ଭୁବନେଶ୍ବରରେ ସରକାରୀ ଜମି ଜାଲିଆତି କରି ହଡପ ଅଭିଯୋଗ : ମାମଲାରେ ପଡିଲା ପୂର୍ଣ୍ଣଚ୍ଛେଦ

କଟକ : ରାଜଧାନୀ ଭୁବନେଶ୍ବରରେ ଜାଲିଆତି କରି ହଜାର ହାଜର କୋଟି ଟଙ୍କାର ସରକାରୀ ଜମି ହଡପ ଅଭିଯୋଗ ସଂପର୍କିତ ମାମଲାର ପରିସମାପ୍ତି ଘଟିଛି। ଏହି ପ୍ରସଂଗକୁ ନେଇ ଉପଯୁକ୍ତ ଅଦାଲତରେ ଆବେଦନକାରୀ ଆବେଦନ କରି ପାରିବେ। ଏପରି ପରିସ୍ଥିତିରେ ମୁଖ୍ୟ ବିଚାରପତି ଜଷ୍ଟିସ କେ.ଏସ୍.ଜ‌ାଭେରୀ ଓ ଜଷ୍ଟିସ କେ.ଆର୍.ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ଆବେଦନକାରୀ ଚାହିଁଲେ ଆଇପିସି/ସିଆରପିସିରେ ଥିବା ବ୍ୟବସ୍ଥା ଅନୁସାରେ ଉପଯୁକ୍ତ ମୋକଦ୍ଦମା ଦାୟର କରି ପାରିବେ ବୋଲି ପ୍ରକାଶିତ ରାୟରେ ସ୍ପଷ୍ଟ କରାଯାଇଛି। ଆବେଦନକାରୀ ଓଡ଼ିଆ ଯୁବ ମଞ୍ଚ ସଭାପତି ରୋହନ କୁମାର ମହାନ୍ତିଙ୍କ ପକ୍ଷରୁ ଆଇନଜୀବୀ କ୍ଷୀରୋଦ କୁମାର ରାଉତ ମାମଲା ପରିଚାଳନା କରୁଥିଲେ। ମାମଲାର ବିବରଣୀରୁ ପ୍ରକାଶ ଯେ ଭୁବନେଶ୍ବରରେ ଶତାଧିକ ଏକର ସରକାରୀ ଜମି ରେକର୍ଡ ଜାଲିଆତି କରି କେତେକ ବ୍ୟକ୍ତି ହଡପ କରିଥିଲେ ବୋଲି ଅଭିଯୋଗ ହୋଇଥିଲା। ସରକାରୀ କାର୍ଯ୍ୟାଳୟ ତଥା ଅଦାଲତରେ ଜାଲ ନଥିପତ୍ର ଦାଖଲ କରି ସରକାରୀ ଜମି ନିଜ ନାଁରେ କରିବା ପାଇଁ ଶତାଧିକ ଆବେଦନ ଦାୟର ଘଟଣା ୨୦୦୫ରେ ଜଣା ପଡିଥିଲା। ସରକାରୀ ଜମି ନିଜ ନାଁରେ ରେକର୍ଡ କରାଇବା ସଂପର୍କିତ ପ୍ରାୟ ଶହେ ମାମଲା ହାଇକୋର୍ଟରେ ରୁଜୁ ହୋଇଥିଲା। ଏ ନେଇ ସାଧାରଣ ପ୍ରଶାସନ ବିଭାଗ ଓ ରାଜସ୍ବ ବିଭାଗ ନିକଟରେ ଅଭିଯୋଗ ହୋଇଥିଲା। ବୋର୍ଡ ଅଫ୍ ରେଭିନ୍ୟୁ ପକ୍ଷରୁ ତଦନ୍ତ କରାଯିବା ପରେ ଭୁବନେଶ୍ବର ତହସିଲ ଅଧିନରେ ଥିବା କେତେକ ଅଞ୍ଚଳରେ ହଡପ ଉଦ୍ଦେଶ୍ୟ ନେଇ ଜମି ରେକର୍ଡରେ ଜାଲିଆତି କରାଯାଇଥିବା ଜଣା ପଡିଥିଲା। ସାଧାରଣ ପ୍ରଶାସନ ବିଭାଗ କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ କହିଥିଲା। କିନ୍ତୁ ଏହି ପ୍ରସଂଗରେ କୌଣସି ଫଳପ୍ରଦ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିଲା। ଏହି ପ୍ରସଂଗରେ ସରକାରୀ ନିଷ୍କ୍ରିୟତା ଅଭିଯୋଗ କରି ୨୦୧୫ରେ ଆବେଦନକାରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଗାଡକଣ, ଚନ୍ଦ୍ରଶେଖରପୁର, ପଟିଆ ଓ ପାଣ୍ଡରା ମୌଜାରେ ହଜାର ହାଜର କୋଟି ଟଙ୍କାର ଶତାଧିକ ଏକର ସରକାରୀ ଜମି ଜାଲ କାଗଜପତ୍ର ଜରିଆରେ ହଡପ କରାଯାଇଛି। ଏହି ଘଟଣାରେ ଜମି ମାଫିଆ ଓ କେତେକ ସରକାରୀ ଅଧିକାରୀଙ୍କ ସଂପୃକ୍ତି ରହିଛି। ତେଣୁ ଘଟଣାର ସିବିଆଇ କିମ୍ବା କୌଣସି ସ୍ବାଧୀନ ଏଜେନ୍ସି ଦ୍ବାରା ତଦନ୍ତ କରାଯାଉ ବୋଲି ଆବେଦନରେ ଦର୍ଶାଯାଇଥିଲା।

ସମ୍ବନ୍ଧିତ ଖବର