ଲୋକଙ୍କ ଜୀବନ ବଞ୍ଚାଉଥିବା ରକ୍ତ ଭଣ୍ଡାର କର୍ମଚାରୀଙ୍କୁ ସରକାରଙ୍କ ଅଣଦେଖା

ସମ୍ବଲପୁର : ରକ୍ତଭଣ୍ଡାର ଜରିଆରେ ରକ୍ତ ଯୋଗାଇଦେଇ ରୋଗୀମାନଙ୍କୁ ଜୀବନ ବଞ୍ଚାଇବାରେ ପ୍ରମୁଖ ଭୂମିକା ନେଉଛନ୍ତି ରକ୍ତଭଣ୍ଡାର କର୍ମଚାରୀ।‌ ହେଲେ, ସାମାଜିକ ସୁରକ୍ଷା ତ ଭିନ୍ନ କଥା ସାମାନ୍ୟତମ ସରକାରୀ ସୁବିଧା ପାଉନଥିବା ରକ୍ତଭଣ୍ଡାର କର୍ମଚାରୀମାନଙ୍କ ଜୀବନ ଏବେ ଦୁର୍ବିସହ ହୋଇପଡ଼ିଛି।

ଆଗରୁ ରାଜ୍ୟର ରକ୍ତଭଣ୍ଡାରଗୁଡ଼ିକ ରେଡ଼କ୍ରସ ସୋସାଇଟି ଦ୍ବାରା ପରିଚାଳିତ ହୋଇଥିଲା। ଗତ ୨୯ ସେପ୍‌ଟେମ୍ବର ୨୦୧୭ରେ ପତ୍ରସଂଖ୍ୟା ୨୪୭୨୧ ଜରିଆରେ ଓଡ଼ିଶା ସରକାର ରାଜ୍ୟର ୫୭ଟି ରକ୍ତଭଣ୍ଡାରକୁ ନିଜ ଅଧୀନରେ ନେଇଗଲେ। କିନ୍ତୁ, ରାଜ୍ୟ ସରକାର ରକ୍ତଭଣ୍ଡାର ଅସ୍ଥାୟୀ କର୍ମଚାରୀଙ୍କ ରାଜ୍ୟର ୧୮୦ ଜଣ ଅସ୍ଥାୟୀ କର୍ମଚାରୀଙ୍କ ଭବିଷ୍ୟତ ବିଷୟରେ କୌଣସି ଚିନ୍ତା କଲେ ନାହିଁ। ଏହି ଅସ୍ଥାୟୀ କର୍ମଚାରୀମାନଙ୍କୁ ସରକାରୀ କର୍ମଚାରୀମାନଙ୍କ ଭଳି ବେତନ ଓ ଅନ୍ୟାନ୍ୟ ସୁବିଧା ପ୍ରଦାନ, ୨୪ ଘଣ୍ଟିଆ ଜରୁରୀକାଳୀନ ସେବାରେ ନିୟୋଜିତ ଥିବାରୁ ଡାକ୍ତରଖାନା ପରିସରରେ ସରକାରୀ କ୍ବାର୍ଟସ ଯୋଗାଇ ଦେବା ପାଇଁ ସଂଘ ରାଜ୍ୟ ସରକାରଙ୍କଠାରେ ବାରଂବାର ଦାବି କରିଆସୁଛି। ଆଗରୁ ରକ୍ତଭଣ୍ଡାରରୁ ରକ୍ତ ନେଉଥିବା ରୋଗୀମାନେ ଫି’ ଦେଉଥି‌ଲେ। ସେହି ଫି’ ବାବଦକୁ ମିଳୁଥିବା ଅର୍ଥରାଶିରୁ ଏହି ଅସ୍ଥାୟୀ କର୍ମଚାରୀମାନେ ଦରମା ପାଉଥିଲେ। ସରକାର ରକ୍ତଭଣ୍ଡାରଗୁଡ଼ିକୁ ନିଜ ଅଧୀନକୁ ନେବା ପରେ ସରକାରୀ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ରୋଗୀମାନଙ୍କୁ ମାଗଣାରେ ରକ୍ତ ଯୋଗାଇ ଦିଆଯାଉଛି। କେବଳ ନର୍ସିଂହୋମ୍‌ ଓ ଘରୋଇ ଡାକ୍ତରଖାନାଗୁଡ଼ିକରେ ଚିକିତ୍ସିତ ହେଉଥିବା ରୋଗୀମାନେ ରକ୍ତନେବା ବେଳେ ଫି’ ଦେଉଛନ୍ତି। ଏଥିରୁ ପ୍ରାପ୍ତ ଅର୍ଥରାଶିରୁ ଅସ୍ଥାୟୀ କର୍ମଚାରୀମାନଙ୍କୁ ଦରମା ଦିଆଯାଉଛି। ୨୦୧୮ ମସିହାରୁ ଏପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ସହିତ ଅନେକ ଥର ଆଲୋଚନା ହୋଇଛି। କର୍ମଚାରୀମାନେ ଆନ୍ଦୋଳନ ମଧ୍ୟ କରିଛନ୍ତି। ବିଭିନ୍ନ ସମୟରେ ଅନେକ ଥର ସ୍ବାସ୍ଥ୍ୟମନ୍ତ୍ରୀ ଓ ସ୍ବାସ୍ଥ୍ୟ ସଚିବଙ୍କୁ ଭେଟିବା ପରେ ବି କିଛି ଲାଭ ହୋଇନାହିଁ। ଗତକାଲି ଓଡ଼ିଶା ରାଜ୍ୟ ରକ୍ତଭଣ୍ଡାର କର୍ମଚାରୀ ସଂଘ ପକ୍ଷରୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ଏକ ଦାବିପତ୍ର ଦିଆଯାଇଛି। ଏଥିରେ ସମାନ କାମକୁ ସମାନ ଦରମା ଦେବାକୁ ଦାବି କରାଯାଇଛି। ଶୀଘ୍ର ଦାବିପୂରଣ କରାନଗଲେ ଆସନ୍ତା ୧୨ ତାରିଖରୁ କଳା ବ୍ୟାଜ୍ ପିନ୍ଧି କାମ କରିବେ ବୋଲି ସଂଘର ସଭାପତି ମଳୟ ‌ବେହେରା ସୂଚନା ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ଗତ ବର୍ଷ ମେ ମାସରେ ଓଡ଼ିଶା ରାଜ୍ୟ ରକ୍ତଭଣ୍ଡାର କର୍ମଚାରୀ ସଂଘର ସାଧାରଣ ସଂପାଦକ ଭାବ‌େ କର୍ମଚାରୀମାନଙ୍କ ପାଇଁ ସଂଗ୍ରାମ କରୁଥିବା ଅନୁଗୁଳ ସରକାରୀ ରକ୍ତଭଣ୍ଡାରର ରମଣି ରଂଜନ ଗଡ଼ନାୟକଙ୍କ ଆକସ୍ମିକ ବିୟୋଗ ଘଟିଥିଲା। ରୋଗରେ ଆକ୍ରାନ୍ତ ହେବା ପରେ ସେ ଲମ୍ବା ସମୟ ପର୍ଯ୍ୟନ୍ତ ଜୀବନ ସହିତ ସଂଗ୍ରାମ କରିଥିଲେ। ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିବା ରମଣିଙ୍କ ବିୟୋଗ ପରେ ତାଙ୍କ ଛୋଟ ଛୋଟ ଦୁଇ ସନ୍ତାନ ଓ ପତ୍ନୀ ଅସହାୟ ହୋଇପଡ଼ିଛନ୍ତି। ସେହିପରି ଗତ ବର୍ଷ ଅକ୍ଟୋବର ୨୯ ତାରିଖ ଦିନ ସମ୍ବଲପୁର ରକ୍ତଭଣ୍ଡାରର କର୍ମଚାରୀ ଶାନ୍ତନୁ ପ୍ରଧାନଙ୍କ ମଧ୍ୟ ଜୀବନଯୁଦ୍ଧରେ ହାରିଗଲେ। ସେ ମଧ୍ୟ ତାଙ୍କ ପଛରେ ୨ ସନ୍ତାନ ଓ ପତ୍ନୀଙ୍କୁ ଛାଡ଼ି ଯାଇଛନ୍ତି। ରମଣିଙ୍କ ଭଳି ଶାନ୍ତନୁଙ୍କ ପରିବାର ମଧ୍ୟ ଅତ୍ୟନ୍ତ ଅସହାୟ ଅବସ୍ଥାରେ ରହିଛନ୍ତି। ଏହା ପୂର୍ବରୁ ଅଭାବ ଅସୁବିଧା ସହିତ ଲଢ଼େଇ କରିଆସୁଥିବା କୁଚିଣ୍ଡା ରକ୍ତଭଣ୍ଡାରର କର୍ମଚାରୀ ଶୈଳସୁଧା ମହାକୁଡ଼ଙ୍କ ଗତ ୨୭ ଜାନୁଆରିରେ ଦୁଃଖଦ ମୃତ୍ୟୁ ଘଟିଥିଲା। ସେ ବି ତାଙ୍କ ପଛରେ ପୁତ୍ର ଓ ସ୍ବାମୀଙ୍କୁ ଛାଡ଼ି ଯାଇଛନ୍ତି। କର୍ମଚାରୀମାନଙ୍କ ମୃତ୍ୟୁ ସହିତ ପରିବାରର ଆୟର ବାଟ ବି ବନ୍ଦ ହୋଇଯାଇଛି। ସରକାରୀ ମାନ୍ୟତା ମିଳିନଥିବାରୁ ରକ୍ତଭଣ୍ଡାର କର୍ମଚାରୀଙ୍କ ମୃତ୍ୟୁ ପରେ ସେମାନଙ୍କ ପରିବାରବର୍ଗକୁ ଘୋର ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି ବୋଲି ରକ୍ତଭଣ୍ଡାର କର୍ମଚାରୀ ସଂଘ ପକ୍ଷରୁ କହାଯାଇଛି।

ସମ୍ବନ୍ଧିତ ଖବର