ଭୁବନେଶ୍ୱର: ଗ୍ରାମାଞ୍ଚଳ, ସହରାଞ୍ଚଳରେ ବସବାସ କରୁଥିବା ସମସ୍ତ ହିତାଧିକାରୀଙ୍କୁ ବାସଗୃହ ଯୋଗାଇ ଦେବା ନିମନ୍ତେ ସରକାର ଲକ୍ଷ୍ୟ ରଖିଛନ୍ତି। ଏ ନେଇ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କର ରହିଛି ଏକାଧିକ ଯୋଜନା। ଏଭଳି ଯୋଜନାରେ ପ୍ରତିଦିନ ହାରାହାରି ୧୦୪୩ଟି ଘର ନିର୍ମାଣ ଶେଷ ହେଉଛି। ଏ ପର୍ଯ୍ୟନ୍ତ ଗ୍ରାମାଞ୍ଚଳରେ ପ୍ରାୟ ୧୪.୫୦ ଲକ୍ଷ ଗୃହ ନିର୍ମାଣ ସରିଛି। ଆଜି ସଚିବାଳୟରୁ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ସିଧାସଳଖ ଜିଲ୍ଲାପାଳମାନଙ୍କ ସହିତ ଭିଡିଓ କନ୍ଫରେନ୍ସିଂ ଯୋଗେ ଗୃହ ନିର୍ମାଣ ଯୋଜନାର ସମୀକ୍ଷା ଅବସରରେ ଉପରୋକ୍ତ ସୂଚନା ମିଳିଛି। ୨୦୧୪-୧୫ରୁ ବର୍ତମାନ ସୁଦ୍ଧା ୧୪ ଲକ୍ଷ ୫୦ ହଜାର ୨୯୪ଟି ଗୃହ ନିର୍ମାଣ ପୂର୍ଣ୍ଣାଙ୍ଗ ହୋଇଛି। ଏଥିମଧ୍ୟରୁ ବିଜୁ ପକ୍କାଘର ଯୋଜନାରେ ୧୩୨୨୬ଟି ଗୃହ, ନିର୍ମାଣ ଶ୍ରମିକ ପକ୍କାଘର ଯୋଜନାରେ ୨୩୯୭ଟି ଗୃହ, ଇନ୍ଦିରା ଆବାସ ଯୋଜନାରେ ୯ ଲକ୍ଷ ୭୩ ହଜାର ୨୭୩ଟି ଗୃହ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ)ରେ ୨ ଲକ୍ଷ ୩୧ ହଜାର ୪୬୭ଟି ଗୃହ ନିର୍ମାଣ ସରିଛି। ଚଳିତ ଆର୍ଥିକ ବର୍ଷରେ ୩ ଲକ୍ଷ ୧୭ ହଜାରରୁ ଅଧିକ ଗୃହ ନିର୍ମାଣ ପୂର୍ଣ୍ଣାଙ୍ଗ ହୋଇଛି। ସେହିପରି ସହରାଞ୍ଚଳ ଆବାସ ଯୋଜନାରେ ଚଳିତ ବର୍ଷ ୧୭୭ଟି ପ୍ରକଳ୍ପ ମଞ୍ଜୁର ହୋଇଛି। ଏସବୁ ପ୍ରକଳ୍ପ ମାଧ୍ୟମରେ ୪୯୧୪୨ଟି ବାସଗୃହ ନିର୍ମାଣ କରାଯିବ। ନୂଆ ନିୟମ ମୁତାବକ ଜିଲ୍ଲାପାଳମାନେ ସଂପୃକ୍ତ ଉନ୍ନୟନ ସଂସ୍ଥାର ଅଧ୍ୟକ୍ଷ ଭାବେ ଗୃହ ମଞ୍ଜୁର କରିବା ସହିତ ଡିବିଟି ଜରିଆରେ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ପଠାଇବେ। ଏ ସମସ୍ତ ଯୋଜନାଗତ କାର୍ଯ୍ୟାନ୍ଵୟନର ସମୀକ୍ଷା କରି ନିର୍ଧାରିତ ସମୟସୀମା ମଧ୍ୟରେ ଲକ୍ଷ୍ୟ ହାସଲ ନିଶ୍ଚିତ କରାଇବା ପାଇଁ ଜିଲ୍ଲାପାଳମାନଙ୍କୁ ମୁଖ୍ୟ ସଚିବ ନିର୍ଦେଶ ଦେଇଥିଲେ।
ସମସ୍ତଙ୍କୁ ବାସଗୃହ ଯୋଗାଇଦେବେ ସରକାର
/sambad/media/post_attachments/wp-content/uploads/2017/12/house_0.png-f-copy.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)