ଚାଷୀଙ୍କୁ ମାଗଣା ମୋବାଇଲ୍‌ ପାଇଁ ୩ କୋଟି ଟଙ୍କା

ଭୁବନେଶ୍ୱର : ଚଳିତ ଆର୍ଥିକ ବର୍ଷରେ ରାଜ୍ୟ ସରକାର ଚାଷୀମାନଙ୍କୁ ପୁଣି ମାଗଣା ମୋବାଇଲ୍‌ ଦେବେ। ଏଥି ପାଇଁ ୩ କୋଟି ଟଙ୍କା ମଞ୍ଜୁର ହୋଇଛି। ମୋବାଇଲ୍‌ରେ ଓଡ଼ିଆରେ ଭଏସ୍‌ କଲ୍‌ ଓ ଏସ୍‌ଏମ୍‌ଏସ୍‌ ମାଧ୍ୟମରେ କୃଷି ଉତ୍ପାଦନ ଓ ମାର୍କେଟ୍‌ ସ୍ଥିତି ସମ୍ପର୍କରେ ସମସ୍ତ ତାଜା ଖବର ଚାଷୀଙ୍କ ପାଖରେ ପହଞ୍ଚିବ। ଗତ ଆର୍ଥିକ ବର୍ଷରେ ମଧ୍ୟ ୩ କୋଟି ଟଙ୍କା ବ୍ୟୟରେ ମୋବାଇଲ୍‌ କିଣାଯାଇ ଚାଷୀଙ୍କୁ ମାଗଣା ବିତରଣ କରାଯାଇଥିଲା। ଯେଉଁମାନେ ପୂର୍ବରୁ ମୋବାଇଲ୍‌ ପାଇଛନ୍ତି, ସେମାନଙ୍କୁ ଆଉ ଦିଆଯିବ ନାହିଁ।

ଓଡ଼ିଶା ରାଜ୍ୟ କୃଷି ବିପଣନ ପରିଷଦକୁ ମୋବାଇଲ୍‌ କିଣିବା ଦାୟିତ୍ୱ ଦିଆଯାଇଛି। ପରିଷଦ ପକ୍ଷରୁ ଏଥି ପାଇଁ ଟେଣ୍ଡର୍‌ ଡକାଯିବ। ଆଣ୍ଡ୍ରଏଡ୍‌ ସୁବିଧା ଥିବା ସ୍ମାର୍ଟ ଫୋନ୍‌ କିଣାଯିବା ପାଇଁ ଯୋଜନା ହୋଇଛି। ଟେଣ୍ଡର୍‌ ମାଧ୍ୟମରେ କେତେ ମୋବାଇଲ୍‌ କିଣାଯିବ, ତାହା ପ୍ରଥମେ ଆକଳନ କରାଯିବ। ତାହା ପରେ ଜିଲ୍ଲା ଓ୍ଵାରି କେତେ ହିତାଧିକାରୀ ରହିବେ, ତାହା ସ୍ଥିର କରାଯିବ। ଯେଉଁ ଚାଷୀମାନେ ନିୟନ୍ତ୍ରିତ ବଜାର କମିଟିରେ ପଞ୍ଜୀକୃତ ହୋଇଥିବେ, ସେମାନେ ହିଁ ମୋବାଇଲ୍‌ ନେବାକୁ ଯୋଗ୍ୟ ବିବେଚିତ ହେବେ। ଆର୍‌ଏମ୍‌ସିଗୁଡ଼ି ମଧ୍ୟରେ ହିତାଧିକାରୀଙ୍କ ସଂଖ୍ୟା ବାଣ୍ଟି ଦିଆଯିବ। ରୂପେ କାର୍ଡ ଓ କିଷାନ୍‌ କ୍ରେଡିଟ୍‌ କାର୍ଡ ଥିବା ଚାଷୀଙ୍କୁ ଅଗ୍ରାଧିକାର ଦିଆଯିବ। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଢ଼ାଯାଇ ହିତାଧିକାରୀଙ୍କ ତାଲିକା ଚୂଡ଼ାନ୍ତ କରାଯିବ। ପ୍ରତି ଜିଲ୍ଲାରେ ଏକ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ମୋବାଇଲ୍‌ ବିତରଣ କରିବାକୁ ସରକାର ଯୋଜନା କରିଛନ୍ତି।

ସମ୍ବନ୍ଧିତ ଖବର