ଭୁବନେଶ୍ବର: ଚାକିରିରେ ଯୋଗଦେବା ବେଳେ ସାଧୁତା ଓ ସଚ୍ଚୋଟତାକୁ ପ୍ରାଥମିକତା ଦେବା ସହ ନିଷ୍ଠାର ସହ ଲୋକଙ୍କ ସେବା କରିବେ ବୋଲି ଶପଥ ନେଇଥିଲେ। କିନ୍ତୁ ଚାକିରି କାଳରେ ପାହାଡ଼ ଉଚ୍ଚରେ କଳାଟଙ୍କା ଜମା କଲେ। ଲୋକଙ୍କ ସ୍ବାର୍ଥକୁ ଜଳାଞ୍ଜଳି ଦେଇ ନିଜ ସ୍ବାର୍ଥକୁ ପ୍ରାଥମିକତା ଦେଲେ। କୋଟିପତି କୁବେର ହେବା ନିଶାରେ ମୋହଗ୍ରସ୍ତ ହୋଇ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବାରେ ଲାଗିପଡ଼ିଲେ। ଗଦାଗଦା କଳା ଟଙ୍କା ଜମାକଲେ। ଏମିତିକି ଲୁଚାଇ ରଖିବାକୁ ଜାଗା ମିଳିଲାନି। କିଏ ପାଇପ୍ ଭିତରେ ଜାକିଜୁକି ପୂରାଇଲା ତ କିଏ ଖଟ ଗଦି ଭିତରେ ଲୁଚାଇ ତା’ ଉପରେ ଶୋଇଲା। କିନ୍ତୁ ସବୁଦିନ ରହିଲା ନାହିଁ ଚାନ୍ଦିନୀ ରାତି। ହଠାତ୍ ଭିଜିଲାନ୍ସ ପଞ୍ଝା ସେମାନଙ୍କ ଉପରକୁ ଝାମ୍ପଦେଲା। କଳା ଟଙ୍କା ଠୁଳ କରିବା ଅପରାଧରେ ଭିଜିଲାନ୍ସ ସେମାନଙ୍କୁ ଜେଲ୍ର କଳା ଅନ୍ଧାର କୋଠରୀକୁ ଧକ୍କା ଦେଇ ପୂରାଇଲା। ଗତ ୨ ବର୍ଷରେ ଭିଜିଲାନ୍ସକୁ ଏମିତି ୭ଜଣ କୋଟିପତି ମିଳିଛନ୍ତି। ଜଳସେଚନ, ପରିବହନ, ଇଡ୍କଲ୍, ପୁଲିସ ବିଭାଗ ଓ ବ୍ଲକ୍ କାର୍ଯ୍ୟାଳୟରୁ ଭିଜିଲାନ୍ସ ଏହି ସବୁ କୁବେର ସରକାରୀ ବାବୁଙ୍କୁ ଉଠାଇଛି। ୨୦୨୩ ଆର୍ଥିକ ବର୍ଷର ଭିଜିଲାନ୍ସ ରିପୋର୍ଟ ଅନୁସାରେ ମୋଟ ୨୬୫ ମାମଲା ରୁଜୁ ହୋଇଛି ଏବଂ ସେଥିରୁ ୮୫ଟି ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲା। ଏସବୁ ମାମଲାରେ ୧୨୪ କୋଟି ଟଙ୍କା ଠାବ ହୋଇଛି। ସେହିଭଳି ୨୦୨୨ର ରିପୋର୍ଟ ଅନୁସାରେ ୨୮୫ ମାମଲା ଭିତରୁ ୮୪ ଟି ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲା ଥିଲା। ସେସବୁ ମାମଲାରେ ୧୭୪ କୋଟିରୁ ଅଧିକ ଟଙ୍କା ଜବତ କରାଯାଇଥିଲା।
୨୦୨୪, ଜୁଲାଇ
ବଲାଙ୍ଗିର ଲୋୟର୍ ସୁକତେଲ ପ୍ରୋଜେକ୍ଟର ଚିଫ୍ କନ୍ଷ୍ଟ୍ରକ୍ସନ୍ ଇଂଜିନିୟର ସୁନୀଲ ରାଉତ ଗିରଫ ହୋଇ ଜେଲ୍ ଯାଇଛନ୍ତି। ତାଙ୍କ ପାଖରେ ପାଖାପାଖି ୧୦ କୋଟିରୁ ଅଧିକ ଟଙ୍କାର ଆୟବହିର୍ଭୂତ ସମ୍ପତ୍ତି ଥିବା ନେଇ ଆକଳନ କରାଯାଇଛି। ଓଡ଼ିଶା ବାଦ୍ ଉତ୍ତରପ୍ରଦେଶ ମଥୁରାରେ ବି ସେ ରାଜକୀୟ ବଙ୍ଗଳା ନିର୍ମାଣ କରିଥିବା ଜଣାପଡ଼ିଛି।
୨୦୨୪, ଫେବ୍ରୁଆରି ୧୬
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ବୌଦ୍ଧ ଆର୍ଟିଓ ବସନ୍ତ କୁମାର ମହାପାତ୍ରଙ୍କୁ ଭିଜିଲାନ୍ସ ଗିରଫ କଲା। ତାଙ୍କ ନିକଟରେ ୧୦ କୋଟିର ଅଧିକ ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଥିବା ଆକଳନ କରାଯାଇଥିଲା। ଆୟ ତୁଳନାରେ ଏହି ସମ୍ପତ୍ତି ପାଖାପାଖି ୪୪୫% ବୋଲି ହିସାବ କରାଗଲା। ତାଙ୍କ କଳା ଟଙ୍କାରେ ଓଡ଼ିଶାରୁ ବେଙ୍ଗାଲୁରୁ ପର୍ଯ୍ୟନ୍ତ ସମ୍ପତ୍ତି କିଣା ହୋଇଥିବା ତଥ୍ୟ ମିଳିଥିଲା। କେବଳ ସେ ନୁହନ୍ତି, ଏହି ମାମଲାରେ ତାଙ୍କ ପତ୍ନୀ ଓ ପୁଅ ମଧ୍ୟ ଛନ୍ଦି ହୋଇଛନ୍ତି। ରାଜ୍ୟ ପରିବହନ ବିଭାଗରେ ହେଉଥିବା ଦୁର୍ନୀତିର ଏହା ଏକ ଝଲକ ଥିଲା ବୋଲି ସେତେବେଳେ ଜୋର୍ଦାର୍ ଚର୍ଚ୍ଚା ହୋଇଥିଲା।
୨୦୨୪, ମାର୍ଚ୍ଚ ୪
ଖଣି ନିର୍ଦ୍ଦେଶାଳୟର କାର୍ଯ୍ୟରତ ଯୁଗ୍ମ ନିର୍ଦ୍ଦେଶକ ଉମେଶ ଚନ୍ଦ୍ର ଜେନାଙ୍କୁ ଭିଜିଲାନ୍ସ ଗିରଫ କଲା। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇଦିଆଗଲା। ତାଙ୍କ ପାଖରୁ ମଧ୍ୟ ୧୦ କୋଟିର ଅଧିକ ଆୟ ବହିର୍ଭୂତ ସମ୍ପତ୍ତି ଜମା ହୋଇଥିବା ଆକଳନ କରାଯାଇଥିଲା। ଏଥିରୁ ରାଜ୍ୟରେ ଚାଲିଥିବା ଖଣି ଦୁର୍ନୀତିର ଗନ୍ଧ ବାରି ହୋଇପଡ଼ୁଥିଲା।
୨୦୨୩, ଜୁନ୍ ୨୭
ଦେବଗଡ଼ ଜିଲ୍ଲା ରେମାଳ ବ୍ଲକ୍ର ଆକାଉଟାଣ୍ଟ ରାଜେନ୍ଦ୍ର ଦାସଙ୍କୁ ଭିଜିଲାନ୍ସ ବାନ୍ଧିଲା। ଏହି କୁବେର ବାବୁଙ୍କ ନିକଟରେ ୮ କୋଟିରୁ ଅଧିକ ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଥିବା ଗଣନା କରାଯାଇଥିଲା। ଗୋଟିଏ ବ୍ଲକ୍ର ଜଣେ ସାଧାରଣ କିରାଣୀଙ୍କ ପାଖରୁ ଏତେଗୁଡ଼ାଏ କଳା ଟଙ୍କା ମିଳିବା, ସେତେବେଳେ ରାଜ୍ୟରେ ହଇଚଇ ସୃଷ୍ଟି କରିଥିଲା।
୨୦୨୨, ଡିସେମ୍ବର ୨୨
ଇଡ୍କଲ୍ କାର୍ଯ୍ୟାଳୟର ଜଏଣ୍ଟ ମ୍ୟାନେଜର୍ ଗୟା ସାମନ୍ତରାୟ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଯାଇଥିଲେ। ତାଙ୍କ ନିକଟରୁ ମଧ୍ୟ ୧୦ କୋଟିରୁ ଅଧିକ ଟଙ୍କା ମୂଲ୍ୟର ଆୟ ବହିର୍ଭୂତ ସମ୍ପତ୍ତି ଜବତ କରାଯାଇଥିଲା। ଖୋଦ୍ ରାଜଧାନୀରୁ ଲୋକଲୋଚନକୁ ଆସିଥିବା ଏହି ମାମଲା ସେତେବେଳେ ଇଡ୍କଲ୍ ଦୁର୍ନୀତିର ପର୍ଦ୍ଦାଫାସ କରିଥିଲା।
୨୦୨୨ ଫେବ୍ରୁଆରି ୧୫
ଭିଜିଲାନ୍ସ ମଧ୍ୟ ପୁଲିସ ବିଭାଗକୁ ଛାଡ଼ିନାହିଁ। ଅତିରିକ୍ତ ସୁପରିନ୍ଟେଣ୍ଡେଣ୍ଟ (କମ୍ୟୁନିକେସନ୍) ତ୍ରିନାଥ ମିଶ୍ରଙ୍କୁ ସମାନ ଅଭିଯୋଗରେ ଗିରଫ କରାଯାଇଛି। ତାଙ୍କ ପାଖରୁ ପ୍ରାୟ ୯ କୋଟିରୁ ଅଧିକ ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଜବତ କରାଯାଇଥିଲା। ଏଥିପାଇଁ ତାଙ୍କୁ ଚାକିରି ହରାଇବାକୁ ପଡ଼ିଛି।
୨୦୨୨, ଏପ୍ରିଲ୍ ୬
ସେହିପରି ଗଞ୍ଜାମ ଜିଲ୍ଲା ଭଞ୍ଜନଗର ମାଇନର୍ ଇରିଗେସନ୍ ବିଭାଗର ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ବର ରାଉଳଙ୍କୁ ଭିଜିଲାନ୍ସ ବାନ୍ଧିଥିଲା। ତାଙ୍କ ନିକଟରରୁ ୭ କୋଟିରୁ ଅଧିକ ଟଙ୍କାର ଆୟ ବହିର୍ଭୂତ ସଂପତ୍ତି ଜବତ କରାଯାଇଥିଲା।