ବାରିପଦାରେ ସକ୍ରିୟ ଜମି ଦଲାଲ, ଚାଲିଛି ସରକାରୀ ଜମି ଲୁଟ୍

ବଡ଼ଧରଣର ର‍୍ୟାକେଟ୍ ସଂପୃକ୍ତି ଅଭିଯୋଗ, ଶବଦାହ ଜମିକୁ ମଧ୍ୟ ବାଦ୍ ପଡ଼ୁନି

ନିର୍ବିକାର ବାରିପଦା ତହସିଲଦାର, କହିଲେ କିଛି ଖବର ନାହିଁ
ଉପରୁ ତଳ ପର୍ଯ୍ୟନ୍ତ ସମସ୍ତେ ସାମିଲ ଥିବା ଅଭିଯୋଗ ଆଣିଲେ ବିଧାୟକ

ବାରିପଦା : ବାରିପଦାରେ ଚାଲିଛି ସରକାରୀ ଜମିର ଯୋଜନାବଦ୍ଧ ଲୁଟ୍। ସଂଗଠିତ ଢଙ୍ଗରେ ଜମି ଦଲାଲମାନେ ଏହି କାର୍ଯ୍ୟକୁ ଜାରି ରଖିଛନ୍ତି। ପ୍ରଥମେ ସରକାରୀ ଜମିକୁ ନିଜ ଦଖଲରେ ରଖି ପରବର୍ତ୍ତୀ ସମୟରେ ସେଗୁଡ଼ିକୁ ପ୍ଲଟିଂ କରି ବିକ୍ରି କରୁଥିବା ଅଭିଯୋଗ ହୋଇଛି। ବାରିପଦା ପୌରପରିଷଦରେ ପ୍ରାୟ ଅଧିକାଂଶ ସରକାରୀ ଜମିକୁ ଲୋକେ ଦଖଲ କରି ସ୍ଥାୟୀ ବାସଗୃହ ନିର୍ମାଣ କରୁଛନ୍ତି। ପ୍ରଶାସନ ସବୁ ଜାଣି ମଧ୍ୟ କିଛି ନଜାଣିବାର ଅଭିନୟ କରୁଥିବା ଅଭିଯୋଗ ହୋଇଛି ।

 

ବାରିପଦା ପୌରପରିଷଦର ୱାର୍ଡ ନଂ-୧୦ର ଅଧିବାସୀ ବିପ୍ଲବ କେଶରୀ ଜେନାଙ୍କ ଅଭିଯୋଗ ଅନୁସାରେ କଟକ, ଭୁବନେଶ୍ୱର ନୁହେଁ ଜିଲ୍ଲା ସଦରମହକୁମା ବାରିପଦାରେ ଜମି ମାଫିଆଙ୍କ ଦୌରାତ୍ମ୍ୟ ବଢ଼ି ଚାଲିଛି। ମହାରାଜାପୁର ମୌଜାରେ ସରକାରୀ ଜମି ଉପରେ ରହିଥିବା ଗଛଗୁଡ଼ିକୁ କାଟି ନେଇ ଯାଉଛନ୍ତି । ଏହାପରେ ଏହାକୁ ସମତଳ କରି ପ୍ଲଟିଂ କରାଯାଇ ଡେସିମିଲ୍ ପିଛା ୩୦, ୪୦, ୪୫ ଓ ୬୦ ହଜାର ଟଙ୍କାରେ ବିକ୍ରି କରୁଛନ୍ତି । ବିଶେଷ କରି ଗରୀବ ଆଦିବାସୀ ଜନସାଧାରଣ ଏହା ଦ୍ୱାରା କ୍ଷତିରେ ପଡ଼ୁଛନ୍ତି । କେହି କେହି ଜବରଦଖଲରେ ରଖିଥିବା ଜମିକୁ ନିଜ ନାମରେ ପଟ୍ଟା କରାଇ ନେଇଥିବା ଶୁଣିବାକୁ ପାଉଛି । ଏପରିକି ଶବ ଦାହ କରାଯାଉଥିବା ସରକାରୀ ଜମିକୁ ମଧ୍ୟ ବାଦ ଦେଉ ନାହାନ୍ତି ମାଫିଆ। ପ୍ରଶାସନ ଓ ଜମିମାଫିଆଙ୍କ ସଲାସୁତରାରେ ସବୁକିଛି ଚାଲିଛି । ତେଣୁ ପ୍ରଶାସନ ଏ ଦିଗରେ ଆଖି ବୁଜି ଦେଉଥିବା ଶ୍ରୀ ଜେନା ଅଭିଯୋଗ କରିଛନ୍ତି।

ସେହିପରି ବାରିପଦା ପୌରପରିଷଦର ୱାର୍ଡ଼ ନମ୍ବର ୨୭ ମହାରାଜାପୁର ମୌଜାର ଅନୁସୂଚିତ ଜନଜାତି ସମ୍ପ୍ରଦାୟର ଅରୁଣ ସିଂ’ଙ୍କ କହିବା ଅନୁସାରେ ଭାନୁ ନିକଟରୁ ୪୫ ହଜାର ଟଙ୍କା ଦେଇ ଜବରଦଖଲ ଜାଗା କିଣି ଘର କରି ବସବାସ କରିଆସୁଛନ୍ତି । ପୁଣି ଉକ୍ତ ମୌଜାର ଅନ୍ୟ ଜଣେ ଅନୁସୂଚିତ ଜନଜାତି ସମ୍ପ୍ରଦାୟର ଘାସିରାମ ଟୁଡ଼ୁଙ୍କ କହିବା ଅନୁସାରେ ବାଲିଆ ମାଝି ନିକଟରୁ ୪ ଡ଼େସିମିଲ ଜବରଦଖଲ ଜମିକୁ ୮୦ ହଜାର ଟଙ୍କା ଦେଇ କିଣି ଘର କରି ରହିଥିବାର ପ୍ରକାଶ କରିଛନ୍ତି ।

ଏନେଇ ବାରିପଦା ବିଧାୟକ ପ୍ରକାଶ ସୋରେନ କଡ଼ା ପ୍ରତିକ୍ରିୟା ରଖିଛନ୍ତି। ତାଙ୍କ କହିବା ଅନୁସାରେ କେବଳ ବାରିପଦା ନୁହେଁ ପୁରା ଜିଲ୍ଲାରେ ଜମି ମାଫିଆମାନେ ସକ୍ରିୟ ହୋଇପଡ଼ିଛନ୍ତି । ବିଶେଷ କରି ବାରିପଦା ପୌରପରିଷଦରେ ପତିତ, ଅନାବାଦି, ଜଙ୍ଗଲ, ଶ୍ମଶାନ, ଗୋଚର ଆଦି ବିଭିନ୍ନ କିସମର ସରକାରୀ ଜମିକୁ ପ୍ଲଟିଂ କରାଯାଇ ବିଭିନ୍ନ ଲୋକଙ୍କୁ ବିକ୍ରି ହେଉଛି । ଏହି କାରବାରରେ ପ୍ରଶାସନିକ ଅଧିକାରୀ ଏବଂ କର୍ମଚାରୀ ସାମିଲ ଥିବା ବିଧାୟକ ଅଭିଯୋଗ କରିଛନ୍ତି। ସବୁ ଆଇନ କାନୁନୁକୁ ଫୁ କରି ଉପରୁ ତଳ ପର୍ଯ୍ୟନ୍ତ ଶାସନକଳ ଓ ଶାସକ ଦଳ ସରକାରୀ ଜମି ବିକ୍ରିବଟା ସହିତ ଜଡ଼ିତ ରହିଥିବା ସେ କହିଛନ୍ତି ।

ଏ ବିଷୟରେ ବାରିପଦା ଉପଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀଙ୍କ ପ୍ରତିକ୍ରିୟା ନିମନ୍ତେ ତାଙ୍କର ସେଲ୍ ନମ୍ବର ୯୬୫୦୦୬୫୮୯୯ରେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ ଧରି ନ ଥିଲେ । ତେବେ ଏନେଇ ବାରିପଦା ତହସିଲଦାର ରାମଚନ୍ଦ୍ର ସୋରେନ ଏ ବିଷୟରେ ତାଙ୍କ ନିକଟରେ କୌଣସି ସୂଚନା ନଥିବା କହିଛନ୍ତି। ତେବେ ସରକାରୀ ଜମି ବିକ୍ରିବଟା ବଜାରରେ ଆଳୁପିଆଜ ହୋଇ ନାହିଁ ଯେ ଯିଏ ଯେଉଁଠି ପାରିଲା ବିକ୍ରି କରି ଦେବ ଓ ସମସ୍ତେ କିଣି ଆଣିବେ। କାଗଜପତ୍ରର କଥା । ତେବେ ଲୋକ ପଠାଇ ତଦନ୍ତ କରିବେ ବୋଲି ତହସିଲଦାର ଶ୍ରୀ ସୋରେନ୍ କହିଛନ୍ତି। ଯଦି କେହି ଖୁଣ୍ଟ ପୋତି ପ୍ଲଟିଂ କରାଇଥିବ ତେବେ ଏହାକୁ ଉଚ୍ଛେଦ କରାଯିବ। ସେହିପରି ସରକାରୀ ଜମି ପଟ୍ଟା ହୋଇ ପାରିବ କି ପ୍ରଶ୍ନର ଉତ୍ତରରେ ଅସମ୍ଭବ ବୋଲି କହିବା ସହ ଯଦି ଏପରି କିଛି ହୋଇଥାଏ, ତେବେ ତାହା ତଦନ୍ତ ସାପେକ୍ଷ ବୋଲି କହିଥିଲେ । ମାତ୍ର ଏହିପରି ଘଟଣା ଘଟୁଥିବା ସାଧାରଣରେ ସ୍ପଷ୍ଟ ସୂଚନା ରହିଛି। ମାତ୍ର ତହସିଲଦାର କିଛି ନଜାଣିବା ବାସ୍ତବିକ ଆଶ୍ଚର୍ଯ୍ୟଜନକ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

ସ୍ବାଧୀନତ ପରଠାରୁ ବାରିପଦା ପୌରପରିଷଦରେ ଯେଉଁ ସମସ୍ତ ସରକାରୀ ଜମି ରହିଥିଲା, ତାହା ବର୍ତ୍ତମାନ ଦେଖିବାକୁ ମିଳୁ ନାହିଁ । ସହର ଭିତରେ ଦେଇ ପ୍ରବାହିତ ହୋଇଥିବା ବିଭିନ୍ନ ନଦୀ ନାଳର ଉଭୟ ପାର୍ଶ୍ବ କ୍ରମଶଃ ସଂଙ୍କୁଚିତ ହୋଇସାରିଛି । ଶ୍ମଶାନ ହେଉ ଅଥବା ଗୋଚର କିମ୍ବା ଜଙ୍ଗଲ କିଷମ, ପତିତ ସବୁଠି ଭୂତସ୍କରମାନଙ୍କ ରାଜୁତି ଚାଲିଥିବା ସାଧାରଣରେ ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର