ମାଲକାନଗିରି ଜିଲ୍ଲାବାସୀଙ୍କ ସହଯୋଗ ଲୋଡିଲା ପ୍ରଶାସନ: କରୋନା ଯୋଗୁଁ ସୀମା ସିଲ, ସାପ୍ତାହିକ ହାଟ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ମଧ୍ୟ କରୋନା ଆତଙ୍କ ନେଇ ଜିଲ୍ଲା ପ୍ରଶାସନ ତତ୍ପରତା ଦେଖାଇଛି। ଆଜି ଡିଆରଡିଏ ସଭାଗୃହରେ ଜିଲ୍ଲାପାଳ ମନିଷ ଅଗ୍ରୱାଲ ସିଡିଏମଓ ଶ୍ରୀ ମହାରଣା, ଉପଜିଲ୍ଲାପାଳ ରାମେଶ୍ବର ପ୍ରଧାନ ଏବଂ ସୂଚନା ଓ ଲୋକ ସଂପର୍କ ଅଧିକାରୀ ଦିଲୀପ ସାମନ୍ତରାୟ ଉପସ୍ଥିତ ରହି ଜିଲ୍ଲାବାସୀଙ୍କ ସହଯୋଗ କାମନା କରିଥିଲେ। କୌଣସି ବାହାର ବ୍ୟକ୍ତି ଯଦି ଜିଲ୍ଲା ଭିତରକୁ ପଶୁଛନ୍ତି ତେବେ ତାଙ୍କର ସବିଶେଷ ରିପୋର୍ଟ ପ୍ରଦାନ ପାଇଁ ପ୍ରଶାସନକୁ ସୂଚନା ଦେବା ପାଇଁ କୁହାଯାଇଛି। ସଂଦେହ ବ୍ୟକ୍ତିଙ୍କୁ ନୂତନ ଭାବେ ପୁରୁଣା ମେଡିକାଲରେ ଅସ୍ଥାୟୀ କରୋନା ଗୃହରେ ରଖାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି। ପୂର୍ବରୁ ଜିଲ୍ଲାରେ ଜଣେ ସନ୍ଦିଗ୍ଧ ରହିଥିଲେ। କିନ୍ତୁ ତାଂକର ସ୍ବାସ୍ଥ୍ୟ ପରୀକ୍ଷା କରିବା ପରେ ଜଣାପଡିଥିଲା ଯେ ସେ ସ୍ବାଇନ ଫ୍ଲୁ ରୋଗୀ । ତାଂକୁ ଜିଲ୍ଲା ହସପିଟାଲରେ ରଖାଯାଇ ଚିକିତ୍ସା କରାଯାଉଥିବା ଜିଲ୍ଲାପାଳ କହିଥିଲେ।

ତେବେ ଜିଲ୍ଲାର ସମସ୍ତ ସୀମାନ୍ତକୁ ସିଲ କରିଦିଆଯାଇଛି। ଆନ୍ଧ୍ର,ଛତିଶଗଡ ଏବଂ କୋରାପୁଟ ସୀମାରୁ ଆସୁଥିବା ବ୍ୟକ୍ତିମାନଙ୍କ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଛି। ବସରେ ଆସୁଥିବା ଲୋକଙ୍କୁ ମଧ୍ୟ ପଚରାଉଚରା କରାଯିବା ସହ ସଚେତନ କରାଯାଉଛି। ସମସ୍ତେ ଅନ୍ତତଃ ଏକ ମିଟର ଦୁରତାରେ ରହି କଥାବାର୍ତ୍ତା କରିବା ସହ ହାତ ନମିଳାଇବା ପାଇଁ ନିର୍ଦେଶ ଦିଆଯାଇଛି। କୌଣସି ବଜାର କିମ୍ବା ଜନଗହଳି ସ୍ଥାନରେ ଲୋକଙ୍କ ଭିଡକୁ ତୁରନ୍ତ ଖାଲି କରିବାକୁ କୁହାଯାଉଛି। ଜିଲ୍ଲା ପ୍ରଶାସନ ସହ ମେଡିକାଲ, ପୋଲିସ, ଆଶାକର୍ମୀ, ଅଂଗନବାଡି କର୍ମୀ ସମସ୍ତେ ଗାଁ ଗାଁ ବୁଲି ଲୋକଙ୍କୁ ସଚେତନ କରାଉଛନ୍ତି। ଗାଁକୁ ଆସୁଥିବା ବାହାର ଲୋକଙ୍କୁ ତୁରନ୍ତ ସୂଚନା ଦେବା ପାଇଁ ନିର୍ଦେଶ ରହିଛି। ସୋସିଆଲ ମିଡିଆରେ କୌମସି ଆପତ୍ତିଜନକ ମନ୍ତବ୍ୟ କିମ୍ବା ମିଥ୍ୟା ରିପୋର୍ଟ ପୋଷ୍ଟ ନକରିବା ପାଇଁ ତାଗିଦ କରାଯାଇଛି। ଜିଲ୍ଲାର ସମସ୍ତ ସାପ୍ତାହିକ ହାଟକୁ ଆଜି ବନ୍ଦ କରାଯାଇଥିବା କୁହାଯାଇଛି। କାଁ ଭାଁ ବ୍ୟବସାୟ ହୋଇଥିବା ସୂଚନା ମିଳିଛି। ସେହିପରି ପଡିଆ ଠାରେ ହେଉଥିବା ବଡଯାତ୍ରା କରୋନା ଯୋଗୁଁ ଫିକା ପଡିଯାଇଛି।କେବଳ ପୂଜକମାନଙ୍କୁ ପୂଜା କରିବା ପାଇଁ ଅନୁମତି ଦିଆଯାଇଥିବା ସୂଚନା ମିଳିଛି। ଭିଡ ଠାରୁ ଦୂରରେ ରହିବାକୁ ଲୋକଙ୍କୁ ସଚେତନ କରାଯାଉଛି। ଯଦି ସୀମାରେ ଲୋକେ ଭିତରକୁ ପଶିବାକୁ ଚେଷ୍ଟାକରନ୍ତି ତେବେ ୧୪୪ ଲାଗୁ କରାଯିବ ବୋଲି ଜିଲ୍ଲାପାଳ କହିଥିଲେ। ସନ୍ଦିଗ୍ଧ ଲୋକଙ୍କୁ ଘରୁ ବାହାରକୁ ବାହାରିବାକୁ ମନା କରାଯାଇଛି। ନିଜେ ମାସ୍କ ପିନ୍ଧିବା ସହ ପ୍ରଶାସନକୁ ସହଯୋଗ କରିବା ପାଇଁ କୁହାଯାଇଛି।

ଜିଲ୍ଲାର ସମସ୍ତ ସ୍କୁଲ ଓ କଲେଜ ବନ୍ଦ ରହିଥିବା ବେଳେ ଆମିଷ ଦୋକାନରେ ମଧ୍ୟ ଏହାର ପ୍ରଭାବ ପଡୁଥିବା ଦେଖିବାକୁ ମିଳିଛି। ସେହିପରି ସିନେମା ହଲ ବନ୍ଦ ହୋଇଥିବା ବେଳେ ବଜାରରେ ମଧ୍ୟ ଭିଡ କମୁଥିବା ଦେଖିବାକୁ ମିଳିଛି।ଆସନ୍ତାକାଲି ମାଲକାନଗିରିରେ ସାପ୍ତାହିକ ହାଟ ରହିଥିବାରୁ ଲୋକଙ୍କୁ ଅଯଥାରେ ଭିଡ ନଜମାଇବା ପାଇଁ କୁହାଯାଇଛି। ପୋଲିସ ପ୍ରଶାସନ ତରଫରୁ ମଧ୍ୟ ଜିଲ୍ଲାରେ ହାଇଆଲର୍ଟ ଜାରି କରାଯାଇଛି। ପୋଲିସ ଲୋକଙ୍କୁ ସଚେତନ କରାଉଛି। ଜିଲ୍ଲାରେ ହେଉଥିବା ଭୋଜି ମହୋତ୍ସବ, ବୈଠକ ଇତ୍ୟାଦିକୁ ବନ୍ଦ କରାଯାଇଛି। ଜିଲ୍ଲା ପ୍ରଶାସନ ସବୁଦିଗକୁ ନଜର ରଖିଥିବା ସହ ସମସ୍ତଙ୍କର ସହଯୋଗ ହେଲେ ଏହାକୁ ଆମେ ଜୟ କରି ପାରିବା ବୋଲି କୁହିଛନ୍ତି।

ସମ୍ବନ୍ଧିତ ଖବର