ସମସ୍ତ ଜିଲ୍ଲାପାଳଙ୍କୁ ପଠାଗଲା ମାର୍ଗଦର୍ଶିକା
ଭୁବନେଶ୍ୱର : ଅନୁସୂଚିତ ଜନଜାତି ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀଙ୍କ ପ୍ରତି ହେଉଥିବା ଅସଦାଚରଣ ନେଇ ସରକାର ଚିନ୍ତିତ। ଏହା ଉପରେ ଅଙ୍କୁଶ ଲଗାଇବା ଉଦ୍ଦେଶ୍ୟରେ ଆଜି ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି(ଏସ୍ଟି ଓ ଏସ୍ସି) ଉନ୍ନୟନ ବିଭାଗ ମାର୍ଗଦର୍ଶିକା ପ୍ରସ୍ତୁତ କରିଛି। ଏହି ମାର୍ଗଦର୍ଶିକା ଅନୁସାରେ ଏଣିକି ରାଜ୍ୟ ଏସ୍ଟି ଓ ଏସ୍ସି ଉନ୍ନୟନ ବିଭାଗ ଅଧୀନରେ ଥିବା ସମସ୍ତ ଶିକ୍ଷାନୁଷ୍ଠାନରେ ନିୟମିତ ରୂପେ ପିତାମାତା/ଅଭିଭାବକ-ଶିକ୍ଷକ(ପିଟି) ବୈଠକ ଅନୁଷ୍ଠିତ ହେବ। ଏସବୁ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କ ନିରାପତ୍ତା, ସୁରକ୍ଷା ହେଉଛି ଏହାର ମୁଖ୍ୟ ଆଭିମୁଖ୍ୟ। ଏ ନେଇ ଆଜି ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ମାର୍ଗଦର୍ଶିକା ପଠାଯାଇଛି।
ଏ ନେଇ ବିଭାଗୀୟ ସଚିବ ସୁରେନ୍ଦ୍ର କୁମାର କହିଛନ୍ତି ଯେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଶିକ୍ଷାଦାନ ପ୍ରକ୍ରିୟା ତ୍ୱରାନ୍ଵିତ କରିବା ଦିଗରେ ସେମାନଙ୍କ ପିତାମାତା/ଅଭିଭାବକ ଏବଂ ଗୋଷ୍ଠୀଙ୍କର ପ୍ରମୁଖ ଭୂମିକା ରହିଛି। ସେମାନେ ଘରେ ଏବଂ ବିଦ୍ୟାଳୟରେ ସେମାନଙ୍କର ପିଲାଙ୍କ ସୁରକ୍ଷା, ନିରାପତ୍ତା ନିମନ୍ତେ ସହଯୋଗୀ ହେବେ। ଏ ଦିଗରେ ପିତାମାତା/ଅଭିଭାବକ ଏବଂ ଶିକ୍ଷକଙ୍କ ବୈଠକର ସ୍ୱରୂପ କିପରି ହେବ ସେ ନେଇ ମାର୍ଗଦର୍ଶିକାରେ ଉଲ୍ଲେଖ କରାଯାଇଛି। ସୂଚନାନୁସାରେ ରାଜ୍ୟରେ ବିଭାଗ ପକ୍ଷରୁ ୧୬୭୦ଟି ଆବାସିକ ଏସ୍ଟି, ଏସ୍ସି ଶିକ୍ଷାନୁଷ୍ଠାନ ପରିଚାଳନା କରାଯାଉଛି। ଏସବୁ ଶିକ୍ଷାନୁଷ୍ଠାନରେ ୫.୪ ଲକ୍ଷରୁ ଅଧିକ ଏସ୍ଟି, ଏସ୍ସି ଅଧ୍ୟୟନ କରୁଛନ୍ତିି। ସେମାନଙ୍କ ନିମନ୍ତେ ୬ ହଜାର ହଷ୍ଟେଲ୍ ରହିଛି।
ମାର୍ଗଦର୍ଶିକା ଅନୁଯାୟୀ ପ୍ରତି ଦୁଇମାସରେ ଥରେ ମାସର ଶେଷ ଶନିବାର ଏଭଳି ପିଟି ବୈଠକ କରାଯିବ। ଏଥିରେ ଛାତ୍ରଛାତ୍ରୀଙ୍କ ପିତାମାତା, ସ୍କୁଲ ପରିଚାଳନା କମିଟି ପ୍ରତିନିଧି, ଶିକ୍ଷକ, ଛାତ୍ର/ଛାତ୍ରୀ ପ୍ରତିନିଧି, ସଂପୃକ୍ତ ଅଞ୍ଚଳର ବିଧାୟକ କିମ୍ବା ତାଙ୍କ ପ୍ରତିନିଧି, ବିଭାଗର କ୍ଷେତ୍ରୀୟ ଅଧିକାରୀ ଅଂଶଗ୍ରହଣ କରିବେ। ଏଥିରେ ସାଧାରଣତଃ ୧୦୦ରୁ ୧୫୦ ସଂଖ୍ୟକ ପ୍ରତିନିଧି ଅଂଶଗ୍ରହଣ କରିବେ ବୋଲି ଆଶା କରାଯାଏ। ଯଦି ସ୍କୁଲର ଛାତ୍ରଛାତ୍ରୀ ସଂଖ୍ୟା ଅଧିକ ହୁଏ. ପିଟି ବୈଠକ ଦୁଇଦିନ ଧରି କରାଯାଇପାରେ। ଏଭଳି ବୈଠକର ଆୟୋଜନ ପାଇଁ ଏକ ସଂଗଠନ କମିଟି ଗଠନ କରାଯିବ। ସେଥିରେ ପ୍ରଧାନ ଶିକ୍ଷକ ଆବାହକ ଭାବେ, ସଦସ୍ୟ ଭାବେ ସଂପୃକ୍ତ ସ୍କୁଲରୁ ୨ଜଣ ଶିକ୍ଷକ, ସ୍କୁଲ ପରିଚାଳନା କମିଟିର ଅଧ୍ୟକ୍ଷ ଏବଂ ଉପାଧ୍ୟକ୍ଷ, ମଙ୍ଗଳ ସଂପ୍ରସାରଣ ଅଧିକାରୀ ଏବଂ ବିଧାୟକ କିମ୍ବା ତାଙ୍କ ପ୍ରତିନିଧି ଆମନ୍ତ୍ରିତ ଅତିଥି ଭାବେ ରହିବେ। ଏହି କମିଟି ବୈଠକର କାର୍ଯ୍ୟସୂଚୀ ନିର୍ଣ୍ଣୟ କରିବେ। କମିଟି ପକ୍ଷରୁ ବୈଠକର ବିବରଣୀ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ପାଖକୁ ପଠାଯିବ। ଏଭଳି ବୈଠକ ଆୟୋଜନ ପାଇଁ ଖର୍ଚର ବ୍ୟବସ୍ଥା ରହିବ।
ଏହି ପିଟି ବୈଠକର ମୁଖ୍ୟ ଉଦ୍ଦେଶ୍ୟଗୁଡ଼ିକ ମଧ୍ୟରେ ଛାତ୍ରଛାତ୍ରୀଙ୍କ ନିରାପତ୍ତା ଓ ସୁରକ୍ଷା ଅନ୍ତର୍ଭୁକ୍ତ। ଏ ନେଇ ଛାତ୍ରଛାତ୍ରୀଙ୍କୁ ସଶକ୍ତୀକରଣ କରାଯିବ, ଯାହାଫଳରେ ସେମାନେ ନିରାପତ୍ତା ପ୍ରସଙ୍ଗରେ ବଡ଼ମାନଙ୍କୁ ଖୋଲି କହିିପାରିବେ। ଅସଦାଚରଣକୁ ଚିହ୍ନଟ କରିବା ସହିତ ସେଭଳି ଘଟଣାକୁ କର୍ତ୍ତୃପକ୍ଷଙ୍କ ଦୃଷ୍ଟିକୁ ଆଣିବା, ନିୟମିତ ରୂପେ ସ୍କୁଲ/ଗୃହର ବାତାବରଣ ନେଇ ନିରାପତ୍ତା ଅଡିଟ୍, ହଟ୍ଲାଇନ ଟେଲିଫୋନ, ନିଃଶୁଳ୍କ ହେଲ୍ପଲାଇନ ନମ୍ବର ନେଇ ସୂଚନା ଆଦି ପଦକ୍ଷେପ ସଂପର୍କରେ ବୈଠକରେ ଆଲୋଚନା କରାଯିବ। ନିରାପତ୍ତା ପ୍ରସଙ୍ଗ ବ୍ୟତୀତ ପିତାମାତାଙ୍କୁ ସେମାନଙ୍କ ପିଲାଙ୍କ ପାଇଁ ଉପଲବ୍ଧ ଥିବା ଛାତ୍ରବୃତ୍ତି ଯୋଜନା, ସ୍କୁଲ ଫି ଏବଂ ମାଟ୍ରିକ ପରୀକ୍ଷା ଫି ଛାଡ଼, ସହରାଞ୍ଚଳର ହଷ୍ଟେଲ୍ରେ ଉଚ୍ଚଶିକ୍ଷାର ସୁଯୋଗ, ଜୀବିକା, ଉଚ୍ଚଶିକ୍ଷା, ବୈଷୟିକ ଶିକ୍ଷା, ନିଯୁକ୍ତି ସୁଯୋଗ, ଏପରି କି ପିତାମାତାଙ୍କୁ ସରକାରଙ୍କ ଗରିବଙ୍କ ନିମନ୍ତେ ଉଦ୍ଦିଷ୍ଟ ଯୋଜନାଗୁଡ଼ିକ ସଂପର୍କରେ ସଚେତନ କରାଯିବ।