ଦୋଳ ଉତ୍ସବ ଓ ହୋଲି ପାଳନ ଉପରେ କଟକଣା ଜାରି କଲେ ରାଜ୍ୟ ସରକାର

ଭୁବନେଶ୍ବର : ଦେଶର କେତେକ ରାଜ୍ୟରେ ପୁଣି କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ିବା ପରେ ସତର୍କ ହୋଇଉଠିଛନ୍ତି ଓଡ଼ିଶା ସରକାର । ରାଜ୍ୟରେ ଯେପରି ସଂକ୍ରମଣ ନ ବ୍ୟାପେ ସେଥିଲାଗି ରାଜ୍ୟ ସରକାର ଆଗକୁ ଥିବା ଦୋଳ ଓ ହୋଲି ଉତ୍ସବ ପାଳନ ଉପରେ କଟକଣା ଲଗାଇଛନ୍ତି ।

ରାଜ୍ୟ ସ୍ବତନ୍ତ୍ର ରିଲିଫ କମିସନରଙ୍କ ପକ୍ଷରୁ ଜାରି ନିର୍ଦ୍ଦେଶନାମା ଅନୁସାରେ ଦୋଳ ଉତ୍ସବରେ ଜନସମାଗମକୁ ଅନୁମତି ଦିଆଯିବ ନାହିଁ । ତେବେ ମନ୍ଦିର ଓ ଧର୍ମାନୁଷ୍ଠାନରେ ପରମ୍ପରା ଅନୁସାରେ ଦୋଳ ଉତ୍ସବ କୋଭିଡ କଟକଣା ମାନି ପାଳନ କରାଯିବ । ଜିଲ୍ଲାପାଳ ବା ମ୍ୟୁନିସିପାଲ କମିସନରଙ୍କ ଅନୁମତିକ୍ରମେ ସୀମିତ ସଂଖ୍ୟକ ଲୋକଙ୍କୁ ନେଇ ଦୋଳ ମେଲଣ ଆୟୋଜନ କରାଯାଇପାରିବ । ଦୋଳଯାତ୍ରା ସମୟରେ ସାରା ରାଜ୍ୟରେ ଆୟୋଜିତ ଧାର୍ମିକ ଓ ସାଂସ୍କୃତିକ ସମାବେଶ ଉପରେ କଟକଣା ଲଗାଯାଇଛି ।

ଅନ୍ୟପକ୍ଷରେ ଆସନ୍ତା ୨୮ ଓ ୨୯ ତାରିଖରେ ସର୍ବସାଧାରଣ ସ୍ଥାନରେ ହୋଲି ଉତ୍ସବ ପାଳନକୁ ନିଷିଦ୍ଧ କରାଯାଇଛି । ଲୋକମାନେ ନିଜ ଘରେ ପରିବାର ଲୋକଙ୍କ ସହ ହୋଲି ଉତ୍ସବ ପାଳନ କରିପାରିବେ । ସ୍ଥାନୀୟ ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ବା ମ୍ୟୁନିସିପାଲ କମିସନର ଅତିରିକ୍ତ କଟକଣା ଲଗାଇପାରିବେ ।

ସମ୍ବନ୍ଧିତ ଖବର