ବେଦାନ୍ତ ଝାରସୁଗୁଡା କାରଖାନାର ଗ୍ରୀନ ଏନୋଡ ପ୍ଲାଣ୍ଟ ବନ୍ଦ ନିର୍ଦ୍ଦେଶ

ଭୁବନେଶ୍ୱର :  ଗତ ୬ ତାରିଖରେ ବେଦାନ୍ତର ଝାରସୁଗୁଡା କାରଖାନାରେ ହୋଇଥିବା ଅଗ୍ନିକାଣ୍ଡ ପରେ ରାଜ୍ୟ ସରକାର କାରଖାନା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । କାରଖାନାର ସ୍ମେଲଟର-୨ରେ ଥିବା ଗ୍ରୀନ ଆନୋଡ ପ୍ଲାଣ୍ଟ ବନ୍ଦ କରିବାକୁ ରାଜ୍ୟ ଫାକ୍ଟରୀ ଓ ବଏଲର ବିଭାଗ ସହକାରୀ ନିର୍ଦ୍ଦେଶକ ନିର୍ଦ୍ଦେଶ ଦେବା ସହ କମ୍ପାନିର ଅଗ୍ନି ନିରାପତ୍ତା ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଗତ ୬ ତାରିଖ ପୂର୍ବାହ୍ଣ ୧୦ଟା ୪୫ରେ ଏହି ଅଗ୍ନିକାଣ୍ଡ ହୋଇଥିଲା । ଏହାଫଳରେ କାରଖାନାରେ କାମକରୁଥିବା କେତେକ ଶ୍ରମିକ ଆହତ ହୋଇଥିଲେ । ସେମାନଙ୍କୁ ଚିକିତ୍ସା ପରେ ଛାଡ଼ି ଦିଆଯାଇଥିଲା। ଏହି ଘଟଣାରେ ବିଶିକେଶନ ପ୍ରଧାନ ନାମକ ଶ୍ରମିକଙ୍କ ପାପୁଲିର ଜଳିଯାଇଥିବା ସୂଚନା ମିଳିଛି । ସେ ଏବେ  ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।  ତଦନ୍ତରୁ ଜଣାପଡିଛି ଯେ ଏନୋଡ ପ୍ଲାଣ୍ଟର ହିଟ ଟ୍ରାନ୍ସଫର ଅଏଲ ଲିକ୍‌ ହୋଇ ଏହି ଅଗ୍ନିକାଣ୍ଡ ଘଟିଥିଲା । ପ୍ରାରମ୍ଭିକ ତଦନ୍ତ ପରେ କାରଖାନାର ସ୍ମେଲଟର-୨ରେ ଥିବା ଗ୍ରୀନ ଆନୋଡ ପ୍ଲାଣ୍ଟ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯିବା ସହ ଏକ ସ୍ୱାଧୀନ ଏଜେନ୍ସି ଦ୍ୱାରା ଅଗ୍ନି ନିରାପତ୍ତା ଯାଞ୍ଚ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଅନ୍ୟପକ୍ଷରେ ଏହି ଘଟଣା ପରେ ବେଦାନ୍ତ ପକ୍ଷରୁ କୁହାଯାଇଛି କି କମ୍ପାନି ସମସ୍ତ ପ୍ରକାର ସୁରକ୍ଷା ନିୟମାବଳିକୁ କଡ଼ାକଡ଼ି ଭାବେ ପାଳନ କରିଆସୁଛି। ଘଟଣା ନେଇ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିବା ତଦନ୍ତ ପ୍ରକ୍ରିୟାରେ କମ୍ପାନି ସଂପୂର୍ଣ୍ଣ ସହଯୋଗ କରିବ। ଦୁର୍ଘଟଣା ହେତୁ ପ୍ଲାଣ୍ଟର କାର୍ଯ୍ୟ ଓ  ଉତ୍ପାଦନ ବ୍ୟାହତ ହୋଇ ନଥିବା ବେଦାନ୍ତ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର