କ୍ୟାନସର ହସ୍ପିଟାଲ ପାଇଁ ଚଳିତମାସ ଶେଷସୁଦ୍ଧା ଟାଟା ଟ୍ରଷ୍ଟକୁ ଜମି ହସ୍ତାନ୍ତର

ନୋଟିଫିଏବୁଲ ରୋଗ ବିବେଚନା ହେବ କର୍କଟ ରୋଗ

ଭୁବନେଶ୍ବର: ବାରଙ୍ଗଠାରେ ପ୍ରସ୍ତାବିତ କ୍ୟାନସର ହସ୍ପିଟାଲ ପାଇଁ ଆବଶ୍ୟକ ଜମି ଚଳିତମାସ ଶେଷ ସୁଦ୍ଧା ଟାଟା ଟ୍ରଷ୍ଟକୁ ହସ୍ତାନ୍ତର କରାଯିବ। କଟକ ଜିଲ୍ଲାପାଳଙ୍କ ସହିତ ଆଲୋଚନା ପରେ ହସ୍ପିଟାଲ ନିକଟକୁ ମାସକ ମଧ୍ୟରେ ରାସ୍ତା କାର୍ଯ୍ୟ ଆରମ୍ଭ ପାଇଁ ନିଷ୍ପତ୍ତି ହୋଇଛି। ଏହି ଗବେଷଣା କେନ୍ଦ୍ର ଲାଗି ରାଜ୍ୟ ସରକାର ଓ ଟାଟା ଟ୍ରଷ୍ଟ ମଧ୍ୟରେ ଚୁକ୍ତି ସ୍ବାକ୍ଷରିତ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।

ଓଡ଼ିଶା କ୍ୟାନସର କେୟାର ଫାଉଣ୍ଡେସନ୍ ବା ଓସିସିଏଫ୍‌ର ଦ୍ବିତୀୟ ପରିଚାଳନା ମଣ୍ଡଳୀ ବୈଠକରେ ଆଜି ଏହି ନିଷ୍ପତ୍ତି ନିଆଯାଇଛି। ସ୍ବାସ୍ଥ୍ୟ ସଚିବ ଡା. ପ୍ରମୋଦ କୁମାର ମେହେର୍ଦାଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ବିଭାଗର ଯୁଗ୍ମ ସଚିବ ଗୁହା ପୁନମ ତାପସ କୁମାର, ଟାଟା ଟ୍ରଷ୍ଟର ସଦସ୍ୟ, କଟକସ୍ଥିତ ଆଚାର୍ଯ୍ୟ ହରିହର କର୍କଟ ଗବେଷଣା କେନ୍ଦ୍ରର ନିର୍ଦେଶକ ଲଲାଟେନ୍ଦୁ ଷଡ଼ଙ୍ଗୀ, ଖ୍ୟାତନାମା କର୍କଟରୋଗ ବିଶେଷଜ୍ଞ ଡା. ଦିନେଶ ପେନ୍ଧାରକର ଓ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ବୈଠକରେ ସୂଚନା ଅୁନସାରେ, ଭୀମ୍‌ସାର, ଏମ୍‌କେସିଜି, କୋରାପୁଟ ଓ କେନ୍ଦୁଝରରେ ରେଡିଓଥେରାପି, କେମୋଥେରାପି, କର୍କଟର ଚିହ୍ନଟ ଓ ଚିକିତ୍ସାର ବିକାଶ କରାଯିବ। ଆଚାର୍ଯ୍ୟ ହରିହର କର୍କଟ ଗବେଷଣା କେନ୍ଦ୍ରରେ ରେଡିଓଥେରାପି ପାଇଁ ସ୍ବତନ୍ତ୍ର ବ୍ଲକ୍, ସଂପ୍ରସାରଣ ପାଇଁ ସ୍ବତନ୍ତ୍ର ମାଷ୍ଟରପ୍ଲାନ୍ ଯଥାଶୀଘ୍ର ପ୍ରସ୍ତୁତ କରାଯିବ। କ୍ୟାନସରକୁ ଏକ ନୋଟିଫିଏବୁଲ (ଜ୍ଞାପନଯୋଗ୍ୟ) ରୋଗ ହିସାବରେ ବିବେଚନା ପାଇଁ ନିଷ୍ପତ୍ତି ହୋଇଛି।

ସମ୍ବନ୍ଧିତ ଖବର