ସରକାରୀ ତହବିଲରୁ ଲକ୍ଷାଧିକ ଟଙ୍କା ହଡ଼ପ

ମାମଲା ପରିଚାଳନା ନାଁରେ ଚଞ୍ଚକତା, ବାଲେଶ୍ୱର ଜିଲ୍ଲା ବିଜେଡି ଉପସଭାପତିଙ୍କ ବିରୋଧରେ ସଙ୍ଗିନ ଅଭିଯୋଗ

ବାଲେଶ୍ୱର : ସରକାରୀ ଓକିଲ, ତା ସାଙ୍ଗକୁ ଶାସକ ବିଜେଡ଼ି ଦଳର ଆଗଧାଡ଼ିର ନେତା। ପଦ ଓ କ୍ଷମତାର ଦୁରୁପଯୋଗ କରି ସରକାରୀ ତହବିଲରୁ ବେଆଇନ୍‌ ଭାବେ ଲକ୍ଷାଧିକ ଟଙ୍କା ହାତେଇଛନ୍ତି ଶାସକ ଦଳର ନେତା। ଏଭଳି ସଙ୍ଗିନ ଅଭିଯୋଗ ଆସିଛି ବାଲେଶ୍ବର ଜିଲ୍ଲାର ଅତିରିକ୍ତ ସରକାରୀ ଓକିଲ (ଏଜିପି) ଭୁବନାନନ୍ଦ ଦାସଙ୍କ ବିରୋଧରେ। ଯିଏ ଏବେ ବାଲେଶ୍ବର ଜିଲ୍ଲା ବିଜେଡ଼ି ଉପସଭାପତି ଅଛନ୍ତି।

ଗତ ମଙ୍ଗଳବାର ଦିନ ବସ୍ତା ଥାନା ଅଞ୍ଚଳର ପ୍ରଶାନ୍ତ କୁମାର ପ୍ରଧାନ ନାମକ ଜଣେ ବ୍ୟକ୍ତି ବାଲେଶ୍ବର ଜିଲ୍ଲାପାଳଙ୍କ ନିକଟରେ ଏକ ଅଭିଯୋଗପତ୍ର ସହ କିଛି ଦସ୍ତାବିଜ ଦାଖଲ କରି ତାର ବିଧିବଦ୍ଧ ତଦନ୍ତ ଦାବି କରିଥିଲେ। ଶ୍ରୀ ପ୍ରଧାନଙ୍କ ଅଭିଯୋଗ ଅନୁଯାୟୀ, ସରକାରଙ୍କ ପକ୍ଷରୁ ବାଲେଶ୍ବର ଜିଲ୍ଲା ପାଇଁ ଅତିରିକ୍ତ ସରକାରୀ ଓକିଲ ଏଜିପି (ଆଡିସନାଲ୍‌ ଗଭର୍ଣ୍ଣମେଣ୍ଟ ପ୍ଲିଡର୍‌) ଭାବେ ଭୁବନାନନ୍ଦ ଦାସ ନିଯୁକ୍ତି ପାଇଛନ୍ତି। ତେବେ ଗୋଟିଏ ସମୟରେ ଶ୍ରୀ ଦାସ ଭୋଗରାଇ, ବାଲିଆପାଳ ଓ ବାଲେଶ୍ବର ମାଜିଷ୍ଟ୍ରେଟ୍‌ଙ୍କ କୋର୍ଟରେ କାମ କରିଥିବା ଦର୍ଶାଇ ନିଜର ପ୍ରାପ୍ୟ ବାବଦରେ ସରକାରୀ ଅର୍ଥ ହାତେଇଛନ୍ତି। ଏଠାରେ ପ୍ରଶ୍ନ ଉଠୁଛି ଶ୍ରୀ ଦାସ ଗୋଟିଏ ସମୟରେ ଏକାଧିକ ସ୍ଥାନରେ କାମ କଲେ କେମିତି? ସେ କାମ କରିଛନ୍ତି କି ନାହିଁ ସେ ବାବଦରେ କୌଣସି ଯାଞ୍ଚ ମଧ୍ୟ ହୋଇନାହିଁ। ଏମିତିକି ଛୁଟିଦିନରେ ବି ସେ କାମ କରିଥିବା ଦର୍ଶାଯାଇ ତାଙ୍କୁ ସରକାରୀ ଅର୍ଥ ଦିଆଯାଇଛି।

କେବଳ ସେତିକି ନୁହେଁ, ଏଜିପି ଶ୍ରୀ ଦାସଙ୍କ ବିରୋଧରେ ଆହୁରି ସଙ୍ଗିନ ଅଭିଯୋଗ ଆଣିଛନ୍ତି ଶ୍ରୀ ପ୍ରଧାନ। ୨୦୧୩ ମସିହାରୁ ୨୦୧୭ ମଧ୍ୟରେ ଆଇନ୍‌ଜୀବୀ ଶ୍ରୀ ଦାସ ଏକା ସମୟରେ ଅତିରିକ୍ତ ଜିପି ଓ ସିଡବ୍ଲୁସି ସଦସ୍ୟ ଭାବେ ଦୁଇଟି ସରକାରୀ ପଦ ଅଧିକୃତ କରିଥିଲେ। ଏହି ସମୟ ମଧ୍ୟରେ ବି ସେ ଲକ୍ଷାଧିକ ଟଙ୍କା ସରକାରୀ ଅର୍ଥ ବେଆଇନ୍‌ ଭାବେ ନେଇଛନ୍ତି। ସିଡବ୍ଲୁସି ସଦସ୍ୟ ଥିବା ସମୟରେ ଶ୍ରୀ ଦାସ ୬ ଲକ୍ଷ ୩୩ ହଜାର ୫ ଶହ ଓ ବିଭିନ୍ନ ସରକାରୀ ମାମଲା ପରିଚାଳନା ବାବଦରେ ପ୍ରାୟ ୧୫ ଲକ୍ଷ ଟଙ୍କା ହାତେଇଥିବା ଶ୍ରୀ ପ୍ରଧାନ ତାଙ୍କ ଅଭିଯୋଗପତ୍ରରେ ଦର୍ଶାଇଛନ୍ତି। ଏହି ସବୁ ଅଭିଯୋଗ ଓ ଦସ୍ତାବିଜ୍‌କୁ ଭିତ୍ତି କରି ଯଦି ତଦନ୍ତ କରାଯିବ ତାହେଲେ ଶ୍ରୀ ଦାସ ଅଡ଼ୁଆରେ ତ ପଡ଼ିବେ, ତା ସହ ଜିଲ୍ଲାରେ ଶାସକଦଳର ଭାବମୂର୍ତ୍ତି ପ୍ରତି ମଧ୍ୟ ଆଞ୍ଚ ଆସିବ। ଯେହେତୁ ଶ୍ରୀ ଦାସ ଶାସକ ଦଳର ଜଣେ ଆଗଧାଡ଼ିର ନେତା, ସେ ଦୃଷ୍ଟିରୁ ଜିଲ୍ଲା ପ୍ରଶାସନ ତାଙ୍କ ବିରୋଧରେ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ କି ନାହିଁ ସେଥିରେ ଘୋର ସନ୍ଦେହ ପ୍ରକଟ କରିଛନ୍ତି ଶ୍ରୀ ପ୍ରଧାନ। ଏଜିପି ଶ୍ରୀ ଦାସଙ୍କୁ ଏ ସମ୍ପର୍କରେ ପଚରାଯିବାରୁ ସେ କହିଥିଲେ, ଆଇନ୍‌ ଅନୁସାରେ ଯାହା ଯେଉଁ ସମୟରେ ମୋର ପାଇବାର ଥିଲା ପାଇଛି।

ସେଥିରେ କୌଣସି ଅନିୟମିତତା ହୋଇନାହିଁ। ତେବେ ଯିଏ ଏଭଳି ଅଭିଯୋଗ କରିଛନ୍ତି, ରାଜନୈତିକ ଆକ୍ରୋଶ ରଖି ଅଯଥା ମୋତେ ବିବାଦୀୟ କରିବାକୁ ଅପଚେଷ୍ଟା କରିଛନ୍ତି। ସେପଟେ ଅତିରିକ୍ତ ଜିଲ୍ଲାପାଳ ସମ୍ବିତ୍‌ କୁମାର ନାୟକ କହିଛନ୍ତି, ଏଜିପିଙ୍କ ବିରୋଧରେ ଆସିଥିବା ଅଭିଯୋଗ ଉପରେ ତର୍ଜମା‌ କରାଯିବ। ତାହା ଯଦି ପ୍ରମାଣିତ ହୁଏ ତାହେଲେ ଆଇନ୍‌ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ। ସୂଚନାଯୋଗ୍ୟ, ଶ୍ରୀ ପ୍ରଧାନଙ୍କ ତରଫରୁ ଏହି ଅଭିଯୋଗ ଜିଲ୍ଲାପାଳ, ୫-ଟି ସଚିବଙ୍କ ସମେତ ବିଭିନ୍ନ ବିଭାଗର ଉଚ୍ଚ ଅଧିକାରୀଙ୍କ ନିକଟକୁ ପଠାଯାଇଛି।

ସମ୍ବନ୍ଧିତ ଖବର