ସରକାରୀ ବାବୁଙ୍କୁ ଓଡ଼ିଆ ଭାଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ

ଭୁବନେଶ୍ବର : ସରକାରୀ ବାବୁମାନଙ୍କୁ ଓଡ଼ିଆ ଭାଷାରେ ପ୍ରଶାସନିକ କାର୍ଯ୍ୟ କରିବା ନେଇ ଦକ୍ଷ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ଓଡ଼ିଆ ଭାଷା ପ୍ରତିଷ୍ଠାନ ପକ୍ଷରୁ ‘ସରକାରୀ କାର୍ଯ୍ୟାଳୟରେ ଓଡ଼ିଆ ଭାଷାର ବ୍ୟବହାର’ ସମ୍ପର୍କିତ ଏହି ପ୍ରଶିକ୍ଷଣ ଦିଆଯାଉଛି। ଏଥିରେ ଲୋକସେବା ଭବନର ୧୫ଟି ବିଭାଗରୁ ୪୦ ଜଣ ଅଧିକାରୀ ଓ କର୍ମଚାରୀ ଅଂଶଗ୍ରହଣ କରି ତାଲିମ୍‌ ନେଉଛନ୍ତି।

ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ମନୋରଂଜନ ପାଣିଗ୍ରାହୀ, ବିଭାଗୀୟ ନିର୍ଦେଶକ ବିଜୟ କୁମାର ନାୟକ, ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗର ଅତିରିକ୍ତ ଶାସନ ସଚିବ ହିମାଂଶୁ ଭୂଷଣ ପଣ୍ଡା ଏବଂ ଓଡ଼ିଆ ଭାଷା ପ୍ରତିଷ୍ଠାନର ନିର୍ଦେଶିକା ଡ. ତମସାରାଣୀ ଦାସ ମହାପାତ୍ର ଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିବା ସହ ଓଡ଼ିଆ ଭାଷାର ମହତ୍ତ୍ବ, ସରକାରୀ ସ୍ତରରେ ଏହାର ଉପଯୋଗିତା ଏବଂ ସାଧାରଣ ଲୋକଙ୍କ ନିମନ୍ତେ ଭାଷାର ବ୍ୟବହାର ବାବଦରେ ଆଲୋକପାତ କରିଥିଲେ।

ବିଶିଷ୍ଟ ଭାଷାବିତ୍‌ ଡ. କୈଳାସ ଚନ୍ଦ୍ର ଟିକାୟତରାୟ, ଡ. ସୁରେନ୍ଦ୍ର କୁମାର ମିଶ୍ର, ଡ. ହରପ୍ରସାଦ ମିଶ୍ର, ଡ. ସୀତାଂଶୁ କୁମାର ଦାସ ଓ ଡ. ବୈଷ୍ଣବ ଚରଣ ମହାନ୍ତି ପ୍ରଶିକ୍ଷକ ଭାବେ ଯୋଗ ଦେଇଥିବା ବ‌େଳେ ୨୫ ତାରିଖ ପର୍ଯ୍ୟନ୍ତ ଏହି ପ୍ରଶିକ୍ଷଣ ଦିଆଯିବ। ମାନକ ଭାଷା, କଥିତ ଭାଷା, ଲିଖିତ ଭାଷା, ଶବ୍ଦର ବ୍ୟାବହାରିକ ରୂପ ଉପରେ ଆଜି ପ୍ରଶିକ୍ଷଣ ଦେଇଥିଲେ ଡ. ଟିକାୟତରାୟ। ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇଥିବା ବ‌େଳେ ଓଡ଼ିଆ ଭାଷାକୁ ସରକାରୀ ସ୍ତରରେ ବ୍ୟବହାର ଓ ପ୍ରୟୋଗ ନେଇ ଏପରି କାର୍ଯ୍ୟକ୍ରମ କରାଯାଉଥିବା ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର