ସରକାରୀ ଯୁକ୍ତ୨ କଲେଜରେ ପାଠପଢ଼ା ଏମିତି : କଲେଜ ନାମକରା, ପିଲା ପଛରେ, ବିଜ୍ଞାନରେ ୯୦%ରୁ ଅଧିକ ରଖିଛନ୍ତି ମାତ୍ର ୨୦

ପରୀକ୍ଷା ଫଳର ସମୀକ୍ଷା କରାଯିବ: ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର : ଯୁକ୍ତ ୨ ବିଜ୍ଞାନ ଓ ବାଣିଜ୍ୟ ବିଭାଗ ପରୀକ୍ଷା ଫଳ ପ୍ରକାଶ ପାଇଛି। ଗତବର୍ଷ ତୁଳନାରେ ଏଥର ବିଜ୍ଞାନରେ ପାସ୍‌ହାର କମିଥିବା ବେଳେ ବାଣିଜ୍ୟରେ ବଢ଼ିଛି। ୯୦%ରୁ ଅଧିକ ମାର୍କ ରଖିଥିବା ଓ ପ୍ରଥମ ଶ୍ରେଣୀରେ ଉର୍ତ୍ତୀଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ବି ବୃଦ୍ଧି ପାଇଛି। ବିଜ୍ଞାନ ବିଭାଗରେ ୧୩୭ ଜଣ ୯୦%ରୁ ଅଧିକ ମାର୍କ ଓ ୨୫ ହଜାର ୩୩୯ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ କୃତକାର୍ଯ୍ୟ ହୋଇଛନ୍ତି। ବାଣିଜ୍ୟରେ ବି ୪୦ ଜଣ ୯୦%ରୁ ଅଧିକ ଓ ୬ ହଜାର ୬୧୦ ଜଣ ପ୍ରଥମ ସ୍ଥାନରେ ପାସ କରିଛନ୍ତି। ତେବେ ଦୁଃଖର ବିଷୟ ହେଉଛି ଯେ ବିଗତ ୪ ବର୍ଷ ପରି ଏଥର ବି ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ(ଯୁକ୍ତ୨ କଲେଜ)ର ପରୀକ୍ଷା ଫଳ ନୈରାଶ୍ୟଜନକ ହୋଇଛି। କୌଣସି ବି ନାମକରା କଲେଜର ଛାତ୍ରଛାତ୍ରୀ ଶୀର୍ଷରେ ରହିପାରି ନାହାନ୍ତି। ବିଜ୍ଞାନରେ ଘରୋଇ/ସେଲ୍ଫ ଫାଇନାନ୍ସିଂ କଲେଜର ପ୍ରଭାବ ଦେଖିବାକୁ ମିଳିଛି। ଯେତେବେଳେ ବି ବାଣିଜ୍ୟରେ ରାଜ୍ୟର କେତେକ ଅନାମଧେୟ କଲେଜର ଛାତ୍ରଛାତ୍ରୀ ଶ୍ରେଷ୍ଠ ୪୦ ମଧ୍ୟରେ ସ୍ଥାନ ପାଇଛନ୍ତି।

ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଉଛି ଯେ ଯୁକ୍ତ୨ ନାମଲେଖା ସମୟରେ କଟ୍‌ ଅଫ୍‌ ମାର୍କ ୮୫% ଉପରେ ରହୁଥିବା କଲେଜଗୁଡ଼ିକ ଶତ ପ୍ରତିଶତ ପରୀକ୍ଷା ଫଳ କରିବାରେ ବିଫଳ ହୋଇଛନ୍ତି। ଯେତେବେଳେ କି ଘରୋଇ କଲେଜଗୁଡ଼ିକ ବାଜି ମାରିଛନ୍ତି। ବିଜ୍ଞାନ ବିଭାଗ କଥା ଦୂରେ ଥାଉ ବାଣିଜ୍ୟ ବିଭାଗରେ ବି ଅଧିକାଂଶ ଘରୋଇ କଲେଜର ଶତ ପ୍ରତିଶତ ରେଜଲ୍ଟ କରୁଛନ୍ତି। ସରକାରୀ କଲେଜଗୁଡ଼ିକର ଭିତ୍ତିଭୂମି ସୁଦୃଢ଼ କରିବାକୁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିଲେ ମଧ୍ୟ ତାହାର ସୁଫଳ ଏଥର ଦେଖିବାକୁ ମିଳିନି। ଶ୍ରେଷ୍ଠ ହେବା ତ ଦୂରର କଥା, ପ୍ରଥମ ଶ୍ରେଣୀରେ କୃତକାର୍ଯ୍ୟ ହେଉଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟାରେ ମଧ୍ୟ ଉନ୍ନତି ଆସିପାରିନି। ସେହି ତୁଳନାରେ ଘରୋଇ କଲେଜଗୁଡ଼ିକ ଭଲ ପ୍ରଦର୍ଶନ କରି ଚାଲିଛନ୍ତି। ବିଜ୍ଞାନ ବିଭାଗରେ ୯୦%ରୁ ଅଧିକ ନମ୍ବର ରଖି ପାସ୍‌ କରିଥିବା ୧୩୭ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରେ ମାତ୍ର ୨୦ ଜଣ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ କଲେଜର ରହିଛନ୍ତି। ବାଣିଜ୍ୟ ବିଭାଗରେ ୯୦%ରୁ ଅଧିକ ମାର୍କ ରଖିଥିବା ୪୦ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨୨ ଜଣ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ କଲେଜର ରହିଛନ୍ତି।

୮୦ ପ୍ରତିଶତରୁ ଅଧିକ ମାର୍କ ରଖିଥିବା ଛାତ୍ରଛାତ୍ରୀଙ୍କ ତାଲିକାରେ ବି ଘରୋଇ କଲେଜଗୁଡ଼ିକ ଆଗରେ ରହିଛନ୍ତି। ଭୁବନେଶ୍ୱର, କଟକ, ବାଲେଶ୍ୱର, ଭଦ୍ରକ, ପୁରୀ, ଯାଜପୁର, ଗଞ୍ଜାମ, ବଲାଙ୍ଗୀର, ସମ୍ବଲପୁର, ଜଗତ୍‌ସିଂହପୁର ଜିଲ୍ଲାର ଅଧିକାଂଶ ଛାତ୍ରଛାତ୍ରୀ ୮୦%ରୁ ଅଧିକ ନମ୍ବର ରଖିଛନ୍ତି। ପ୍ରତିବର୍ଷ ପରି ଏଥର ମଧ୍ୟ ବ୍ରହ୍ମପୁରସ୍ଥିତ ନୀଳକଣ୍ଠନଗର ସରସ୍ୱତୀ ବିଦ୍ୟାମନ୍ଦିର ଛାତ୍ରଛାତ୍ରୀ ଉଭୟ ବିଭାଗରେ ବାଜି ମାରିଛନ୍ତି। ବିଜ୍ଞାନ ବିଭାଗରେ ରାଜ୍ୟର ୩ ହଜାର ୫୫ ଜଣ ପରୀକ୍ଷାର୍ଥୀ ୮୦%ରୁ ଅଧିକ ନମ୍ବର ରଖିଛନ୍ତି। ଏଥିରେ ଘରୋଇ କଲେଜ ଛାତ୍ରଛାତ୍ରୀଙ୍କ ସଂଖ୍ୟା ଦୁଇ ହଜାରରୁ ଅଧିକ ହେବ ବୋଲି ସୂଚନା ମିଳିଛି।

କଟ୍‌ ଅଫ୍‌ ମାର୍କରେ ଆଗରେ ରହୁଥିବା ଭୁବନେଶ୍ୱରର ବିଜେବି, ରମାଦେବୀ, ରାଜଧାନୀ, ବେସିକ ସାଇନ୍ସ, ମହର୍ଷି ଯୁକ୍ତ୨ କଲେଜ, କଟକର ରେଭେନ୍ସା, ଶୈଳବାଳା, ଜେକେବିକେ, ବ୍ରହ୍ମପୁରର ଖଲ୍ଲିକୋଟ, ବାଲେଶ୍ୱରର ଫକୀର ମୋହନ କଲେଜ, ପୁରୀର ଏସସିଏସ୍ କଲେଜ, ବାରିପଦାର ଏମପିସି କଲେଜ, ସମ୍ବଲପୁରର ଗଙ୍ଗାଧର ମେହେର କଲେଜ, ଜୟପୁରର ବିକ୍ରମ ଦେବ କଲେଜ ପରି ରାଜ୍ୟର ନାମକରା କଲେଜର ଛାତ୍ରଛାତ୍ରୀ ସେଭଳି ଆଖିଦୃଶିଆ ଫଳ କରିପାରି ନାହାନ୍ତି। ସରକାରୀ କଲେଜର ଏଭଳି ସ୍ଥିତି ନେଇ ଶିକ୍ଷାବିତମାନେ ଚିନ୍ତା ପ୍ରକଟ କରିବା ସହ ରାଜ୍ୟ ସରକାର ସମୀକ୍ଷା କରିବାକୁ ପରାମର୍ଶ ଦେଇଛନ୍ତି।

ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ଯେ ଏବିଷୟ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦିଆଯିବ। ସମସ୍ତ ସୁବିଧା ସତ୍ତ୍ୱେ କ’ଣ ପାଇଁ ସରକାରୀ କଲେଜର ପିଲାମାନେ ଭଲ କରିପାରୁ ନାହାନ୍ତି ସେନେଇ ସମୀକ୍ଷା କରାଯିବ।

ସମ୍ବନ୍ଧିତ ଖବର