ଓଡ଼ିଆ ବ୍ୟବହାର ଶିଖିବେ ସରକାରୀ ବାବୁ

ଭୁବନେଶ୍ୱର : ସରକାରୀ ନଥିପତ୍ର ଓଡ଼ିଆ ଭାଷାରେ ଲେଖିବା ବାଧ୍ୟତାମୂଳକ ହେବ। କେବଳ ବୋଝ ଲଦି ନ ଦେଇ ଅଧିକାରୀମାନେ କିଭଳି ଓଡ଼ିଆ ଭାଷାର ଉଚିତ ବ୍ୟବହାର କରିପାରି‌ବେ, ସେନେଇ କାର୍ଯ୍ୟପନ୍ଥା ଗ୍ରହଣ କରାଯାଇଛି। ସରକାରୀ ବାବୁମାନଙ୍କୁ ଓଡ଼ିଆ ଭାଷା ସମ୍ବନ୍ଧୀୟ ତାଲିମ୍‌ ଦେବାର ବ୍ୟବସ୍ଥା ହୋଇଛି। ରାଜ୍ୟ ସଂସ୍କୃତି ବିଭାଗ ଅଧୀନ ‘ଓଡ଼ିଆ ଭାଷା ପ୍ରତିଷ୍ଠାନ’ ପକ୍ଷରୁ ବିଭିନ୍ନ ବିଭାଗର ଅଧିକାରୀଙ୍କ ପାଇଁ ୫ ଦିନିଆ ପ୍ରଶିକ୍ଷଣର ବନ୍ଦୋବସ୍ତ କରାଯାଇଛି। ଓଡ଼ିଆ ଭାଷା ପ୍ରତିଷ୍ଠାନ ପକ୍ଷରୁ ଏ ସଂକ୍ରାନ୍ତୀୟ ଏକ ସ୍ବତନ୍ତ୍ର ପାଠ୍ୟ ଖସଡ଼ା ପ୍ରସ୍ତୁତ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ସରକାରଙ୍କ ୧୫ଟି ବିଭାଗର ୪୦ଜଣ ଅଧିକାରୀ ତାଲିମ୍‌ ନେବେ। ଭୁବନେଶ୍ବରର ଅଧିକାରୀଙ୍କୁ ପର୍ଯ୍ୟାୟକ୍ରମ‌େ ତାଲିମ୍‌ ଦେବା ପରେ ଅନ୍ୟ ଜିଲ୍ଲା ଓ ବ୍ଲକ୍‌ସ୍ତରରେ ଆରମ୍ଭ ହେବ।

ପୂର୍ବରୁ ୨୦୧୦ ମସିହାରେ ମଧ୍ୟ ସ୍ବତନ୍ତ୍ର ପାଠ୍ୟ ଖସଡ଼ା ପ୍ରସ୍ତୁତ କରି ପ୍ରଶିକ୍ଷଣ ଦିଆଯାଇଥିଲା। ଏହାର ୯ବର୍ଷ ପରେ ପୁନର୍ବାର ଏହି ପ୍ରକ୍ରିୟା ଆରମ୍ଭ ହୋଇଛି। ବିଶେଷକରି ମାନକ ଭାଷା, କଥିତ ଭାଷା, ଲିଖିତ ଭାଷା, ଶବ୍ଦର ବ୍ୟାବହାରିକ ରୂପ, ଓଡ଼ିଆ ଭାଷାର ପ୍ରଶାସନିକ ପ୍ରୟୋଗ ଶୈଳୀ ଓ କୌଶଳ, ସଂଖ୍ୟା ଓ ତାରିଖର ବ୍ୟବହାର ଶୈଳୀ, ପ୍ରାଶାସନିକ ଶବ୍ଦ ଚୟନ ଓ ଶବ୍ଦ ଗଠନ, ବନାନ ଶୁଦ୍ଧତା ଓ ଆବଶ୍ୟକତା, ବାକ୍ୟଗଠନ ଓ ଚିହ୍ନ ପ୍ରୟୋଗ, ଟିପ୍ପଣୀ ଓ ଚିଠା ପ୍ରସ୍ତୁତି, ଆଦେଶନାମା ପ୍ରସ୍ତୁତି, ଇଂରାଜୀରୁ ଓଡ଼ିଆ ଟିପ୍ପଣୀ, ଚିଠା ଆଦେଶନାମା ଅନୁବାଦ, ଅନୁବାଦ ଶୈଳୀ ଆଦି ‌ବିଷୟରେ ପ୍ରଶିକ୍ଷଣ ପ୍ରଦାନ କରାଯିବ ବୋଲି ଓଡ଼ିଆ ଭାଷା ପ୍ରତିଷ୍ଠାନର ନିର୍ଦେଶିକା ଡ. ତମସାରାଣୀ ଦାସ ମହାପାତ୍ର କହିଛନ୍ତି।

ଡ. ଦାସ ମହାପାତ୍ରଙ୍କ କହିବା ମୁତାବକ, ସାଧାରଣ ପ୍ରଶାସନ (ଜିଏ) ବିଭାଗ ହିଁ ତାଲିମ୍‌ ପାଇଁ ଅଧିକାରୀମାନଙ୍କ ତାଲିକା ପ୍ରଦାନ କରିବ। ଏହି ଅନୁଯାୟୀ ଜିଏ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ଅର୍ଥ, ବିଧି, ସୂଚନା ଓ ଲୋକସମ୍ପର୍କ, ପଞ୍ଚାୟତିରାଜ ଓ ପାନୀୟଜଳ, ହସ୍ତତନ୍ତ ଓ ବୟନଶିଳ୍ପ, ଜଳସମ୍ପଦ, ସମବାୟ, ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ, ପର୍ଯ୍ୟଟନ, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା, ସାଧାରଣ ଉଦ୍ୟୋଗ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି, ଗ୍ରାମ୍ୟ ଉନ୍ନୟନ, ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗରୁ ୪୦ ଜଣ ଅଧିକାରୀଙ୍କୁ ତାଲିମ୍‌ ଦେବାକୁ ନିଷ୍ପତ୍ତି ନିଆଯାଇଛି। ବିଶିଷ୍ଟ ଭାଷାବିତ୍‌ ଡ. କୈଳାସ ଚନ୍ଦ୍ର ଟିକାୟତରାୟ, ଡ. ସୁରେନ୍ଦ୍ର ଦାଶ, ଡ. ହରପ୍ରସାଦ ମିଶ୍ର, ଡ. ସୀତାଂଶୁ ଦାଶ, ଡ. ବୈଷ୍ଣବ ଚରଣ ମହାନ୍ତି ପ୍ରମୁଖ ପ୍ରଶିକ୍ଷଣ ଦେବେ। ୨୧ତାରିଖରୁ ୨୫ତାରିଖ ପର୍ଯ୍ୟନ୍ତ ପ୍ରଶିକ୍ଷଣ କାର୍ଯ୍ୟ ଚାଲିବ। ଶେଷ ଦିନରେ ପ୍ରଶ୍ନୋତ୍ତର ଆଲୋଚନା ସହ ଏକ ପରୀକ୍ଷା କରାଯିବ। ଅଂଶଗ୍ରହଣ କରିଥିବା ଅଧିକାରୀଙ୍କୁ ପ୍ରମାଣପତ୍ର ମଧ୍ୟ ପ୍ରଦାନ କରାଯିବ।

୨୦୧୦ ମସିହାରେ ସରକାର ଏହିପରି ଏକ ପଦକ୍ଷେପ ନେଇଥିଲେ ହେଁ ପରବର୍ତୀ ସମୟରେ ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷା ବ୍ୟବହାର ଯେପରି ହେବା କଥା, ତାହା ହେଲା ନାହିଁ। ତେଣୁ ଏହି ପ୍ରଶିକ୍ଷଣକୁ ସରକାର ଗୁରୁତ୍ବର ସହ ନେଇଛନ୍ତି। ମାତ୍ର କେବଳ ଏହା ରାଜଧାନୀରେ ସୀମିତ ରହିବ ନା ବିଭିନ୍ନ ଜିଲ୍ଲା ଓ ବ୍ଲକ୍‌ ସ୍ତରରେ ମଧ୍ୟ ଏହିଭଳି ପ୍ରଶିକ୍ଷଣ ଦିଆଯିବ, ତାହା ପରବର୍ତୀ ସମୟରେ ଜଣାପଡ଼ିବ ବୋଲି ଡ. ଦାସ ମହାପାତ୍ର କହିଛନ୍ତି।

ସମ୍ବନ୍ଧିତ ଖବର