ରକ୍ତ ଭଣ୍ଡାର କର୍ମଚାରୀଙ୍କୁ ସରକାରଙ୍କ ଅଣଦେଖା 

ସମ୍ବଲପୁର: ରକ୍ତଭଣ୍ଡାର ଜରିଆରେ ରକ୍ତ ଯୋଗାଇଦେଇ ରୋଗୀମାନଙ୍କୁ ଜୀବନ ବଞ୍ଚାଇବାରେ ପ୍ରମୁଖ ଭୂମିକା ନେଉଛନ୍ତି ରକ୍ତଭଣ୍ଡାର କର୍ମଚାରୀ।‌ ହେଲେ, ସାମାଜିକ ସୁରକ୍ଷା ତ ଭିନ୍ନ କଥା ସାମାନ୍ୟତମ ସରକାରୀ ସୁବିଧା ପାଉନଥିବା ରକ୍ତଭଣ୍ଡାର କର୍ମଚାରୀମାନଙ୍କ ଜୀବନ ଏବେ ଦୁର୍ବିସହ ହୋଇପଡ଼ିଛି। ରାଜ୍ୟ ସରକାର ସେମାନଙ୍କୁ ସ୍ଥାୟୀ ନିଯୁକ୍ତି ଦେବା ବଦଳରେ ରାଜ୍ୟର ୧୪୪ ଜଣ କର୍ମଚାରୀଙ୍କ ଚୁକ୍ତିଭିତ୍ତିକ ନିଯୁକ୍ତ ବ୍ୟବସ୍ଥାକୁ ଉଚ୍ଛେଦକରି ଦିନମଜୁରିଆ କରିଦେଇଛନ୍ତି। ସରକାରଙ୍କ ଏଭଳି ବିଚିତ୍ର ନୀତିକୁ ନେଇ ରକ୍ତଭଣ୍ଡାରର କର୍ମଚାରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ଆଗରୁ ରାଜ୍ୟର ରକ୍ତଭଣ୍ଡାରଗୁଡ଼ିକ ରେଡ଼କ୍ରସ ସୋସାଇଟି ଦ୍ବାରା ପରିଚାଳିତ ହୋଇଥିଲା। ଗତ ୨୯ ସେପ୍‌ଟେମ୍ବର ୨୦୧୭ରେ ପତ୍ରସଂଖ୍ୟା ୨୪୭୨୧ ଜରିଆରେ ଓଡ଼ିଶା ସରକାର ରାଜ୍ୟର ୫୭ଟି ରକ୍ତଭଣ୍ଡାରକୁ ନିଜ ଅଧୀନରେ ନେଇଗଲେ। ହେଲେ, ରକ୍ତଭଣ୍ଡାର ଚଳାଉଥିବା ରାଜ୍ୟର ଅସ୍ଥାୟୀ କର୍ମଚାରୀଙ୍କ ଭବିଷ୍ୟତ ବିଷୟରେ କୌଣସି ଚିନ୍ତା କଲେ ନାହିଁ। ଏହି ଅସ୍ଥାୟୀ କର୍ମଚାରୀମାନଙ୍କୁ ସରକାରୀ କର୍ମଚାରୀମାନଙ୍କ ଭଳି ବେତନ ଓ ଅନ୍ୟାନ୍ୟ ସୁବିଧା ପ୍ରଦାନ, ୨୪ ଘଣ୍ଟିଆ ଜରୁରୀକାଳୀନ ସେବାରେ ନିୟୋଜିତ ଥିବାରୁ ଡାକ୍ତରଖାନା ପରିସରରେ ସରକାରୀ କ୍ବାର୍ଟସ ଯୋଗାଇ ଦେବା ପାଇଁ ଓଡ଼ିଶା ରାଜ୍ୟ ରକ୍ତଭଣ୍ଡାର କର୍ମଚାରୀ ସଂଘ ରାଜ୍ୟ ସରକାରଙ୍କଠାରେ ବାରଂବାର ଦାବି କରିଆସୁଛି।

୨୦୧୮ ମସିହାରୁ ଏପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ସହିତ ଅନେକ ଥର ଆଲୋଚନା ହୋଇଛି। କର୍ମଚାରୀମାନେ ଆନ୍ଦୋଳନକୁ ମଧ୍ୟ ଓହ୍ଲାଇଛନ୍ତି। ବିଭିନ୍ନ ସମୟରେ ଅନେକ ଥର ସ୍ବାସ୍ଥ୍ୟମନ୍ତ୍ରୀ ଓ ସ୍ବାସ୍ଥ୍ୟ ସଚିବଙ୍କୁ ଭେଟି ଗୁହାରି କରିବା ପରେ ବି ସରକାର ନିରବ ରହିଥିଲେ। ନିକଟରେ ରାଜ୍ୟ ସରକାର ବିଭିନ୍ନ ବିଭାଗର ୫୪ ହଜାର ଅସ୍ଥାୟୀ କର୍ମଚାରୀଙ୍କୁ ସ୍ଥାୟୀ କରିଛନ୍ତି। ରକ୍ତଭଣ୍ଡାରର କର୍ମଚାରୀମାନେ ମଧ୍ୟ ସରକାର ସେମାନଙ୍କ ପ୍ରତି କୃପାଦୃଷ୍ଟି ପକାଇବେ ଏବଂ ସେମାନେ ସ୍ଥାୟୀ ହେବେ ବୋଲି ଆଶା ରଖିଥିଲେ। ମାତ୍ର, ସେଭଳି କିଛି ହେଲା ନାହିଁ। ପାଲଟା ଗତ ୧୫ ନ‌ଭେମ୍ବରର ପତ୍ର ସଂଖ୍ୟା ୯୮୪ ଓ ୯୮୫ ଜରିଆରେ ଚୁକ୍ତିଭିତ୍ତିକ ନିଯୁକ୍ତି ବ୍ୟବସ୍ଥା ଉଚ୍ଛେଦ କରାଯିବା ସହିତ ଦୀର୍ଘ ୨୦ ବର୍ଷ ହେଲା କାମ କରୁଥିବା ୧୪୪ କର୍ମଚାରୀଙ୍କୁ ଦିନ ମଜୁରିଆ ଭାବେ ବିବେଚନା କରାଯିବାକୁ କହାଯାଇଛି।

ଏହା ଦ୍ବାରା ସରକାର ଇପିଏଫ୍‌, ସାମାଜିକ ସୁରକ୍ଷା ସହିତ ଦରମା ବୃଦ୍ଧିର ବାଟ ବି ବନ୍ଦ କରିଦେଇଛନ୍ତି। ଏହାକୁ ନେଇ ଓଡ଼ିଶା ରାଜ୍ୟ ରକ୍ତଭଣ୍ଡାର କର୍ମଚାରୀ ସଂଘ ଉଦ୍‌ବେଗ ପ୍ରକାଶ କରିଛି। ସଂଘର ରାଜ୍ୟ ସଭାପତି ମଳୟ କୁମାର ବେହେରା ୭ ଦଫା ଦାବି ପୂରଣ କରାନଗଲେ ଆମରଣ ଅନଶନ କରିବାକୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିସନର ତଥା ସଚିବଙ୍କୁ ଦେଇଥିବା ପତ୍ରରେ ଚେତାବନୀ ଦେଇଛନ୍ତି। ଦିନମଜୁରିଆ ପରିବର୍ତ୍ତେ ମାସିକ ନିର୍ଦ୍ଦିଷ୍ଟ ଦରମା ପ୍ରଦାନ, ବାର୍ଷିକ ଦରମା ବୃଦ୍ଧି ବ୍ୟବସ୍ଥା, ରାଜ୍ୟ ବଜେଟରୁ ମାସିକ ଦରମା ପ୍ରଦାନ ବ୍ୟବସ୍ଥା, ସିଏଲ୍‌/ଇଏଲ୍‌/ ଲିଭ୍‌ ଆଦି ବିଜ୍ଞପ୍ତିରେ ଦର୍ଶାଯାଉ, ଚାକିରିକୁ ନିୟମିତ କରାଯିବା, ସମାନ କାମକୁ ସମାନ ଦରମା ନୀତି ଲାଗୁ କରାଯିବା,  ସାମାଜିକ ସୁରକ୍ଷା ପ୍ରଦାନ, ପେନ୍‌ସନ୍‌ ତଥା ସ୍ବାସ୍ଥ୍ୟ ବିଭାଗର ଅନ୍ୟ କର୍ମଚାରୀଙ୍କ ଭଳି ସୁବିଧା ଦେବାକୁ ଦାବି କରାଯାଇଛି।

ସମ୍ବନ୍ଧିତ ଖବର