କାଳିଆପାଣି: ଭୋଟର ପରିଚୟ ପତ୍ର ଓ ଆଧାର କାର୍ଡ ପ୍ରସ୍ତୁତି ସମୟରେ ଦାୟିତ୍ବରେ ଥିବା ସରକାରୀ ଅଧିକାରୀ(ବିଏଲ୍ଓ)ଙ୍କ ଭୁଲ ପାଇଁ ଶହଶହ ଯୋଗ୍ୟ ଆଶାୟୀ ସାମାଜିକ ସୁରକ୍ଷା ଯୋଜନାରୁ ବାଦ୍ ପଡ଼ୁଛନ୍ତି। ବିଏଲ୍ଓଙ୍କ ଅବହେଳା ଓ ଉଦାସୀନତା ପାଇଁ ଗରିବ ବରିଷ୍ଠ ନାଗରିକମାନେ ଯଥା ସମୟରେ ସରକାରୀ ସହାୟତାରୁ ବଞ୍ଚିତ ହେଉଥିବା ନଜିର ରହିଛି। ଏହି ସମସ୍ୟା ପାଇଁ ସୁକିନ୍ଦା ବ୍ଲକ୍ ଚିଙ୍ଗୁଡ଼ିପାଳ ପଞ୍ଚାୟତର ୧୦ ଜଣ ଗରିବ ବୁଢ଼ାବୁଢ଼ୀଙ୍କୁ ଭତ୍ତା ମିଳୁନଥିବା ଅଭିଯୋଗ ହୋଇଛି।
ବେଣାଗାଡ଼ିଆ ଗାଁର ୪ ଜଣ ମହିଳା ଜୟରାମ ମହାନ୍ତଙ୍କ ପତ୍ନୀ ରୁକ୍ମଣୀ, ନରସିଂହ ମହାନ୍ତଙ୍କ ପତ୍ନୀ ଜେମା, ଭକ୍ତବନ୍ଧୁ ମହାନ୍ତଙ୍କ ପତ୍ନୀ ଉଲ୍ଲାସୀ ଓ ରମେଶ ମହାନ୍ତଙ୍କ ପତ୍ନୀ ଶ୍ରୀମତୀଙ୍କ ବୟସ ପ୍ରାୟ ୭୦ ପାଖାପାଖି। କିନ୍ତୁ ଆଧାରକାର୍ଡରେ ରୁକ୍ମଣୀଙ୍କ ବୟସ ୩୬ ଓ ଭୋଟର କାର୍ଡରେ ୬୧ ଉଲ୍ଲେଖ ରହିଛି। ଜେମାଙ୍କ ଭୋଟର କାର୍ଡରେ ୫୮ ଓ ଆଧାର କାର୍ଡରେ ୬୪ ରହିଛି। ଭୋଟର କାର୍ଡରେ ଉଲ୍ଲାସୀଙ୍କ ନାଁ ଉଲ୍ଲୁସି, ବୟସ ୫୬ ଓ ଆଧାରକାର୍ଡରେ ବୟସ ୬୦ ରହିଛି। ସେହିପରି ଶ୍ରୀମତୀଙ୍କ ଭୋଟର କାର୍ଡରେ ବୟସ ୫୬ ଓ ଆଧାରକାର୍ଡରେ ୬୦ ଲେଖା ହୋଇଛି। ରମେଶ ମହାନ୍ତଙ୍କ ଭୋଟର କାର୍ଡ ବୟସ ୬୧ ଓ ଆଧାରକାର୍ଡ ବୟସ ୬୬ ହୋଇଥିଲେ ମଧ୍ୟ ସେ ଭତ୍ତାରୁ ବଞ୍ଚିତ ଥିବା ଅଭିଯୋଗ ହୋଇଛି। ଚିଙ୍ଗୁଡ଼ିପାଳ ଟାଙ୍ଗରସାହିର ୫ ଜଣ ବରିଷ୍ଠ ନାଗରିକଙ୍କ କ୍ଷେତ୍ରରେ ସମାନ ସମସ୍ୟା।
ଗରିବ ଦମ୍ପତି ପାଞ୍ଚାଳି ଓ ବଂଶୀଧର ମହାନ୍ତଙ୍କ ଭୋଟର କାର୍ଡ ଓ ଆଧାରକାର୍ଡରେ ବୟସ ୫୭ ଓ ୫୮ ଲେଖା ହୋଇଛି। ସ୍ବର୍ଗତ ରମେଶ ମହାନ୍ତଙ୍କ ପତ୍ନୀ ବୃଦ୍ଧା ରେବତୀଙ୍କୁ ବାର୍ଦ୍ଧକ୍ୟ କିମ୍ବା ବିଧବା ଭତ୍ତା ମିଳୁନି। ଜୀବନର ଶେଷ ସମୟ ହେଲେ ବି ଅଭାବ ଅନଟନ ପାଇଁ ଅଧିକାଂଶ ଦିନ ତାଙ୍କୁ ବାପଘର କାଦୁଅବନ୍ଦୀ ଗାଁରେ ରହିବାକୁ ପଡ଼ୁଛି। ତ୍ରିଲୋଚନ ମହାନ୍ତଙ୍କ ପତ୍ନୀ ଭତ୍ତା ଆବେଦନକାରୀ ଖଡ଼ିକା ମହାନ୍ତଙ୍କ ଭୋଟର କାର୍ଡ ଓ ଆଧାର କାର୍ଡରେ ବୟସ ୬୭ ରହିଥିଲେ ଓ ଆଧାରକାର୍ଡ ଆଧାରରେ ହାଡ଼ିବନ୍ଧୁ ମହାନ୍ତଙ୍କ ବୟସ ୬୬ ହୋଇଥିଲେ ମଧ୍ୟ ଉଭୟଙ୍କୁ ଏଯାବତ୍ ଭତ୍ତା ମିଳିନଥିବା ଅଭିଯୋଗ ହୋଇଛି। ପଡ଼ୋଶୀମାନେ ଭତ୍ତା ପାଉଥିବା ବେଳେ ଏହି ବରିଷ୍ଠ ନାଗରିକମାନେ ହତାଶ ହେଉଛନ୍ତି। ଅଭାବଗ୍ରସ୍ତ ପୁଅବୋହୂମାନେ ସେମାନଙ୍କ ଦେଖାଶୁଣା କରିବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି। ସମସ୍ତେ ଅନଲାଇନ୍ ଭତ୍ତା ଆବେଦନ ସଂପର୍କରେ ଜାଣିନାହାନ୍ତି। ମଧୁବାବୁ ପେନସନ୍ ଯୋଜନାରେ ସାମିଲ ହେବା ଆଶାରେ ଅଧିକାଂଶ ଆଶାୟୀ ବର୍ଷବର୍ଷ ଧରି ସ୍ଥାନୀୟ ନିର୍ବାଚିତ ଜନ ପ୍ରତିନିଧିମାନଙ୍କୁ ଭେଟି ନେହୁରା ହୋଇଥିଲେ ମଧ୍ୟ ଫଳ କିଛି ହୋଇନାହିଁ। ଏସଂପର୍କରେ ସରପଞ୍ଚ ଅଞ୍ଜଳି ଦେହୁରୀଙ୍କୁ ଯୋଗାଯୋଗ କରିବାରେ ପଦକ୍ଷେପ ନେବେବୋଲି କହିଛନ୍ତି।
Follow Us