ଅନ୍ଦୋଳନକାରୀ ନର୍ସମାନଙ୍କୁ ଚେତାବନୀ: ୨୪ ଘଣ୍ଟା ମଧ୍ୟରେ କାର୍ଯ୍ୟରେ ଯୋଗ ନ ଦେଲେ ବହିଷ୍କାର

ଭୁବନେଶ୍ୱର,: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଯଦି ଆନ୍ଦୋଳନରତ ଠିକା ନର୍ସ ମାନେ କାର୍ଯ୍ୟରେ ଯୋଗ ନ ଦିଅନ୍ତି ତେବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଆବଶ୍ୟକ ପଡ଼ିଲେ ସରକକାରଙ୍କ ନିର୍ଦେଶକୁ ମାନୁ ନ ଥିବା ଆନ୍ଦୋଳନକାରୀ ନର୍ସମାନଙ୍କୁ ବହିଷ୍କାର କରାଯିବ ବୋଲି ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିସନ୍‌ର ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ କହିଛନ୍ତି। ଏହି ମର୍ମରେ ଆଜି ସରକାରଙ୍କ ପକ୍ଷରୁ ଆନ୍ଦୋଳନକାରୀ ନର୍ସମାନଙ୍କୁ ସୂଚନା ଦିଆଯାଇଥିବା ଜଣାପଡ଼ିିଛି।
ସୂଚନା ଯୋଗ୍ୟ ଯେ ଦାବି ପୂରଣରେ ଅଡ଼ି ବସିଛନ୍ତି ଠିକା ନର୍ସ। ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା ଓ ପ୍ରତିଶ୍ରୁତି ପରେ ମଧ୍ୟ ତାହାର କୌଣସି ପ୍ରଭାବ ଆନ୍ଦୋଳନ ଉପରେ ପଡ଼ିନି। ବରଂ ଆହୁରି ତୀବ୍ର ହୋଇଛି ଠିକା ନର୍ସଙ୍କ ଆନ୍ଦୋଳନ। ବୁର୍ଲାରୁ କଟକ, ଭୁବନେଶ୍ୱରରୁ ବ୍ରହ୍ମପୁର, ସବୁଠି ନର୍ସମାନେ କାର୍ଯ୍ୟ ବନ୍ଦ ଜାରି ରଖିଛନ୍ତି। ଯେଉଁଥିପାଇଁ ସାରା ରାଜ୍ୟରେ ରୋଗୀ ସେବା ବିଗିଡ଼ି ଗଲାଣି। ପରିସ୍ଥିତି ଦିନକୁ ଦିନ ଖରାପ ହେଉଥିବାରୁ ରୋଗୀମାନେ ଏବେ ସରକାରୀ ମେଡିକାଲ ଛାଡ଼ି ଏବେ ଘରୋଇ ହସ୍ପିଟାଲ ମୁହାଁ ହୋଇଛନ୍ତି। ରାଜ୍ୟର ୩ଟି ଯାକ ପ୍ରମୁଖ ମେଡିକାଲରେ ରୋଗୀଙ୍କୁ ସେବା ଯୋଗାଇବାକୁ ନର୍ସ ନାହାନ୍ତି। ଯେଉଁ ଅସ୍ଥାୟୀ ନର୍ସ କାର୍ଯ୍ୟ କରୁଛନ୍ତି ସେମାନଙ୍କ ପକ୍ଷେ ବି ଦିନ ରାତି ୨୪ ଘଣ୍ଟା ସେବା ଯୋଗାଇବା ସମ୍ଭବପର ହେଉ ନାହିଁ। କଟକ ଶିଶୁ ଭବନରେ ବି ନର୍ସମାନେ ଆନ୍ଦୋଳନରେ ସାମିଲ ହୋଇଥିବାରୁ ଛୋଟ ପିଲାଙ୍କୁ ଚିକିତ୍ସା ଯୋଗାଇ ଦିଆଯାଇ ପାରୁନି। ଏପରିକି ଆଜି ନର୍ସିଂ ଛାତ୍ରମାନଙ୍କୁ ଶିଶୁଭବନରେ କାର୍ଯ୍ୟ କରିବା ପାଇଁ ଡକାଯାଇତଇଲା। ମାତ୍ର ଆନ୍ଦୋଳନକାରୀ ନର୍ସମାନେ ସେମାନଙ୍କୁ ଭିତରକୁ ଛାଡ଼ି ନ ଥିଲେ। ଜିଲ୍ଲା ମେଡିକାଲଗୁଡ଼ିକରେ ବି ସମାନ ଅବସ୍ଥା ଉପୁଜିଛି।
ଲୋୟର ପିଏମ୍‌ଜିରେ ଧାରଣା ଦେଇଥିବା ନର୍ସମାନଙ୍କ କହିବା କଥା ହେଲା ସ୍ୱାସ୍ଥ୍ୟମନ୍ତ୍ରୀ ବାରମ୍ବାର ପ୍ରତିଶ୍ରୁତି ଦେଇଛନ୍ତି। ଏହା ପୂର୍ବରୁ ମଧ୍ୟ ଦାବି ପୂରଣ କରାଯିବ ବୋଲି କହିଥିଲେ। ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନେଇ ନ ଥିବାରୁ ଆନ୍ଦୋଳନକୁ ଓହ୍ଲାଇଛୁ। କୌଣସି ପରିସ୍ଥିତିରେ ପଛକୁ ହଟିବୁ ନାହିଁ। ଦାବିଗୁଡ଼ିକ ପୂରଣ କରିବା ଲାଗି ମନ୍ତ୍ରୀ ଯେଉଁ କଥା କହୁଛନ୍ତି ତାହାକୁ ଲିଖିତ ଆକାରରେ ଦିଅନ୍ତୁ। ନ ହେଲେ ଆନ୍ଦୋଳନ ସେଭଳି ଜାରି ରହିବ। ୨୫୦୦ ନର୍ସ ପେଟରେ ଓଦା କନା ଦେଇ ଆଉ କେତେଦିନ ଏଭଳି କାର୍ଯ୍ୟ କରିବୁ ବୋଲି ସେମାନେ କହିଛନ୍ତି।

ସମ୍ବନ୍ଧିତ ଖବର