ଫୁଲବାଣୀ : କନ୍ଧମାଳ ଜିଲ୍ଲା ଖଜୁରୀପଡା ବ୍ଲକ ସୁଡୁକୁମ୍ପା ପଞ୍ଚାୟତର ଦୁଇଟି ଗ୍ରାମ ହେଉଛି ଦଳପଡା ଓ ବଡ଼ମାସ୍କା। ଏହି ଦୁଇ ଗାଁ’ର ଗ୍ରାମବାସୀ ଯାତାୟତ ନିମନ୍ତେ ନିର୍ଭର କରୁଥିବା ଗୋଟିଏ କିଲୋମିଟର ରାସ୍ତାର ଅବସ୍ଥା ଶୋଚନୀୟ। ରାସ୍ତାସାରା ଖାଲଢ଼ିପ ଥିବା ବେଳେ ଗାଡି ମଟର ଯିବାର ଦୂରର କଥା ଖାଲିପାଦରେ ଯିବା ବିପଦଜନକ। ଏଥିଯୋଗୁଁ କାହାର ଦେହ ଖରାପ ହେଲ ଗାଁକୁ ଆମ୍ବୁଲାନସ ଆସିବା ସମ୍ଭବ ହୋଇପାରୁ ନାହିଁ। ଖରାଦିନେ ଚଳି ଯାଉଛି। ହେଲେ ବର୍ଷା ଦିନ ଆସିଲେ ଯାତାୟାତ ପ୍ରାୟତଃ ବନ୍ଦ ହୋଇଯାଉଛି। ଏହି ରାସ୍ତା ନିର୍ମାଣ ଓ ମରାମତି ନିମନ୍ତେ ଦୁଇ ଗ୍ରାମବାସୀ ବହୁବାର ବିଡିଓ ଓ ଜିଲ୍ଲାପାଳଙ୍କୁ ଗୁହାରି ଜଣାଇଛନ୍ତି। ପଞ୍ଚାୟତ ସମିତି ଅଧ୍ୟକ୍ଷ, ବିଧାୟକ ଓ ସାଂସଦଙ୍କୁ ଅବଗତ କରିଛନ୍ତି। ହେଲେ କେହି ବି ଦୁଃଖ ବୁଝିଲେ ନାହିଁ।
Sambad is now on WhatsApp
Join and get latest news updates delivered to you via WhatsApp
ସମ୍ପ୍ରତି ବର୍ଷା ଦିନ ଆସି ନିକଟତର ହୋଇ ଯାଇଥିବାରୁ ଦୁଇ ଗ୍ରାମବାସୀ ଏକଜୁଟ ହୋଇ ଆଜି ଶ୍ରମଦାନ କରି ଉକ୍ତ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛନ୍ତି। ବାକି ୨-୩ ଦିନ ମଧ୍ୟରେ ରାସ୍ତା କାମ ଶେଷ କରିଦେବୁ ବୋଲି ପଦ୍ମଚନ୍ଦ୍ର ବେହେରା ଓ ଗୌରୀ ସୁନା କହିଛନ୍ତି। ପ୍ରଶାସନର ସାହାଯ୍ୟ ଲୋଡା ନାହିଁ। ଲୋକ ଚାହିଁଲେ ଗାଁର ଚିତ୍ର ବଦଳି ଯିବ। ଯାହା ଆଜି ଦୁଇ ଗ୍ରାମବାସୀ କରି ଦେଖାଇଛନ୍ତି ବୋଲି କହିଛନ୍ତି ଯୁବ ସମାଜସେବୀ ପଟେଲ କୁମାର ନାୟକ । ଶ୍ରମଦାନ କରି ଦୁଇ ଗ୍ରାମବାସୀ ରାସ୍ତା ନିର୍ମାଣ କରିବାକୁ ସବୁ ମହଲରୁ ପ୍ରଶଂସା କରାଯାଇଛି। ଗ୍ରାମବାସୀଙ୍କ ଦ୍ୱାରା କାମଚଳା କାମ ହୋଇଥିବା ବେଳେ ସବୁଦିନିଆ ପକ୍କା ରାସ୍ତା ନିମନ୍ତେ ପ୍ରଶାସନର କେବେ ନିଦ ଭାଙ୍ଗୁଛି ତାହା ଦେଖିବାର କଥା।