ସରକାରଙ୍କ ମାଗଣା କେମୋ ପଛର କାହାଣୀ : ଜାଣିଶୁଣି କିଣୁ ନାହାନ୍ତି ଦାମୀ ଔଷଧ!

ବାହାରୁ ହଜାର ହଜାର ଟଙ୍କାର ଔଷଧ କିଣୁଛନ୍ତି ରୋଗୀ

ଭୁବନେଶ୍ବର : ରାଜ୍ୟରେ ଜିଲ୍ଲାସ୍ତରରେ କର୍କଟ ରୋଗୀଙ୍କ ସହାୟତା ପାଇଁ ଯୋଜନା କରିଛନ୍ତି ସରକାର। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କେମୋଥେରାପି ବ୍ୟବସ୍ଥା କରାଯାଇଛି। ତୃଣମୂଳସ୍ତରରେ କର୍କଟ ରୋଗର ଚିକିତ୍ସା ପାଇଁ ଉଦ୍ୟମ ହେଉଥିବା ବେଳେ ରାଜଧାନୀରେ ଏହା ଏକପ୍ରକାର ବିଫଳ ହୋଇଛି। ଅଧିକାଂଶ ସମୟରେ ରାଜ୍ୟ ଔଷଧ ନିଗମରୁ ଆବଶ୍ୟକ ଔଷଧ ଯୋଗାଣ ହୋଇ ନ ଥିବା ରୋଗୀଙ୍କୁ କୁହାଯାଉଛି। ଅନେକ ଦାମୀ ଔଷଧ ପାଇଁ ରୋଗୀଙ୍କୁ ହଜାର ହଜାର ଟଙ୍କା ଖର୍ଚ କରିବାକୁ ପଡ଼ୁଛି।

ଅପରପକ୍ଷରେ ରାଜ୍ୟ ଔଷଧ ନିଗମ ମଧ୍ୟ ଠିକ୍ ସମୟରେ ହସ୍ପିଟାଲଗୁଡ଼ିକୁ ଔଷଧ ଯୋଗାଇବାରେ ବିଫଳ ହୋଇଛି। କେବଳ କର୍କଟ ରୋଗର ଔଷଧ ନୁହେଁ, ‘ନିରାମୟ’ ଯୋଜନାରେ ସରକାରୀ ଡାକ୍ତରଖାନାଗୁଡ଼ିକୁ ଦିଆଯାଉଥିବା ଅଧିକାଂଶ ଔଷଧ ଅନେକ ସମୟରେ ଉପଲବ୍ଧ ହେଉନାହିଁ। ପ୍ରତିବର୍ଷ ନିରାମୟରେ ଔଷଧ ସଂଖ୍ୟା ବଢ଼ୁଛି ସତ ଆବଶ୍ୟକତା ସମୟରେ ରୋଗୀଙ୍କୁ ବାହାରୁ କିଣିବାକୁ ପଡ଼ୁଛି। ହସ୍ପିଟାଲଗୁଡ଼ିକ ଯେତିକି ଇଣ୍ଡେଣ୍ଟ ବା ଆବଶ୍ୟକତା ଦେଉଛନ୍ତି ସେତିକି ‌ଔଷଧ ଯୋଗାଣ ବାହାନା ଦେଖାଇ ଔଷଧ ନିଗମ ସବୁବେଳେ ଦୋଷ ଛଡ଼ାଇବାରେ ବ୍ୟସ୍ତ। ରାଜ୍ୟ ବିଭିନ୍ନ ଡ୍ରଗ୍ ୱେୟାର ହାଉସରେ ମନିଟରିଂ ବା ତଦାରଖ ଠିକ୍ ଭାବେ କରାଯାଉ ନ ଥିବା କାରଣରୁ ଏଭଳି ସମସ୍ୟା ସୃଷ୍ଟି ହେଉଛି। ମାତ୍ର ଦାମୀ ଔଷଧ କାଳେ ନଷ୍ଟ ହୋଇଯିବ ସେହି ଆଶଙ୍କାରେ ଔଷଧ ନିଗମ ଅଧିକ ସଂଖ୍ୟାରେ ଔଷଧ କିଣୁ ନ ଥିବା ଅଭିଯୋଗ ହେଉଛି। ଏହି କାରଣରୁ ସରକାରୀ ଡାକ୍ତରଖାନାଗୁଡ଼ିକରେ ଔଷଧ ନିଅଣ୍ଟ ହେଉଛି।

କ୍ୟାପିଟାଲ ହସ୍ପିଟାଲରେ କେମୋ ଥେରାପି ବ୍ୟବସ୍ଥା ଆରମ୍ଭ ହେବା ପରେ ଏଠାରେ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ରାଜ୍ୟର ବିଭିନ୍ନ ସ୍ଥାନରୁ ରୋଗୀମାନେ ଏଠାକୁ ଚିକିତ୍ସା ପାଇଁ ଆସୁଛନ୍ତି। ୨୦୧୮ ମସିହା ଭିତରେ ହସ୍ପିଟାଲରେ ୭ହଜାରରୁ ଅଧିକ କେମୋ ଦିଆଯାଇଛି। ହସ୍ପିଟାଲରେ ପ୍ରଥମ ଓ ଦ୍ବିତୀୟ ସ୍ତର ପର୍ଯ୍ୟନ୍ତ କେମୋ ଦିଆଯାଉଛି। ମାତ୍ର ଅଧିକାଂଶ ଦାମୀ ଔଷଧ ହସ୍ପିଟାଲରେ ମିଳୁନାହିଁ। ଟ୍ରାସଜୁମା, ଭିନପିଷ୍ଟିନ୍ ଭଳି ଅନେକ ଔଷଧ ମିଳୁ ନ ଥିବାରୁ ରୋଗୀଙ୍କୁ ବାହାରୁ କିଣିବାକୁ ପଡ଼ୁଛି। ଟ୍ରାସଜୁମା ବାହାର ଔଷଧ ଦୋକାନରେ ୧୨/୧୪ ହଜାର ଟଙ୍କା ପଡ଼ୁଛି। ଗୋଟିଏ ଗୋଟିଏ କୋର୍ସ ସାରିବା ପାଇଁ ଜଣେ ରୋଗୀଙ୍କୁ ୨/୩ଲକ୍ଷ ଟଙ୍କା ଖର୍ଚ କରିବାକୁ ପଡ଼ିଥାଏ। ଏଥିରେ ସର୍ବାଧିକ ଶୋଷଣର ଶିକାର ହେଉଛନ୍ତି ମଧ୍ୟବିତ୍ତ ବର୍ଗ। ଯେଉଁମାନଙ୍କର ବିପିଏଲ କାର୍ଡ ରହିଛି କିମ୍ବା ଆୟ ସାର୍ଟିଫିକେଟ୍‌ ଦାଖଲ କରୁଛନ୍ତି ସେମାନଙ୍କୁ ରାଜ୍ୟ ଚିକିତ୍ସା ପାଣ୍ଠି ବା ଓଏସ୍‌ଟିଏଫ୍‌ରୁ ମାଗଣାରେ କେମୋ ଦିଆଯାଉଛି। ମାତ୍ର ଯେଉଁମାନଙ୍କର ଏଭଳି କାର୍ଡ ନାହିଁ କିମ୍ବା ‌ପେନସନ ପାଉଛନ୍ତି ସେମାନଙ୍କୁ ଓଏସ୍‌ଟିଏଫ୍‌ରୁ ସୁବିଧା ମିଳୁନାହିଁ। ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ସରକାରୀ ଡାକ୍ତରଖାନାକୁ ବଜେଟ୍‌ର ୨୦ ପ୍ରତିଶତ ଅର୍ଥ ଔଷଧ ଓ ଅନ୍ୟାନ୍ୟ ସାମଗ୍ରୀ କିଣିବା ପାଇଁ ଦିଆଯାଉଛି। ମାତ୍ର କ୍ୟାପିଟାଲ ହସ୍ପିଟାଲ କର୍ତୃପକ୍ଷ ଅଧିକାଂଶ କର୍କଟ ରୋଗର ଔଷଧ କିଣୁ ନ ଥିବା ଜଣାପଡ଼ିଛି।

ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, କର୍କଟ ରୋଗର ଅଧିକାଂଶ ଔଷଧ ଦାମୀ ହୋଇଥିବାରୁ ଏସବୁ ଔଷଧ କିଣିଲେ କାଳେ ଦିଆଯାଇଥିବା ଅର୍ଥ ସରିଯିବ ଆଶଙ୍କା କରି ହସ୍ପିଟାଲ କର୍ତୃପକ୍ଷ ଏଥିପାଇଁ ଆଗ୍ରହ ପ୍ରକାଶ କରୁ ନାହାନ୍ତି। ବାରମ୍ବାର ଏଥିପାଇଁ ହସ୍ପିଟାଲ କର୍ତୃପକ୍ଷଙ୍କୁ ଚିଠି ଲେଖା ଯାଉଥିଲେ ହେଁ, କିଛି ଫରକ ପଡ଼ୁନାହିଁ।

ରାଜ୍ୟ ଔଷଧ ନିଗମରୁ ମିଳିଥିବା ସୂଚନା ଅନୁସାରେ, ୨୦୧୮/୧୯ରେ ନିଗମ କର୍କଟ ରୋଗ ପାଇଁ ୭୨ ପ୍ରକାରର ଔଷଧ କିଣିବା ପାଇଁ ନିଷ୍ପତ୍ତି ନେଇଥିଲା। ୨୦୧୭/୧୮ ଆର୍ଥିକ ବର୍ଷରେ ମଧ୍ୟ ଏହି ସଂଖ୍ୟା ସମାନ ରହିଥିଲା। ତେବେ ନିଗମ ପକ୍ଷରୁ ଧାର୍ଯ୍ୟ ଔଷଧ ତାଲିକା ମଧ୍ୟରୁ କିଛି ଔଷଧ ପାଇଁ ଟେଣ୍ଡର ପ୍ରକ୍ରିୟା ହୋଇପାରୁ ନାହିଁ। ଔଷଧ ପାଇଁ ଧାର୍ଯ୍ୟ ଦର ନେଇ କମ୍ପାନିମାନେ ଟେଣ୍ଡର ପ୍ରକ୍ରିୟାରେ ଅଂଶଗ୍ରହଣ କରିବାକୁ ରାଜି ହେଉ ନ ଥିବା କୁହାଯାଉଛି। ଭିନଫିଷ୍ଟିନ୍ ଭଳି ଔଷଧ ବର୍ଷେ ହେବ ନିଗମ କିମ୍ବା ହସ୍ପିଟାଲରେ ମିଳୁନାହିଁ। ଡାକ୍ତରଖାନାର ଇଣ୍ଡେଣ୍ଟ ଅନୁସାରେ ହିଁ ଔଷଧ କିଣାଯାଉଥିବା ନିଗମର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଟ୍ରା‌ସଜୁମା ଭଳି ଦାମୀ ଔଷଧ ନିଗମ ପାଖରେ ନ ଥିବାରୁ ଏବେ ତାହା ରୋଗୀଙ୍କ ପାଖରେ ପହଞ୍ଚିବାକୁ ଅତିକମ୍‌ରେ ୪୫ ଦିନ ସମୟ ଲାଗିବ ବୋଲି ସେ କହିଛନ୍ତି। ଏଭଳି ପରିପ୍ରେକ୍ଷୀରେ ଔଷଧ ନ ଆସିବା ପର୍ଯ୍ୟନ୍ତ ରୋଗୀମାନଙ୍କୁ ଏଥିପାଇଁ ହଜାର ହଜାର ଟଙ୍କା ଖର୍ଚ କରିବାକୁ ହେବ ବୋଲି ଏକପ୍ରକାର ନିଶ୍ଚିତ ହୋଇଯାଇଛି।

ଅପରପକ୍ଷରେ ନିଗମର ଇଣ୍ଡେଣ୍ଟ ପ୍ରକ୍ରିୟାକୁ ନେଇ ଡାକ୍ତରମାନେ ଅସନ୍ତୋଷ ଜାହିର କରିଛନ୍ତି। ପ୍ରତିବର୍ଷ କେତେ ସଂଖ୍ୟକ ରୋଗୀ କେଉଁ ପ୍ରକାର କେମୋ ନେବାକୁ ଆସିବେ ତାହା ଗଣନା କରିବା ସମ୍ଭବ ନୁହେଁ। ନିଗମ ପକ୍ଷରୁ ଇଣ୍ଡେଣ୍ଟ ନେଇ ‌କଡ଼ା ଆଭିମୁଖ୍ୟ ରହିଥିବାରୁ ଏକ ଆନୁମାନିକ ଇଣ୍ଡେଣ୍ଟ ଦେବାକୁ ପଡ଼ୁଛି। ଯାହାଫଳରେ ରୋଗୀଙ୍କ ସଂଖ୍ୟାରେ ହଠାତ୍ ବୃଦ୍ଧି ଘଟିଲେ ଔଷଧ ନିଅଣ୍ଟ ପଡ଼ୁଛି। ନିଗମ ମଧ୍ୟ ତୁରନ୍ତ ପଦକ୍ଷେପ ପାଇଁ କୌଣସି ବ୍ୟବସ୍ଥା ଗ୍ରହଣ କରୁନାହିଁ। କ୍ୟାପିଟାଲ ହସ୍ପିଟାଲ କର୍ତୃପକ୍ଷ ମଧ୍ୟ ଔଷଧ କିଣୁ ନାହାନ୍ତି। ଯାହାକୁ ନେଇ ସମସ୍ୟା ସୃଷ୍ଟି ହେଉଛି। କ୍ୟାପିଟାଲ ହସ୍ପିଟାଲରେ ଏବେ ୭ଟି ଶଯ୍ୟା କେମୋ ଓ ୭ଟି ଶଯ୍ୟା ପେଲିଆଟିଭ୍ କେୟାର ପାଇଁ ଉଦ୍ଦିଷ୍ଟ ରହିଛି। ଦିନକୁ ୨୦/୨୫ ଜଣ କେମୋ ନେଉଥିବା ବେଳେ ରୋଗୀଙ୍କ ପାଇଁ ଅଧିକ ସଂଖ୍ୟକ ଡାକ୍ତର ଓ କର୍ମଚାରୀଙ୍କ ଆବଶ୍ୟକତା ରହିଥିବା ଦାବି ହୋଇଛି।

ସମ୍ବନ୍ଧିତ ଖବର