ରାଉରକେଲା: ରାଉରକେଲା ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ଛାତ୍ରଛାତ୍ରୀଙ୍କୁ ଭଣ୍ଡାଉଛି। ବିଭାଗୀୟ ଅଧିକାରୀଙ୍କ ଅବହେଳାରୁ ଛାତ୍ରଛାତ୍ରୀଙ୍କୁ ଠିକ୍‌ ସମୟରେ ସିଏଲ୍‌ସି (କଲେଜ ଲିଭିଂ ସାର୍ଟିଫିକେଟ) ଓ ଫାଇନାଲ୍‌ ସାର୍ଟିଫିକେଟ୍‌ ମିଳୁନି। ବିଭାଗୀୟ ଅଧିକାରୀମାନେ ବିଭିନ୍ନ ଆଳ ଦେଖାଇ ଆଜିକାଲି କହି ମାସ ମାସ ଧରି ଦୌଡାଉଥିବା ଛାତ୍ରଛାତ୍ରୀମାନେ ଅଭିଯୋଗ କରିଛନ୍ତି। କେବଳ ଓଡ଼ିଶାର ନୁହେଁ ବରଂ ଝାଡ଼ଖଣ୍ଡ ଓ ବିହାର ଆଦି ରାଜ୍ୟରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କୁ ସେହି ସମାନ ସମସ୍ୟାରେ ସମ୍ମୁଖୀନ ହେବାକୁ ପଡୁଛି।। କାହିଁକି ବିଳମ୍ବ ହେଉଛି ବୋଲି ଛାତ୍ରଛାତ୍ରୀମାନେ ପଚାରିଲେ, ବିଭାଗୀୟ ଅଧିକାରୀ ସନ୍ତୋଷଜନକ ଉତ୍ତର ଦେବା ପରିବର୍ତ୍ତେ ସେମାନଙ୍କୁ ଓଲଟା ଧମକଚମକ ଦେଉଥିବା ସାର୍ଟିଫିକେଟ୍‌ ପାଇନଥିବା ଛାତ୍ରଛାତ୍ରୀ ଅଭିଯୋଗ ଆଣିଛନ୍ତି। ଆଇଟିଆଇ ଅଧ୍ୟକ୍ଷଙ୍କ ଅଜଣାତରେ ବିଭାଗୀୟ ଅଧିକାରୀମାନେ ଏଭଳି ବେଆଇନ କାର୍ଯ୍ୟ କରୁଛନ୍ତି। ଦୂରଦୂରାନ୍ତରେ ରହୁଥିବା ଛାତ୍ରଛାତ୍ରୀମାନେ ସାର୍ଟିଫିକେଟ୍‌ ପାଇଁ ଆଇଟିଆଇକୁ କଲ୍‌ କଲେ ମଧ୍ୟ କେହି ଫୋନ୍‌ ଉଠାଉ ନାହାନ୍ତି।

Advertisment

ଏମିତିକି ଜଣେ ଜଣେ ଛାତ୍ରଙ୍କୁ ସାର୍ଟିଫିକେଟ୍‌ ପାଇବାକୁ ୨ରୁ ୩ ମାସ ଆଇଟିଆକୁ ଦୌଡିବାକୁ ପଡୁଛି। ତା’ ପରେ ଯାଇ ସାର୍ଟିଫକେଟ୍‌ ମିଳୁଛି। ସରକାରୀ ନିୟମ ଅନୁଯାୟୀ ଆଇଟିଆଇରେ ପଢ଼ୁଥିବା ଛାତ୍ରଛାତ୍ରୀମାନେ ଆବେଦନ କରିବାର ୭ ଦିନ ମଧ୍ୟରେ ସିଏଲ୍‌ସି ଓ ଫାଇନାଲ୍‌ ସାର୍ଟିଫିକେଟ୍‌ ଦେବା ବାଧ୍ୟତାମୂଳକ। ରାଉରକେଲା ଆଇଟିଆଇରେ ଦୈନିକ ପ୍ରାୟ ୧୫ରୁ ୨୦ ଛାତ୍ରଛାତ୍ରୀ ଉଚ୍ଚଶିକ୍ଷା ପାଇଁ ଆବଶ୍ୟକ ହେଉଥିବା ସିଏଲ୍‌ସି (ଅର୍‌ଜିନାଲ୍‌) ସାଟିଫିକେଟ୍‌ ପାଇବାକୁ ଆବେଦନ କରୁଛନ୍ତି। ହେଲେ ଆବେଦନ କରୁଥିବା ଛାତ୍ରଛାତ୍ରୀଙ୍କୁ ୭ ଦିନ ପରିବର୍ତ୍ତେ ୨/୩ ମାସ ପର୍ଯ୍ୟନ୍ତ ବିଳମ୍ବ କରାଯାଉଛି। କେବଳ କୋର୍ସ ଶେଷ କରୁଥିବା ଛାତ୍ରଛାତ୍ରୀ ନୁହେଁ ବରଂ କୌଣସି ଅସୁବିଧା ଅଧା ପାଠ ପଢ଼ୁଥିବା ଛାତ୍ରଛାତ୍ରୀଙ୍କୁ ସେହି ସମାନ ଦଶା ଭୋଗିବାକୁ ପଡୁଛି। ସବୁଠୁ ବେଶି ସମସ୍ୟାରେ ସମ୍ମୁଖୀନ ହେଉଛି ବାହାର ଜିଲ୍ଲା କଟକ, ଅନୁଗୋଳ, ବ୍ରହ୍ମପୁର, ବାଲେଶ୍ବର ସମେତ ପଶ୍ଚିମ ଓଡ଼ିଶାର ଅଧିକାଂଶ ଛାତ୍ରଛାତ୍ରୀ।

ସାର୍ଟିଫିକେଟ୍‌ ଦେବାରେ ଅହେତୁକ ବିଳମ୍ବ
ଅଧିକାରୀ ଦୌଡାଉଛନ୍ତି ୨ରୁ ୩ ମାସ

ବାରମ୍ବାର ଖର୍ଚ୍ଚାନ୍ତ ହୋଇ ଆଇଟିଆଇକୁ ଦୌଡୁଥିଲେ ହେଁ, ବିଭାଗୀୟ ଅଧିକାରୀମାନେ ସେମାନଙ୍କ ଠିକ୍‌ ସମୟରେ ସାର୍ଟିଫିକେଟ୍‌ ଦେଉ ନାହାନ୍ତି। ଝାଡ଼ଖଣ୍ଡ ଓ ବିହାର ରାଜ୍ୟର ପଢ଼ୁଥିବା ଛାତ୍ରୀଛାତ୍ରୀମାନେ ମଧ୍ୟ ଖର୍ଚ୍ଚାନ୍ତ ହେଉଛି। କିଛି ଗରିବ ପରିବାର ଛାତ୍ରଛାତ୍ରୀମାନେ ଦୌଡି ଦୌଡି ନୟାନ୍ତ ହେବା ପରେ ସାର୍ଟିଫିକେଟ୍‌ ନେବାକୁ ଆସୁନାହାନ୍ତି। ସବୁଠୁ ଅଧିକ ହଇରାଣ ହେଉଛନ୍ତି, ବିଭିନ୍ନ କମ୍ପାନୀରେ ନିଯୁକ୍ତି ପାଇଥିବା ଛାତ୍ରଛାତ୍ରୀମାନେ। ଉଲ୍ଲେଖଯୋଗ୍ୟ, ରାଉରକେଲା ସରକାରୀ ଆଇଟିଆଇ ପଶ୍ଚିମ ଓଡ଼ିଶାର ଅନ୍ୟତମ ଆଇଟିଆଇ। ଫିଟ୍‌ର, ଇଲେକ୍ଟ୍ରିସିଆନ୍‌, ମେକାନିଷ୍ଟ, ୱେଲଡର, ଟନ୍‌ର, ୱାୟାରମେନ୍‌, ଡିଜେଲ୍‌ ମେକାନିକ୍‌ ଏମିତି ୧୯ଟି ଟ୍ରେଡରେ ଛାତ୍ରଛାତ୍ରୀ ତାଲିମ ଦିଆଯାଉଛି। କମ୍‌ ଦୂରତା ଥିବାରୁ ଝାଡ଼ଖଣ୍ଡ ଓ ବିହାର ମଧ୍ୟ କିଛି ଛାତ୍ରଛାତ୍ରୀ ଏହି ଆଇଟିଆଇରେ ଅଧ୍ୟୟନ କରୁଛନ୍ତି। ତେବେ ଦାୟିତ୍ବରେ ଥିବା ଅଧିକାରୀଙ୍କ ଏଭଳି ଅବହେଳା ପ୍ରତିବାଦରେ ଛାତ୍ରଛାତ୍ରୀମାନେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଆଗାମୀ ଦିନରେ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି। ଯେଉଁମାନେ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ଆଳ ଦେଖାଇ ଏମିତି ଭଣ୍ଡାଉଛନ୍ତି, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବା ସହ ଠିକ୍‌ ସମୟରେ ସାର୍ଟିଫିକେଟ୍‌ ପ୍ରଦାନ କରିବାକୁ ବିଭିନ୍ନ ମହଲରୁ ଦାବି ହେଉଛି।