ଜଣେ ଅଧ୍ୟକ୍ଷ, ଜଣେ ସଦସ୍ୟରେ ଚାଲିଛି ସଂସ୍ଥା

ଓପିଏସ୍‌ସି ପ୍ରତି ଉଦାସୀନ ସରକାର

କଟକ: ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଏବେ ଜଣେ ଅଧ୍ୟକ୍ଷ ଓ ଜଣେ ସଦସ୍ୟଙ୍କୁ ନେଇ କାର୍ଯ୍ୟ କରୁଛି। ଯେଉଁଠି ଜଣେ ଅଧ୍ୟକ୍ଷ ଓ ୫ ଜଣ ସଦସ୍ୟ କାର୍ଯ୍ୟ କରିବା କଥା ସେଠି ଅଛନ୍ତି ମାତ୍ର ୨ ଜଣ। ଅବସରପ୍ରାପ୍ତ ବ୍ରିଗେଡିୟର ଲକ୍ଷ୍ମୀଚରଣ ପଟ୍ଟନାୟକ ବର୍ତ୍ତମାନ ଓପିଏସ୍‌ସିର ଅଧ୍ୟକ୍ଷ ରହିଥିବା ବେଳେ ରାଜ୍ୟ ସରକାରଙ୍କ ପୂର୍ବତନ ସ୍ୱତନ୍ତ୍ର ସଚିବ ଜଗନ୍ନାଥ ମହାନ୍ତିଙ୍କୁ ଓପିଏସ୍‌ସିର ସଦସ୍ୟ ଭାବେ କାର୍ଯ୍ୟ କରୁଛନ୍ତି। ଶ୍ରୀ ମହାନ୍ତି ହେଉଛନ୍ତି ମୂଳତଃ ଓଡ଼ିଶା ପ୍ରଶାସନିକ ସେବାର ଅଧିକାରୀ। ଓପିଏସ୍‌ସି ରାଜ୍ୟ ପ୍ରଶାସନିକ ସେବା ସମେତ ରାଜ୍ୟ ବିଚାରବିଭାଗୀୟ ସେବା, ଡାକ୍ତର, ଇଂଜିନିୟର, ଅଧ୍ୟାପକ ଭଳି ବହୁ ଗୁରୁତ୍ୱପୂର୍ଣ୍ଣ ନିଯୁକ୍ତିରେ ସିଧାସଳଖ ଭାବେ ସଂପୃକ୍ତ। କିନ୍ତୁ ଓପିଏସ୍‌ସି ଭଳି ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗ ପ୍ରତି ସରକାରୀ ଉଦାସୀନତା ବିଭିନ୍ନ ମହଲରେ ପ୍ରତିକ୍ରିୟାର କାରଣ ହୋଇଛି। ବର୍ତ୍ତମାନର ଓପିଏସ୍‌ସି ସ୍ଥିତି ଯାହା ସେଥିରେ ଜଣେ ଭାରତୀୟ ପ୍ରଶାସନିକ ସେବାର ଜଣେ ଦକ୍ଷ ଅଧିକାରୀଙ୍କୁ ସଦସ୍ୟ ଭାବେ ନିଯୁକ୍ତ କରିବାକୁ ମତ ପ୍ରକାଶ ପାଇଛି। ଓପିଏସ୍‌ସି ଦ୍ୱାରା ପରିଚାଳିତ ସବୁଠୁ ଗୁରୁତ୍ୱପୂର୍ଣ୍ଣ ପ୍ରଶାସନିକ ସେବାର ନିଯୁକ୍ତି ପ୍ରକ୍ରିୟାର ମୌଖିକ ପରୀକ୍ଷା ବୋର୍ଡରେ ସାଧାରଣତଃ ଅଧ୍ୟକ୍ଷ ଏବଂ ସଦସ୍ୟ ଅଧ୍ୟକ୍ଷତା କରିଥାନ୍ତି। ତେଣୁ ଉପଯୁକ୍ତ ପ୍ରାର୍ଥୀ ଚୟନରେ ଭାରତୀୟ ପ୍ରଶାସନିକ ସେବାର ବରିଷ୍ଠ ଅଧିକାରୀଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ତେଣୁ ଓପିଏସ୍‌ସିକୁ ଅଧିକ ସକ୍ରିୟ କରିବା ପାଇଁ ଯୋଗ୍ୟ ସଦସ୍ୟ ମନୋନୟନ ପାଇଁ ମତପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର