ସରକାରଙ୍କ ମାଗଣା ସ୍ୱାସ୍ଥ୍ୟ ଯୋଜନା ବାଟବଣା

କିଡ୍‌ନି ରୋଗୀଙ୍କୁ ମିଳୁନି ହେପାଟାଇଟିସ୍‌ ଇଞ୍ଜେକ୍‌ସନ୍‌

ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକତ୍ସାଳୟରେ ଡାଏଲିସିସ୍‌ ରୋଗୀଙ୍କୁ ହେପାଟାଇଟିସ୍‌-ବି ଓ ଇପିଓ ଇଞ୍ଜେକସନ୍‌ ଦୀର୍ଘ ୬ ମାସ ହେଲା ମିଳୁନାହିଁ। ଏହାକୁ ନେଇ ରୋଗୀମାନଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ‘ନିରାମୟ’ ଯୋଜନାରେ ଡାଏଲିସିସ୍ ହେଉଥିବା ରୋଗୀମାନଙ୍କୁ ଆବଶ୍ୟକତା ମୁତାବକ ଇପିଓ, ହେପାଟାଇଟିସ୍‌-ବି ଇଞ୍ଜେକସନ୍ ସରକାରଙ୍କ ପକ୍ଷରୁ ମାଗଣା ଦିଆଯିବାର ବ୍ୟବସ୍ଥା ରହିଛି। ମାତ୍ର ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ଆସୁଥିବା କିଡ୍‌ନି ରୋଗୀମାନଙ୍କୁ ଏହି ଇଞ୍ଜେକ୍‌ସନ ମିଳିପାରୁନାହିଁ। ମେଡିକାଲ କର୍ତୃପକ୍ଷ ଏହା ଯୋଗାଉ ନଥିବାରୁ ରୋଗୀମା‌େନ ବାହାରୁ କିଣି ଖର୍ଚାନ୍ତ ହେଉଛନ୍ତି। ଯେଉଁ ରୋଗୀମାନେ ଏହା ଦେବା ପାଇଁ ଦାବି କରୁଛନ୍ତି, ସେମାନଙ୍କୁ ଡାଏଲିସିସ୍ ବିଭାଗର କର୍ମଚାରୀମାନେ ବାହାରୁ କିଣି ଆଣିବା ପାଇଁ କହୁଥିବା ଅଭିଯୋଗ ହେଉଛି। ଅପରପକ୍ଷେ ଇପିଓ ଇଞ୍ଜେକସନ୍‌ର ଦାମ୍‌ ଅଧିକ ରହିଥିବାରୁ ଗରିବ ରୋଗୀମାନେ ଇଞ୍ଜେକସନ୍‌ କିଣିବା ସମ୍ଭବ ହେଇପାରୁନାହିଁ।

ସୂଚନା ଅନୁଯାୟୀ, ରାଜ୍ୟ ସରକାରଙ୍କ ପକ୍ଷରୁ ‘ସହାୟ’ ଯୋଜନାରେ ମାଗଣାରେ କିଡ୍‌ନି ରୋଗୀଙ୍କୁ ଡାଏଲିସିସ୍‌ ସୁବିଧା ଗତ ଏପ୍ରିଲ ମାସ ୨୦୧୮ରୁ ଡାଏଲିସିସ୍‌ ପିପିପି ମୋଡ୍‌ରେ ଚିକିତ୍ସାଳୟରେ ଆରମ୍ଭ ହୋଇଛି। ଚିକିତ୍ସାଳୟରେ ଏହି ସେବା ଆରମ୍ଭ ହେବା ପରେ ୩ଟି ସିଫ୍‌ଟରେ ୩୬ ଜଣ କିଡ୍‌ନି ରୋଗୀଙ୍କୁ ପ୍ରତିଦିନ ଡାଏଲିସିସ୍‌ କରାଯାଉଛି। ତେବେ ଜିଲ୍ଲାରେ କିଡ୍‌ନି ରୋଗୀଙ୍କ ସଖ୍ୟା ବୃଦ୍ଧି ପାଉଥିବାରୁ ସବୁବେଳେ ଡାଏଲିସିସ୍ ପାଇଁ ୪୦/୫୦ ରୋଗୀ ଅପେକ୍ଷାରେ ରହୁଛନ୍ତି। ଡାଏଲିସିସ୍‌ କରୁଥିବା ରୋଗୀମାନଙ୍କୁ ହେପାଟାଇଟିସ୍‌-ବି ଓ ଇପିଓ ଇଞ୍ଜେକସନ୍‌ ଦିଆଯିବା ବାଧ୍ୟତାମୂଳକ ହୋଇଥିବା ଜ‌ଣେ ଡାକ୍ତର କହିଛନ୍ତି। ମେଡିକାଲ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ଗତ ୩ ମାସ ମଧ୍ୟରେ ୨୫ ଶହରୁ ଅଧିକ ଡାଏଲିସିସ୍‌ ହେ‌ାଇଥିବା ବେ‌ଳେ ସେଥିମଧ୍ୟରୁ ମାତ୍ର ୨୨ ଜଣ ଇପିଓ ଇଞ୍ଜେକ୍ସନ ନେଇଛନ୍ତି। ତାହା ପୁଣି ସେମାନେ କିଣି ଏହି ଇଞ୍ଜେକ୍‌ସନ ନେଇଛନ୍ତି। ଏହି ଇଞ୍ଜେକ୍‌ସନର ଦାମ ୧୦୦୦ରୁ ୧୫୦୦ ଟଙ୍କା ମଧ୍ୟରେ ପଡ଼ୁଛି। ପାୱାର ଅନୁଯାୟୀ ଇଞ୍ଜେକ୍‌ସନର ଦାମ ଅଲଗା ଅଲଗା ରହିଛି। ଶରୀରରେ ରକ୍ତ ତିଆରି ପାଇଁ ଏହି ଇଞ୍ଜେକ୍‌ସନର ଆବଶ୍ୟକତା ପଡ଼ିଥାଏ। ଗରିବ ରୋଗୀମାନଙ୍କ କ୍ଷେତ୍ରରେ ଏହି ଦାମୀ ଇଞ୍ଜେକ୍‌ସନ କିଣିବା ସମ୍ଭବ ହେଉ ନାହିଁ। ଅପରପକ୍ଷରେ ରକ୍ତଭଣ୍ଡାରରେ ରକ୍ତର ଅଭାବ ଯୋଗୁଁ ସବୁବେଳେ ଦରକାର ମୁତାବକ ରକ୍ତ ଯୋଗାଇବା ବି ସମ୍ଭବ ହୋଇପାରୁନଥିବା କୁହାଯାଇଛି।

ଉଲ୍ଲେଖଯୋଗ୍ୟ ଯେ, ଅନୁଗୁଳ ଜିଲ୍ଲାରେ କାୟା ବିସ୍ତାର କରୁଛି କିଡ୍‌ନି ରୋଗ। ଗତ ୧୫ ମାସ ମଧ୍ୟରେ କିଡନି ରୋଗରେ ୩୭ ଜଣଙ୍କର ମୃତ୍ୟୁ ଘଟିଛି। ତେବେ ୨୦୧୯ ଜାନୁଆରିରୁ ଏପର୍ଯ୍ୟନ୍ତ ୯ଜଣ ରୋଗୀଙ୍କ ପ୍ରାଣହାନି ଘଟିଲାଣି। ଏହି ୯ ଜଣଙ୍କ ମଧ୍ୟରୁ ବଅଁରପାଳ ଅଂଚଳର ୪ ଜଣ ରୋଗୀ ରହିଥିବା ବେଳେ ଅନୁଗୁଳର ୩ ଜଣ ଏବଂ ତାଳଚେର ଅଂଚଳର ୨ ଜଣ ରୋଗୀ ରହିଛନ୍ତି। ତେବେ ଜିଲ୍ଲାର ତାଳଚେର, ବଅଁରପାଳ ଅଂଚଳରେ କିଡ୍‌ନି ରୋଗୀଙ୍କ ସଂଖ୍ୟା ଅଧିକ ରହିଛି। ଏ ସମ୍ପର୍କରେ ସିଡିଏମ୍‌ଓ ଡା. ପ୍ରତାପ ବେହେରାଙ୍କୁ ପଚାରିବାରୁ ସେ କହିଲେ, ଓଏମ୍‌ସିଏଲ୍‌ ମାସକୁ ମାତ୍ର ୨୦୦ଟି ଇଞ୍ଜେକ୍ସନ୍‌ ଯୋଗାଇ ଦେଉଛି। ଇଞ୍ଜେକ୍ସନ୍‌ର ଦାମ୍‌ ବହୁତ ଅଧିକ ଥିବାରୁ କିଣିକରି ଯୋଗାଇବା ସମ୍ଭବ ହୋଇପାରୁନି ବୋଲି ଡାକ୍ତର ବେହେରା କହିଛନ୍ତି।

ସମ୍ବନ୍ଧିତ ଖବର