ଭୁବନେଶ୍ୱର : ପୁରୀର ବିକାଶ ପାଇଁ ଓଡ଼ିଶା ସରକାର ଜରୁରୀକାଳୀନ ପାଣ୍ଠିରୁ ୩୦୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଅବଢା ଯୋଜନାରେ  ଶ୍ରୀମନ୍ଦିର ଚାରିପଟେ ତିଆରି ହେବାକୁ ଥିବା ହେରିଟେଜ୍‌ ସିକ୍ୟୁରିଟି ଜୋନ ବା ଐତିହ୍ୟ ସୁରକ୍ଷା କ୍ଷେତ୍ର ପାଇଁ ଏହି ରାଶି ବ୍ୟୟ ହେବ । ଲୋକମାନଙ୍କୁ ଜମି ଅଧିଗ୍ରହଣ ବାବଦ କ୍ଷତିପୂରଣ ମଧ୍ୟ ଏହି ପାଣ୍ଠିରୁ ପ୍ରଦାନ କରାଯିବ ।

Advertisment

ଇତି ମଧ୍ୟରେ ଏହି ଅର୍ଥର ଅଗ୍ରୀମ ପୁରୀର ପୂର୍ତ୍ତ ବିଭାଗ ଡିଭିଜନର  କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କୁ ପଠାଯାଇଛି । ଏ ସଂପର୍କରେ ଅର୍ଥ ବିଭାଗର ଅତିରିକ୍ତ ସଚିବ ତଥା ଅର୍ଥ ପରାମର୍ଶଦାତା ଏସ.କାନୁନଗୋ ଆକାଉଣ୍ଟାଣ୍ଟ ଜେନେରାଲଙ୍କୁ ପତ୍ର ଲେଖି ସୂଚୀତ କରିଛନ୍ତି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ପୁରୀକୁ ଏକ ଐତିହ୍ୟ ସହରଭାବେ ଗଢିତୋଳିବାକୁ ରାଜ୍ୟ ସରକାର ୩ ବର୍ଷରେ ୩୨୦୮ କୋଟି ଟଙ୍କା ବ୍ୟୟ ଅଟକଳ କରିଛନ୍ତି । ଏହା ମଧ୍ୟରୁ ୨୦୧୯-୨୦ ପାଇଁ ୭୧୯ କୋଟି, ୨୦୨୦-୨୧ ପାଇଁ ୧୪୦୨ କୋଟି ଓ ୨୦୨୧-୨୨ ପାଇଁ ୧୦୮୭ କୋଟି ଟଙ୍କା ବ୍ୟୟ ଅଟକଳ ଧାର୍ଯ୍ୟ କରାଯାଇଛି । ଏହା ଅଧିନରେ ଏକ ହେରିଟେଜ୍‌ ସିକ୍ୟୁରିଟି ଜୋନ ନିର୍ମାଣ, ଶ୍ରୀସେତୁ ନିର୍ମାଣ, ମୁଷା ନଦୀର ପୁନରୁଦ୍ଧାର, ରଘୁନନ୍ଦନ ପାଠାଗାରର ନବୀକରଣ, ଅଠରନଳାର ନବୀକରଣ ଆଦି ପ୍ରକଳ୍ପ ରହିଛି । ଏସବୁ ଯୋଜନା ମାଧ୍ୟମରେ ପୁରୀକୁ ଏକ ବିଶ୍ୱସ୍ତରୀୟ ଧାର୍ମିକ ଐତିହ୍ୟ ସହର ଗଢିବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି ବୋଲି ଜଣାପଡ଼ିଛି ।