ ସାମିଲ ହୋଇଥି‌େଲ। ଓଡ଼ିଶାବାସୀଙ୍କୁ ବିପଦ ସମୟରେ ଅସହ୍ୟ ଗରମକୁ ଖାତିର ନ କରି ପରିସ୍ଥିତିରେ ସୁଧାର ଆଣିବା ପାଇଁ କାର୍ଯ୍ୟ କରୁଥିବା ଶ୍ରମିକ, ଟେକ୍ନିସିଆନ୍, ଏନ୍‌ଡିଆର୍‌ଏଫ୍, ଓଡ୍ରାଫ୍ ଓ ଅଗ୍ନିଶମ ବିଭାଗକୁ ରାଜ୍ୟ ବିଜେପି କୃତଜ୍ଞତା ଜଣାଇଛି।

ସମ୍ବନ୍ଧିତ ଖବର