ଦିନତମାମ ସରକାରୀ ତନାଘନା : ସମୀକ୍ଷା କଲେ କ୍ୟାବିନେଟ୍ ସଚିବ, ବାତ୍ୟା ବେଳେ ନ ବାହାରିବାକୁ ନିବେଦନ

ଭୁବନେଶ୍ବର : ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର, ଯାଜପୁର ଓ ମୟୂରଭଂଜରେ ପବନ ବେଗ ଧୀରେ ଧୀରେ ବଢି ୧୧୦ କିଲୋମିଟରକୁ ଛୁଇଁପାରେ। ମଝିରେ ମଝିରେ ଏହାର ତୀବ୍ରତା ବଢ଼ି ୧୨୫ କିଲୋମିଟର ହେବ। ବ୍ୟାପକ କ୍ଷତି ଘଟାଇପାରେ। କଚ୍ଚା ଘରକୁ ବରବାଦ କରିଦେବ। ଆଜବେଷ୍ଟସ୍ ଉଡ଼ାଇ ଦେଇପାରେ। ବିଦ୍ୟୁତ ଖୁଣ୍ଟ, ଟେଲିଫୋନ୍ ଟାଵାର, ବଡ଼ ବଡ଼ ଗଛ ଉପୁଡ଼ାଇ ଦେବା ସମ୍ଭାବନାକୁ ଏଡ଼ାଇ ଦେଇ େହବନାହିଁ। ଛୋଟ ଛୋଟ ବୋଟକୁ ଉଡ଼ାଇ ନେଇ ସମୁଦ୍ର ମଧ୍ୟରେ ଫିଙ୍ଗିଦେବା ଅସମ୍ଭବ ନୁହେଁ। ରେଳ ସେବା ଓ ସଡ଼କ ପରିବହନକୁ ପ୍ରଭାବିତ କରିବ।

ଓଡ଼ିଶା ସୀମାରେ ଘଷି ହୋଇଯିବା ବେଳେ ଏଭଳି ବିତ୍ପାତ ରଚନା କରିପାରେ ମହାବାତ୍ୟା ଅମ୍ଫାନ୍। ଏଣୁ ଲୋକମାନେ ନିରାପଦ ଘରେ ଆଶ୍ରୟ ନେବା ଦରକାର। ବର୍ଷା ଓ ପବନ ସମୟରେ ବାହାରକୁ ବାହାରିବା ଉଚିତ୍ ନୁହେଁ ବୋଲି ଭାରତର ପାଣିପାଗ ବିଜ୍ଞାନ ସତର୍କ କରାଇ ଦେଇଛି।

ଏପଟେ ପରିସ୍ଥିତିକୁ ନଜରରେ ରଖି ରାଜ୍ୟ ସରକାର ବ୍ୟାପକ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। କେନ୍ଦ୍ର ସରକାରୀ ସ୍ତରରେ ବି ତନାଘନା ଚାଲିଛି। ଆଜି କ୍ୟାବିନେଟ୍ ସଚିବ ରାଜୀବ ଗୌବା ଓଡ଼ିଶାର ମୁଖ୍ୟଶାସନ ସଚିବ ଅସିତ କୁମାର ତ୍ରିପାଠୀ, ସ୍ବତନ୍ତ୍ର ରିଲିଫ୍ କମିସନର ପ୍ରଦୀପ ଜେନା ଓ ଗୃହ ସଚିବ ସଂଜୀବ ଚୋପ୍ରାଙ୍କ ସହିତ ଭିଡ଼ିଓ କନଫରେନ୍ସିଂରେ ଆଲୋଚନା କରି ବାତ୍ୟା ପ୍ରସ୍ତୁତିର ସମୀକ୍ଷା କରିଥିଲେ। ରାତି ସୁଦ୍ଧା ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯିବା ନେଇ କେନ୍ଦ୍ରକୁ ଓଡ଼ିଶା ସରକାରଙ୍କ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଛି।

ଅନ୍ୟପଟରେ ରିପୋର୍ଟ ଲେଖାହେବା ବେଳକୁ ପ୍ରଭାବିତ ହେବାକୁ ଥିବା ଜିଲ୍ଲାର ଲୋକଙ୍କୁ ସୁରକ୍ଷିତ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରଣ ପ୍ରକ୍ରିୟା ଜାରି ରହିଛି। ସ୍ବତନ୍ତ୍ର ରିଲିଫ୍ କମିସନର ଆଜି ସନ୍ଧ୍ୟାରେ କହିଛନ୍ତି, ଭୋଗରାଇ, ତାଳସାରି ଅଞ୍ଚଳରେ କାଲି ପବନର ବେଗ ଅଧିକ ରହିବ। ପାଖାପାଖି ୧୦୦ରୁ ୧୧୦ କିମି ବେଗରେ ପବନ ଏଠାରେ ବହିବା ସମ୍ଭାବନା ରହିଛି। ବାତ୍ୟା ଓଡିଶା ଦେଇ ଗତି କଲା ବେଳେ ବାଲେଶ୍ୱର, ଭଦ୍ରକରେ ଅଧିକ ପ୍ରଭାବ ପକାଇବ। ବାତ୍ୟା ବୁଲୁବୁଲ ଯେଉଁ ଅଞ୍ଚଳରେ କ୍ଷତି କରିଥିଲା ସେହି ଅଞ୍ଚଳରେ ଅମ୍ଫନ ପ୍ରଭାବ ପକାଇବ।

ଶ୍ରୀ ଜେନା କହିଛନ୍ତି, ଆଜି ମଧ୍ୟରାତିରୁ ପବନର ବେଗ ବଢିବ। ତେବେ ବାତ୍ୟା ଆଶ୍ରୟସ୍ଥଳୀରେ ରହିଲା ବେଳେ ସାମାଜିକ ଦୂରତା ରକ୍ଷା କରାଯିବା ଦରକାର।ଏହାସହ ମାସ୍କ ପିନ୍ଧିବା ଓ ହାତ ଧୋଇବାକୁ ସମସ୍ତଙ୍କୁ ଏସ୍‌ଆରସି ପରାମର୍ଶ ଦେଇଛନ୍ତି।

ବାତ୍ୟା ମୁକାବିଲା ଲାଗି ୧୬ଟି ଏନ୍‌ଡିଆର୍‌ଏଫ୍ ଟିମ୍ ଓ ୧୫ଟି ଓଡ୍ରାଫ୍ ଦଳ, ୨୧୭ଟି ଅଗ୍ନିଶମ ବାହିନୀ ୬ଟି ଉପକୂଳବର୍ତୀ ଜିଲ୍ଲାରେ ମୁତୟନ ହୋଇସାରିଲେଣି। ୧୨ଜଣ ଜଳସଂପଦ ବିଭାଗର ବରିଷ୍ଠ ଯନ୍ତ୍ରୀଙ୍କୁ ଉପକୂଳବର୍ତୀ ୧୨ଟି ଜିଲ୍ଲାକୁ ପଠାଯାଇଛି। ୪ ବରିଷ୍ଠ ଆଇଏଏସ୍ ଅଫିସର ଓ ୪ ବରିଷ୍ଠ ଆଇପିଏସ୍ ଅଫିସର ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ବରରେ କ୍ୟାମ୍ପ କରି ସ୍ଥିତି ତଦାରଖ କରୁଛନ୍ତି।

ସମ୍ବନ୍ଧିତ ଖବର