ଜମି ବିକି ଘର କରିବେ ସରକାର, ମାଷ୍ଟରକ୍ୟାଣ୍ଟିନରୁ ରାଜମହଲ ଭଙ୍ଗା ହେବ ସରକାରୀ କ୍ୱାର୍ଟର୍ସ

ୟୁନିଟ-୮, ପୁରୁଣା ଏଜି କଲୋନିରେ ୨.୭୪ଏକର ଜମିରେ ନିର୍ମାଣ ହେବ ବହୁତଳ ବିଶିଷ୍ଟ କ୍ୱାର୍ଟର୍ସ, ନିର୍ମାଣ ପାଇଁ ଖର୍ଚ୍ଚ ହେବ ୨୦୦ କୋଟି

ଭୁବନେଶ୍ବର : ରାଜଧାନୀରେ ଆବଶ୍ୟକ ସଂଖ୍ୟକ ସରକାରୀ କ୍ୱାର୍ଟର୍ସ ନାହିଁ। ଯାହା ଅଛି ‌ସେଥିମଧ୍ୟରୁ ଅନେକ କ୍ବାର୍ଟର୍ସ ବିପଦସଙ୍କୁଳ ଅବସ୍ଥାରେ ରହିଛି। ସବୁ କ୍ବାର୍ଟର୍ସର ମରାମତି ତଥା ପନୁରୁଦ୍ଧାର କରିବା ସମ୍ଭବପର ହେଉନି। ତେଣୁ ବିଭିନ୍ନ ସ୍ଥାନରେ ଖାଲି ପଡ଼ିଥିବା ସରକାରୀ ଜମିରେ କ୍ବାର୍ଟର୍ସ ନିର୍ମାଣ କରିବା ଏବଂ ବିଭିନ୍ନ ଅଞ୍ଚଳରେ କ୍ବାର୍ଟର୍ସ ଭାଙ୍ଗି ବହୁତଳ କୋଠା ନିର୍ମାଣ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ତେବେ ଏହି ଯୋଜନା ପାଇଁ ଆବଶ୍ୟକ ଟଙ୍କା ନଥିବାରୁ ରାଜ୍ୟ ସରକାର ରାଜଧାନୀର ପ୍ରମୁଖ ସ୍ଥାନରେ ଥିବା କିଛି ଜମି ବିକ୍ରି କରିବାକୁ ଯୋଜନା କରିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ରାଜଧାନୀର ଯେଉଁ ପ୍ରମୁଖ ଅଞ୍ଚଳରେ କ୍ବାର୍ଟର୍ସ ନିର୍ମାଣ ହେବ ସେଠାରେ ବ୍ୟବସାୟିକ ଓ ଆବାସିକ ପ୍ରକଳ୍ପ କରିବା ପାଇଁ କିଛି ଜମିକୁ ଇ-ନିଲାମ କରାଯିବ। ଏଥିରୁ ମିଳିବାକୁ ଥିବା ଟଙ୍କାରେ ରାଜ୍ୟ ସରକାର କ୍ବାର୍ଟର୍ସ ନିର୍ମାଣ କରିବେ। ଏହି ସମସ୍ତ ପ୍ରକଳ୍ପ ଆରମ୍ଭ କରିବା‌ ପାଇଁ ୨୦୦ କୋଟି ଟଙ୍କା ପ୍ରଥମେ ଖର୍ଚ୍ଚ କରାଯିବ। ବାକି ଟଙ୍କା ଜମି ବିକା ହୋଇଥିବା ଅର୍ଥରୁ ଭରଣା ହେବ। ନିକଟରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏହାସହ ଶିଶୁଭବନରୁ ଗୁରୁଦ୍ବାର ପର୍ଯ୍ୟନ୍ତ ଜନପଥ କଡ଼ରେ ସରକାରୀ କ୍ବାର୍ଟର୍ସଗୁଡ଼ିକୁ ଭାଙ୍ଗି ସେଠାରେ ପିପିପି ମୋଡ଼ରେ ବ୍ୟବସାୟିକ ଏବଂ ଆବାସିକ ପ୍ରକଳ୍ପ କରାଯିବ। ଏଠାରେ ମଧ୍ୟ କିଛି ସରକାରୀ କ୍ବାର୍ଟର୍ସ ନିର୍ମାଣ ହେବ।

ଜନପଥ କଡ଼ରେ ଥିବା ସରକାରୀ କ୍ବାର୍ଟର୍ସଗୁଡ଼ିକୁ ଭାଙ୍ଗି ସେଠାରେ ବାଣିଜ୍ୟିକ-ଆବାସିକ ପ୍ରକଳ୍ପ ହେବ। ଏଠାରେ ନିର୍ମାଣ ହେବାକୁ ଥିବା ବହୁତଳ ବିଶିଷ୍ଟ କୋଠାଗୁଡ଼ିକରେ ଜନପଥ ପାର୍ଶ୍ବକୁ ବ୍ୟବସାୟିକ ଉଦ୍ଦେଶ୍ୟରେ ଏବଂ ଏହାର ପଛ ପାର୍ଶ୍ବକୁ ଆବାସିକ କ୍ବାର୍ଟର୍ସ ପାଇଁ ବ୍ୟବହାର କରାଯିବ। ପିପିପି ମୋଡରେ ହେବାକୁ ଥିବା ଏହି ପ୍ରକଳ୍ପ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି।

ଶିଶୁ ଭବନରୁ ଗୁରୁଦ୍ବାର ପର୍ଯ୍ୟନ୍ତ ଜନପଥ କଡ଼ରେ ଥିବା ସରକାରୀ କ୍ବାର୍ଟର୍ସଗୁଡ଼ିକୁ ଭାଙ୍ଗି ନୂଆ ପ୍ରକଳ୍ପ କରିବାକୁ ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ ପକ୍ଷରୁ ଯୋଜନା ହୋଇଛି। ଏଥିରେ ପ୍ରଥମ ପର୍ଯ୍ୟାୟରେ ରାଜମହଲରୁ ମାଷ୍ଟରକ୍ୟାଣ୍ଟିନ ମଧ୍ୟରେ ଥିବା କ୍ବାର୍ଟର୍ସଗୁଡ଼ିକୁ ଭାଙ୍ଗି ୨୦ ଏକର ଜମିରେ ଏହି ପ୍ରକଳ୍ପ କରାଯିବ। ଏହାପରେ ଦ୍ବିତୀୟ ପର୍ଯ୍ୟାୟରେ ରାଜମହଲରୁ ଶିଶୁ ଭବନ ଏବଂ ତୃତୀୟ ପର୍ଯ୍ୟାୟରେ ମାଷ୍ଟରକ୍ୟାଣ୍ଟିନରୁ ଗୁରୁଦ୍ବାର ପର୍ଯ୍ୟନ୍ତ କ୍ବାର୍ଟର୍ସଗୁଡ଼ିକୁ ଉଚ୍ଛେଦ କରାଯିବ।

ଏବେ ସ୍ମାର୍ଟ ଜନପଥ କାମ ଜୋରଦାର୍ ଚାଲିଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ଶିଶୁଭବନରୁ ରାଜମହଲ ପର୍ଯ୍ୟନ୍ତ ରାସ୍ତାର ଉନ୍ନତୀକରଣ କରାଯାଇଛି। ସଂପୂର୍ଣ୍ଣ ଜନପଥକୁ ନୂଆ ରୂପ ଦେବା ପାଇଁ କାମ ଜୋରଦାର୍ ଚାଲିଥିବା ବେଳେ ଏହା କଡ଼ରେ ଥିବା କ୍ବାର୍ଟର୍ସଗୁଡ଼ିକୁ ଭାଙ୍ଗିଦିଆଯିବ।

ତିନିଟି ପର୍ଯ୍ୟାୟରେ ଜନପଥରୁ କ୍ବାର୍ଟର୍ସ ଭଙ୍ଗାହେଲେ ସରକାରୀ ଅଧିକାରୀ ଏବଂ କ୍ବାର୍ଟର୍ସ ପାଇଥିବା ବ୍ୟକ୍ତିମାନଙ୍କୁ ନୂଆ କ୍ବାର୍ଟର୍ସ ଦେବା, ରାଜଧାନୀରେ ଅଧିକ ସରକାରୀ କ୍ବାର୍ଟର୍ସ ନିର୍ମାଣ କରିବା ପାଇଁ ୟୁନିଟ-୮ରେ ଡିଏଭି ପବ୍ଲିକ ସ୍କୁଲ ନିକଟରେ ଥିବା ୧.୨୪୪ଏକର ଜମିରେ ଏବଂ ପୁରୁଣା ଏଜି କଲୋନିରେ ଥିବା ୧.୫ଏକର ସରକାରୀ ଜମିରେ ବହୁତଳ କୋଠା ବିଶିଷ୍ଟ ସରକାରୀ କ୍ବାର୍ଟର୍ସ ନିର୍ମାଣ କରିବାକୁ ଯୋଜନା ହୋଇଛି।

କେବଳ ଏତିକି ନୁହେଁ ରାଜ୍ୟ ସରକାର ଅଧା ବିଧାୟକ କ୍ବାର୍ଟର୍ସ ଭାଙ୍ଗିବାକୁ ନିଷ୍ପତ୍ତି ନେଇଛନ୍ତି। ବିଧାୟକ କଲୋନିରେ ଏବେ ମୋଟ୍ ୨୧ଏକର ଜମିରେ ଗୋଟିକିଆ କ୍ବାର୍ଟର୍ସ ଥିବାବେଳେ ଏଥିରୁ ଦୁଇଟି ପ୍ୟାଚ୍ ୧୨ଏକର ଏବଂ ୯ଏକରର ରହିଛି। ତେଣୁ କେଉଁ ଅଞ୍ଚଳରେ ଆଗ କ୍ବାର୍ଟର୍ସ ଭାଙ୍ଗି ବହୁତଳ କୋଠା ବିଶିଷ୍ଟ ସରକାରୀ କ୍ବାର୍ଟର୍ସ ନିର୍ମାଣ କରାଯିବ ସେନେଇ ଖୁବ୍ ଶୀଘ୍ର ନିଷ୍ପତ୍ତି ହେବ। ନୂଆଦିଲ୍ଲୀରେ ସାଂସଦମାନଙ୍କ ପାଇଁ ଯେଉଁଭଳି ସମସ୍ତ ସୁବିଧାସୁଯୋଗ ଥିବା ଫ୍ଲାଟ୍ ନିର୍ମାଣ ହେଉଛି ସେହି ଢାଞ୍ଚାରେ ଏଠାରେ ନିର୍ମାଣ କରାଯିବ। ଏହି ସବୁ କ୍ବାର୍ଟର୍ସ ଇପିସି ମୋଡରେ ହେବ ଓ ନିର୍ମାଣକାରୀ ସଂସ୍ଥା ୧୦ବର୍ଷ ପର୍ଯ୍ୟନ୍ତ ଏହାର ରକ୍ଷଣାବେକ୍ଷଣ କରିବ।

ଏହାବାଦ୍ ରାଜଧାନୀରେ କେତେ ସରକାରୀ କ୍ବାର୍ଟର୍ସ ଆବଶ୍ୟକ ଅଛି, କେତେ ଅଛି, କେତେ ତୁରନ୍ତ ନିର୍ମାଣ ହେବା ଦରକାର ତା’ର ସବିଶେଷ ରିପୋର୍ଟ ଦେବାକୁ ଡାଇରେକ୍ଟର ଇଷ୍ଟେଟ୍‌ଙ୍କୁ କୁହାଯାଇଛି। ଡାଇରେକ୍ଟର ଇଷ୍ଟେଟ୍‌ଙ୍କ ରିପୋର୍ଟ ଅନୁଯାୟୀ ପୂର୍ତ୍ତ ବିଭାଗ ସରକାରୀ କ୍ବାର୍ଟର୍ସ ନିର୍ମାଣ କରିବ ବୋଲି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ବସିଥିବା ଏକ ବୈଠକରେ ନିଷ୍ପତ୍ତି ହୋଇଛି।

ସେହିପରି ଉପରୋକ୍ତ ସମସ୍ତ ପ୍ରକଳ୍ପ ଯେପରି ଠିକ୍ ସମୟରେ ହେବ ସେଥିପାଇଁ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଷ୍ଟିଅରିଂ କମିଟି ଗଠନ ହେବ। ଏଥିରେ ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ, ସାଧାରଣ ପ୍ରଶାସନ ବିଭାଗ ପ୍ରମୁଖ ଶାସନ ସଚିବ, ନଗର ଉନ୍ନୟନ ବିଭାଗ ସଚିବ, ପୂର୍ତ୍ତ ସଚିବ ସଦସ୍ୟ ରହିଛନ୍ତି। ଏହି କମିଟି ପ୍ରତି ସପ୍ତାହରେ ବୈଠକ କରିବା ସହ ପ୍ରକଳ୍ପର ଅଗ୍ରଗତି ନେଇ ସମୀକ୍ଷା କରିବ ବୋଲି ନିଷ୍ପତ୍ତି ହୋଇଛି।

ସମ୍ବନ୍ଧିତ ଖବର