ପଦୋନ୍ନତି ପାଇଁ ସରକାରଙ୍କ ନୂଆ ନିର୍ଦେଶନାମା : ଅଭିଯୁକ୍ତ କର୍ମଚାରୀ ଦୋଷମୁକ୍ତ ପରେ ପାଇବେ ପଦୋନ୍ନତି

ଭୁବନେଶ୍ବର : ରାଜ୍ୟ ସରକାର କର୍ମଚାରୀଙ୍କ ପାଇଁ ଉଦ୍ଦିଷ୍ଟ ସାଧାରଣ ଚାକିରି ସର୍ତ୍ତାବଳୀରେ ଗୋଟିଏ ପରେ ଗୋଟିଏ ପରିବର୍ତ୍ତନ ଆଣିବାରେ ଲାଗିଛନ୍ତି। ପ୍ରଥମେ ଅସାଧୁ ଓ ଅପାରଗ କର୍ମଚାରୀଙ୍କୁ ସମୟ ପୂର୍ବରୁ ଅବସର ଦେବାର ନିୟମ ଆଣିଲେ। ପରେ ୫-ଟି ଓ ମୋ ସରକାର ଯୋଜନାର ସଫଳ ରୂପାୟନ ପାଇଁ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ଆଗୁଆ ପଦୋନ୍ନତି ଦେବାର ନିୟମ ପ୍ରଣୟନ କଲେ। ଏବେ ଆଉ ଗୋଟିଏ ନିୟମ ଲାଗୁ କରିବାକୁ ସରକାରୀ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଶେଷ ହେଲା ପରେ କର୍ମଚାରୀଙ୍କୁ କିପରି ଓ କେବେଠାରୁ ପଦୋନ୍ନତି ଦିଆଯିବ ସେ ସଂକ୍ରାନ୍ତରେ ଚଳିତ ମାସ ପ୍ରଥମ ସପ୍ତାହରେ ଆଉ ଏକ ନିର୍ଦେଶନାମା ଜାରି କରିଛନ୍ତି। କୌଣସି କର୍ମଚାରୀ ପୂର୍ଣ୍ଣରୂପେ ଦୋଷମୁକ୍ତ ହେଲେ ବା ସାମାନ୍ୟ ଦଣ୍ଡରେ ଦଣ୍ଡିତ ହେଲେ, ତାଙ୍କୁ ପିଛିଲା ତାରିଖରୁ ପଦୋନ୍ନତି ମିଳିବ। କିନ୍ତୁ ପିଛିଲା ଦିନର ବକେୟା ଦରମା ସଂପୃକ୍ତ କର୍ମଚାରୀ ପାଇବେ ନାହିଁ।

ଚଳିତ ମାସ ୪ ତାରିଖରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ବିଜ୍ଞପ୍ତି ଅନୁଯାୟୀ, ସାଧାରଣ ଚାକିରି ସର୍ତ୍ତାବଳୀରେ କେତେକ ସଂଶୋଧନ କରାଯାଇଛି। ଯେଉଁ ସରକାରୀ କର୍ମଚାରୀଙ୍କ ବିରୋଧରେ ମୁଖ୍ୟତଃ ୧୯୬୨ ମସିହା ଓଡ଼ିଶା ବେସାମରିକ ସେବା (ସି.ସି. ଆଣ୍ଡ୍ ଏ) ନିୟମାବଳୀର ଧାରା ୧୫ ଅନୁଯାୟୀ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥାଏ ତାହେଲେ ସମ୍ପୃକ୍ତ ଅଭିଯୁକ୍ତ କର୍ମଚାରୀ ସମ୍ପୂର୍ଣ୍ଣ ଭାବେ ଦୋଷମୁକ୍ତ ହେବା ପରେ ତାଙ୍କୁ ପଦୋନ୍ନତି ମିଳିବ। ଏହି ପଦୋନ୍ନତି ପିଛିଲା ଭାବେ ସମ୍ପୃକ୍ତ କର୍ମଚାରୀଙ୍କ ଜୁନିଅର୍ ପଦୋନ୍ନତି ପାଇବା ଦିନଠାରୁ ଲାଗୁ ହେବ। କିନ୍ତୁ ପଦୋନ୍ନତି ବାବଦରେ ପିଛିଲା ଦିନର ବର୍ଦ୍ଧିତ ଦରମା ତାଙ୍କୁ ମିଳିବ ନାହିଁ। ସେହିପରି ଯେଉଁ ଅଭିଯୁକ୍ତ କର୍ମଚାରୀ ଜରିମାନା, ସାବଧାନତା ନିର୍ଦ୍ଦେଶ, ଅସ୍ଥାୟୀ ଭାବେ ବାର୍ଷିକ ଇନକ୍ରିମେଣ୍ଟରୁ ଅନ୍ତର ଏବଂ କ୍ଷତିପୂରଣ ଆଦାୟ ପରି ସାମାନ୍ୟ ଦଣ୍ଡରେ ଦଣ୍ଡିତ ହୋଇଥିବେ; ସେ ମଧ୍ୟ ତାଙ୍କ କନିଷ୍ଠଙ୍କ ପଦୋନ୍ନତି ପାଇଥିବା ଦିନଠାରୁ ପିଛିଲା ଭାବେ ପଦୋନ୍ନତି ପାଇବେ। ଏ କ୍ଷେତ୍ରରେ ବି ତାଙ୍କୁ ପିଛିଲା ଦିନର ବର୍ଦ୍ଧିତ ଦରମା ମିଳିବ ନାହିଁ। ଖାଲି ସେତିକି ନୁହେଁ, ଯେଉଁ ଅଭିଯୁକ୍ତ କର୍ମଚାରୀ ନିଲମ୍ବନ ପରି ସାମାନ୍ୟ ଦଣ୍ଡରେ ଦଣ୍ଡିତ ହେବେ; ସେ ଅନ୍ୟମାନଙ୍କ ପରି ପିଛିଲା ଭାବେ ପଦୋନ୍ନତି ପାଇବେ ନାହିଁ। ନିଲମ୍ବନ ଅବଧି ଶେଷ ହେବା ପରେ ତାଙ୍କୁ ପଦୋନ୍ନତି ଦିଆଯିବ। ସେହିପରି ଯେଉଁ କର୍ମଚାରୀଙ୍କୁ ଦଣ୍ଡସ୍ବରୂପ ପଦୋନ୍ନତି ବାରଣ ହେବ, ସେ କ୍ଷେତ୍ରରେ ସମ୍ପୃକ୍ତ କର୍ମଚାରୀ ପିଛିଲା ତାରିଖରୁ ପଦୋନ୍ନତି ପାଇବେ ନାହିଁ। ତାଙ୍କ ବିଷୟରେ ପରବର୍ତ୍ତୀ ପଦୋନ୍ନତି କମିଟି ବିଚାର କରିବ।

ସରକାରଙ୍କ ଏପରି ନିଷ୍ପତ୍ତି ଉପରେ ଯଦିଓ କୌଣସି କର୍ମଚାରୀ ସଂଘ କୌଣସି ପ୍ରତିକ୍ରିୟା ରଖିନାହାନ୍ତି; ତେବେ ନିର୍ମାଣ ବିଭାଗର ଜନୈକ ବରିଷ୍ଠ ଅଧିକାରୀଙ୍କ କହିବା କଥା ସାଧାରଣ ପ୍ରଶାସନ ବିଭାଗର ଏପରି ନିଷ୍ପତ୍ତି ତ୍ରୁଟିପୂର୍ଣ୍ଣ। ୧୯୯୭ ମସିହା ନଭେମ୍ବର ୧ ତାରିଖରେ ସରକାର ପ୍ରକାଶ କରିଥିବା ବିଜ୍ଞପ୍ତି ଅନୁଯାୟୀ ପିଛିଲା ଭାବେ ବର୍ଦ୍ଧିତ ଦରମା ଦେବା ପାଇଁ ଥିବା ପ୍ରାବଧାନକୁ ଗତ ୪ ତାରିଖର ବିଜ୍ଞପ୍ତିରେ ଉଚ୍ଛେଦ କରାଯାଇନାହିଁ। ଯେତେବେଳେ କୌଣସି ଅଭିଯୁକ୍ତ କର୍ମଚାରୀ ପୂର୍ଣ୍ଣରୂପେ ଦୋଷମୁକ୍ତ ହେଉଛନ୍ତି ଓ ସରକାର ତାଙ୍କୁ ପିଛିଲା ତାରିଖରୁ ପଦୋନ୍ନତି ଦେଉଛନ୍ତି, ସେ କ୍ଷେତ୍ରରେ ପିଛିଲା ବର୍ଦ୍ଧିତ ଦରମା ମନା କରିବା ପଛରେ ଯୁକ୍ତି କଣ? ଏହା ମାନ୍ୟବର ସୁପ୍ରିମକୋର୍ଟଙ୍କ ଆଦେଶର ବିରୋଧାଚରଣ କରୁଛି ବୋଲି ସେ କହିଛନ୍ତି।

ସେହିପରି ଯେଉଁ କର୍ମଚାରୀଙ୍କୁ ନିଲମ୍ବନର ଦଣ୍ଡ ମିଳିବ ତାଙ୍କ କ୍ଷେତ୍ରରେ କେଉଁ ଦିନରୁ ତାଙ୍କର ନିଲମ୍ବନ ଅବଧି ହିସାବକୁ ନିଆଯିବ ତାର ସ୍ପଷ୍ଟ ଉଲ୍ଲେଖ ନାହିଁ। ପରି କ୍ଷେତ୍ରରେ ଯଦି ତାଙ୍କ କନିଷ୍ଠ ପଦୋନ୍ନତି ପାଇଥିବା ତାରଖଠାରୁ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଫଇସଲା ହେବା ପର୍ଯ୍ୟନ୍ତ ସମୟ ନିଲମ୍ବନ ଅବଧିଠାରୁ ଅଧିକ ହୋଇଥାଏ, ତେବେ ଏ ନିୟମ ଦ୍ବାରା ସମ୍ପୃକ୍ତ କର୍ମଚାରୀ ଅଧିକ କ୍ଷତିଗ୍ରସ୍ତ ହେବେ। ଏବର ସାଧାରଣ ପ୍ରଶାସନ ବିଭାଗ ପ୍ରକାଶ କରିଥିବା ବିଜ୍ଞପ୍ତି ପତ୍ରର ଶେଷ ପାରା ସମ୍ପୂର୍ଣ୍ଣ ଭାବେ ତ୍ରୁଟିପୂର୍ଣ୍ଣ ବୋଲି ଅଧିକାରୀ ଜଣକ କହିଛନ୍ତି। ଲୋକସେବା ଭବନର ଆଉ କେତେକ ଅଧିକାରୀ ମତ ରଖି କହିଛନ୍ତି, ଯେଉଁ କର୍ମଚାରୀଙ୍କୁ ଦଣ୍ଡସ୍ବରୂପ ପଦୋନ୍ନତି ବାରଣ କରାଯାଇଥାଏ, ତାହା ଏକ ନିର୍ଦ୍ଦିଷ୍ଟ ବର୍ଷ ପାଇଁ ବାରଣ କରାଯାଇଥାଏ। ତେଣୁ ପରବର୍ତ୍ତୀ ପଦୋନ୍ନତି କମିଟି ତାଙ୍କ ପଦୋନ୍ନତି ପ୍ରସଙ୍ଗ ବିଚାର କରିବ ବୋଲି ଯାହା ଉଲ୍ଲେଖ ରହିଛି ତାହ ଅସଙ୍ଗତି ସୃଷ୍ଟି କରୁଛି। ଏପରି କ୍ଷେତ୍ରରେ ସମ୍ପୃକ୍ତ କର୍ମଚାରୀଙ୍କୁ ପିଛିଲା ତାରିଖରୁ ପଦୋନ୍ନତି ନ ଦେଲେ ତାହା ମାତ୍ରାଧିକ ଦଣ୍ଡ ହୋଇଯିବ ବୋଲି ମତ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର