ପ୍ରାଣୀଧନ ନିରୀକ୍ଷକଙ୍କ ପ୍ରତି ସରକାର ଉଦାସୀନ

ମିଳୁନି ପଦୋନ୍ନତି; ଯେଉଁ ପଦରେ ଜଏନ୍‌, ସେହି ପଦରେ ଅବସର

କଟକ: ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ଅଧୀନରେ ଥିବା ପ୍ରାଣୀଧନ ନିରୀକ୍ଷକ (ଏଲ୍‌ଆଇ)ଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। କ୍ୟାଡର୍‌ ପୁନର୍ଗଠନ କରାଯାଉ ନଥିବାରୁ ଏଲ୍‌ଆଇମାନେ ଯେଉଁ ପଦବିରୁ ଚାକିରି ଆରମ୍ଭ କରୁଛନ୍ତି ସେଇଥିରେ ହିଁ ଅବସର ନେଉଛନ୍ତି। କ୍ୟାଡର୍‌ ପୁନର୍ଗଠନ ଦାବି ପ୍ରତି ବିଭାଗ କର୍ଣ୍ଣପାତ କରୁନି। ମୂଳ ପଦବିର ୩୦ପ୍ରତିଶତ ପ୍ରଥମ ପଦୋନ୍ନତି ପଦବି ରହିବାର ସରକାରୀ ନିୟମ ଥିଲେ ବି ଏହି ପଦବିରେ ମାତ୍ର ୧.୪୪ ପ୍ରତିଶତ ରହିଛି। ସମାନ କ୍ୟାଡର୍‌ର ଫାର୍ମାସିଷ୍ଟ, ଗ୍ରାମ କୃଷିକର୍ମୀ ଆଦିଙ୍କ ପାଇଁ ତିନିଥାକିଆ ପଦୋନ୍ନତି ସୁବିଧା ଥିବାବେଳେ ଏଲ୍‌ଆଇ ପଦ ପାଇଁ ଦୁଇଥାକିଆ ପଦୋନ୍ନତି ରହିଛି। ତାହା ମଧ୍ୟ ଠିକ୍‌ ଭାବେ ପାଳନ କରାଯାଉ ନଥିବା ନେଇ ଅଭିଯୋଗ କରିଛନ୍ତି ପ୍ରାଣୀଧନ ନିରୀକ୍ଷକମାନେ।

ଅଭିଯୋଗ ଅନୁଯାୟୀ ରାଜ୍ୟ ଓ କେନ୍ଦ୍ର ସରକାରଙ୍କର ଅଧିକ ଯୋଜନାର କାର୍ଯ୍ୟ ସୀମିତ ସମୟରେ କରାଯାଉଥିବା ବେଳେ କର୍ମଚାରୀ ଅଭାବରୁ ଅନେକ କଷ୍ଟ ସ୍ବୀକାର କରି ଯୋଜନାଗୁଡିକୁ ସଫଳ କରାଯାଉଛି। ହେଲେ କର୍ମଚାରୀଙ୍କ ସମସ୍ୟା ପ୍ରତି ସରକାର ନିରବଦ୍ରଷ୍ଟା ସାଜିଛନ୍ତି। ବିଭାଗରେ ୩୩୩୦ ପ୍ରାଣୀଧନ ନିରୀକ୍ଷକ ଆବଶ୍ୟକ ଥିବା ବେଳେ ଅଛନ୍ତି ମାତ୍ର ୧୩୫୧ଜଣ। ସେହିପରି ଭେଟ୍‌ନାରି ଟେକ୍ନିସିଆନ୍ ୬୬୭ ସ୍ଥାନରେ ୧୫୦ ଓ ଉପସହ-ପ୍ରାଣୀ ଚିକିତ୍ସକ ୪୮ ସ୍ଥାନରେ ୪୦ଜଣ ଅଛନ୍ତି। ତୁରନ୍ତ ସରକାର ଏ ଦିଗରେ ଦୃଷ୍ଟିପାତ କରି ସମସ୍ୟାର ସମାଧାନ ନକଲେ ଅସନ୍ତୋଷ ଆନ୍ଦୋଳନର ରୂପ ନେବ ବୋଲି ପ୍ରାଣୀଧନ ନିରୀକ୍ଷକମାନେ ଚେତାବନୀ ଦେଇଛନ୍ତି।

ରାଜ୍ୟର ପ୍ରାଣୀ ଚିକିତ୍ସା ଓ ପ୍ରାଣୀପାଳନ ବିଭାଗରେ ପ୍ରାଣୀଧନ ନିରୀକ୍ଷକମାନଙ୍କ ପରିଶ୍ରମ ଓ ସହଯୋଗ ଯୋଗୁଁ ଗ୍ରାମାଞ୍ଚଳରେ ଗରିବ ଓ ଭୂମିହୀନ ଚାଷୀ ସ୍ବାବଲମ୍ବୀ ହେବା ସହ ସେମାନଙ୍କ ଆର୍ଥିକ ବିକାଶ ସମ୍ଭବ ହୋଇଥାଏ। ବନ୍ୟା, ବାତ୍ୟ‌ା ସମୟରେ ଚାଷୀମାନଙ୍କ ପାଖରେ ସରକାରୀ କର୍ମଚାରୀ ଭାବରେ ଏମାନେ ପ୍ରଥମେ ପହଞ୍ଚି ଥାନ୍ତି ଓ ପଞ୍ଚାୟତ ସ୍ତରରେ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାର ସଫଳ ରୂପାୟନରେ ଏ‌ମାନେ ପ୍ରମୁଖ ସହଯୋଗ ଦେଇଥାନ୍ତି। କିନ୍ତୁ ଦୀର୍ଘ ୫୦ ବର୍ଷ ହେବ‌ କ୍ୟାଡର ପୁନର୍ଗଠନ ହୋଇ ନ ପାରିବା ଯୋଗୁଁ ଜଣେ ପ୍ରାଣୀଧନ ନିରୀକ୍ଷକ ଭାବେ ନିଯୁକ୍ତି ପାଇ ସେହି ପ୍ରାଣୀଧନ ନିରୀକ୍ଷକରେ ଅବସର ନେଉଛି। ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ପ୍ରଦୀପ ମହାରଥୀଙ୍କ ପ୍ରକୋଷ୍ଠରେ ପ୍ରାଣୀଧନ ନିରୀକ୍ଷକ ସଂଘ ସହିତ ଆଲୋଚନା କରି ୬ଦଫା ଦାବିକୁ ୪ ମାସ ମଧ୍ୟରେ ପୂରଣ କରିବା ପାଇଁ ୨୦୧୭ ମସିହାରେ ଲିଖିତ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ଦାବି ପୂରଣ ହୋଇନି। ୬ଦଫା ଦାବି ମଧ୍ୟରେ କ୍ୟାଡର ପୁନର୍ଗଠନ ମୁଖ୍ୟ ଦାବି ଥିବା ବେଳେ ତାହା ଏଯାଏ ସମ୍ଭବ ହୋଇପାରିନି।

ସମ୍ବନ୍ଧିତ ଖବର