‘ସଠିକ୍‌ ପନ୍ଥା ନିର୍ଧାରଣ ନ ହେଲେ ବୁମେରାଂ’

ସରକାରଙ୍କୁ ଭାଗଚାଷୀଙ୍କ ପାଇଁ ଆଇନ ଚିନ୍ତା

ଭୁବନେଶ୍ୱର: ଉଭୟ ଜମି ମାଲିକ ଏବଂ ଭାଗଚାଷୀଙ୍କ ସ୍ୱାର୍ଥକୁ ସୁରକ୍ଷିତ ରଖି ଭାଗଚାଷୀଙ୍କ ପାଇଁ ଆଇନ ପ୍ରଣୟନ ନେଇ ସରକାର ଉଦ୍ୟମ ଜାରି ରଖିଛନ୍ତି। ଏହାର ବିଚାର ବିମର୍ଶ ପାଇଁ ମନ୍ତ୍ରିସ୍ତରୀୟ କମିଟି ଗଠିତ ହୋଇଛି। ପୁଣି ଏହା ଅଧୀନରେ ଗଠିତ ସବ୍‌-କମିଟି ତରଫରୁ ମଧ୍ୟ ଏକାଧିକ ବାର ବୈଠକ ବସିଲାଣି। କିନ୍ତୁ ଠୋସ୍‌ ନିଷ୍ପତ୍ତିରେ ପହଞ୍ଚି ପାରିନାହାନ୍ତି ସରକାର। ଏହା ଅତ୍ୟନ୍ତ ସମ୍ବେଦନଶୀଳ ପ୍ରସଙ୍ଗ। ଯଦି ଉଭୟଙ୍କ ସ୍ୱାର୍ଥ ରକ୍ଷା ହୋଇନପାରେ ତାହା ବୁମେରାଂ କରିବ ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ମହେଶ୍ୱର ମହାନ୍ତି କହିଛନ୍ତିି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ତାଙ୍କ ବିଭାଗର ସମୀକ୍ଷା ହେବା ପରେ ଗଣମାଧ୍ୟମ ସାମ୍ନାରେ ଏହା କହିଥିଲେ ମନ୍ତ୍ରୀ ଶ୍ରୀ ମହାନ୍ତି। ତେବେ ଠିକଣା ସମୟରେ ଆଇନ ପ୍ରଣୟନ କରାଯିବ। ବାସଗୃହହୀନ ପରିବାରକୁ ଘରଡିହ ଯୋଗାଇଦେବା ପ୍ରସଙ୍ଗରେ ସେ କହିଲେ, ୨୦୧୫ରେ ହୋଇଥିବା ସର୍ଭେ ଅନୁଯାୟୀ ମୋଟ ୧ ଲକ୍ଷ ୧୦ ହଜାର ୭୩୦ ବାସଗୃହହୀନ ପରିବାରକୁ ଚିହ୍ନଟ କରାଯାଇଥିଲା। ସେଥିମଧ୍ୟରୁ ଗତ ଚାରିବର୍ଷରେ ୧ ଲକ୍ଷ ୭ ହଜାର ୮୯୩ ପରିବାରକୁ ବାସୋପଯୋଗୀ ଡିହ ଯୋଗାଇ ଦିଆଯାଇଛି। ଅଗଷ୍ଟ ଶେଷ ସୁଦ୍ଧା ଅବଶିଷ୍ଟ ୨୮୩୭ ପରିବାରକୁ ଘରଡିହ ଯୋଗାଇ ଦିଆଯିବ। କେବଳ ସେତିକି ନୁହେଁ, ଆଜିଠାରୁ(ମେ’ ୧୫ରୁ ଜୁନ୍‌ ୧୫ ତାରିଖ ମଧ୍ୟରେ) ନୂଆ ସର୍ଭେ ଆରମ୍ଭ ହେବ। ଏହି ସର୍ଭେ ଆଧାରରେ ବାସଗୃହହୀନ ପରିବାରକୁ ଚିହ୍ନଟ କରି ଘରଡିହ ଯୋଗାଇ ଦିଆଯିବ। ଏଥିପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦେଶ ଦିଆଯାଇଥିବା ସେ କହିଥିଲେ।

ବାସଗୃହହୀନଙ୍କୁ ଘରଡିହ ପାଇଁ ସାନି ସର୍ଭେ ନିର୍ଦେଶ
ଜୁନ୍‌ ସୁଦ୍ଧା ୬ଟି ଉପକୂଳବର୍ତୀ ଜିଲ୍ଲାକୁ ବାତ୍ୟା, ସୁନାମିର ଆଗୁଆ ସୂଚନା
ସ୍କୁଲରେ ଜାତିଗତ ପ୍ରମାଣପତ୍ର ପ୍ରଦାନ ତ୍ୱରାନ୍ଵିତ ପାଇଁ ନିର୍ଦେଶ

ସ୍କୁଲମାନଙ୍କରେ ଛାତ୍ରଛାତ୍ରୀମାନଙ୍କୁ ଜାତିଗତ ପ୍ରମାଣପତ୍ର ପ୍ରଦାନ ହେଉଛି ରାଜ୍ୟ ସରକାରଙ୍କ ବଡ଼ ଯୋଜନା। ତେବେ ଏହାର କାର୍ଯ୍ୟକାରିତା ମାନ୍ଦା ହୋଇଯାଇଛି। ଏହାକୁ ତ୍ୱରାନ୍ଵିତ କରିବାକୁ ମୁଖ୍ୟମନ୍ତ୍ରୀ ସମୀକ୍ଷା ବେଳେ ନିର୍ଦେଶ ଦେଇଥିବା ମନ୍ତ୍ରୀ ଶ୍ରୀ ମହାନ୍ତି କହିଥିଲେ। ଶିଳ୍ପାୟନ ଯୋଗୁଁ ଯେଉଁମାନେ ଜମି ହରାଉଛନ୍ତି ସେମାନଙ୍କୁ ଶିଳ୍ପ ସଂସ୍ଥାର ଲାଭାଂଶରେ ହିତାଧିକାରୀ ପରିଣତ କରିବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ବିଭାଗକୁ ନିର୍ଦେଶ ଦେଇଛନ୍ତି। ଦାଖଲ ଖାରଜ(ମ୍ୟୁଟେସନ୍‌) ମାମଲାର ଫଇସଲା କ୍ଷେତ୍ରରେ ଉଲ୍ଲେଖନୀୟ ଅଭିବୃଦ୍ଧି ଘଟିଥିବା ଦର୍ଶାଇ ୨୦୧୭-୧୮ରେ ୫.୫୩ ଲକ୍ଷ ମାମଲାର ଫଇସଲା ହୋଇଛି। ଏହା ଗତବର୍ଷ ତୁଳନାରେ ୧.୨୯ ଲକ୍ଷ ଅଧିକ। ସମୁଦ୍ର ତଟବର୍ତୀ ୬ଟି ଜିଲ୍ଲାର ୨୨ଟି ବ୍ଲକ ଅଧୀନ ୧୬୨ଟି ସ୍ଥାନରେ ଆଲର୍ଟ ସାଇରେନ୍‌ ଟାଓ୍ଵାର ନିର୍ମାଣ କରାଯାଇଛି। ଏହି ବ୍ୟବସ୍ଥା ଜରିଆରେ ବାତ୍ୟା କି ସୁନାମି ହେବାର ଅଧଘଣ୍ଟା ପୂର୍ବରୁ ଆଗୁଆ ସୂଚନା ମିଳିପାରିବ। ଜୁନ୍‌ ୩୦ ତାରିଖ ସୁଦ୍ଧା ଏହା କାର୍ଯ୍ୟକ୍ଷମ ହେବ ବୋଲି ମନ୍ତ୍ରୀ କହିଥିଲେ। ସାମ୍ବାଦିକଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତରରେ ସେ କହିଲେ, ଜମି ଜବରଦଖଲ ଆଇନ ରାଷ୍ଟ୍ରପତିଙ୍କଠାରୁ ଫେରିଆସିଛି। ଏହା ଆଇନ ବିଭାଗକୁ ପଠାଯାଇଛି। ସରକାରୀ ଜମି ଜବରଦଖଲ ସଂପର୍କରେ ସେ ସମୀକ୍ଷା କରିନଥିବା ସ୍ପଷ୍ଟ କରିଦେଇଥିଲେ। ବାସ୍ତବପକ୍ଷେ ଜବରଦଖଲ ଉଚ୍ଛେଦ ପାଇଁ କ୍ଷେତ୍ରସ୍ତରୀୟ କର୍ମଚାରୀଙ୍କ ହାତରେ ସମୟ ନଥିବା ସେ ଦର୍ଶାଇଥିଲେ। ଶ୍ମଶାନ ଜମି ନେଇ ମଧ୍ୟ ବିଭାଗ କୌଣସି ନିର୍ଦେଶନାମା ଜାରି କରିନାହିଁ। ଚଳିତ ଆର୍ଥିକ ବର୍ଷରେ ୬୦.୧୫ ଲକ୍ଷ ସେବା ଓଡ଼ିଶା ଲୋକସେବା ଅଧିକାର ଆଇନ ନିୟମ, ୨୦୧୨ ଅଧୀନରେ ଯୋଗାଇ ଦିଆଯାଇଛି। ତେବେ ବେବନ୍ଦୋବସ୍ତ ୨୯୧୮୯ଟି ମାମଲା ମଧ୍ୟରୁ ୧୭୬୫୯ଟିର ଫଇସଲା ହୋଇଥିବା ସେ କହିଥିଲେ।

ସମ୍ବନ୍ଧିତ ଖବର