ସରକାରୀ ଓ ବେସରକାରୀ ଡାକ୍ତରଖାନାକୁ ସରକାରଙ୍କ ତାଗିଦ୍, ଶ୍ବାସ ଓ ଇନ୍‌ଫ୍ଲୁଏଞ୍ଜା ରୋଗୀଙ୍କ ତଥ୍ୟ ଜଣାଅ

ପ୍ରଶାସନ, ପୁଲିସ ଓ ଡାକ୍ତରଙ୍କ ଉପରେ ଚାପ ପକାନ୍ତୁନି, ପଜିଟିଭ୍ ପରେ ଏମିତି ତତ୍ପର ହେବାକୁ ପଡ଼େ...

ଭୁବନେଶ୍ବର: ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆସୁଥିବା ଶ୍ବାସ ଓ ଇନ୍‌ଫ୍ଲୁଏଞ୍ଜା ରୋଗୀଙ୍କ ତଥ୍ୟ ଦେବାକୁ ରାଜ୍ୟ ସରକାର ନିର୍ଦେଶ ଦେଇଛନ୍ତି। ଏଥିରେ କୌଣସି ପ୍ରକାର ଢିଲା ହେଲେ କ୍ଲିନିକାଲ ଏଷ୍ଟାବ୍ଲିସମେଣ୍ଟ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏପରିକି ଆବଶ୍ୟକ ପଡ଼ିଲେ ସଂପୃକ୍ତ ହସ୍ପିଟାଲକୁ ସିଲ୍ କରାଯିବା ସହିତ ପଞ୍ଜୀକରଣକୁ ବାତିଲ୍ କରାଯିବ ବୋଲି ସୂଚନା ଦେଇଛନ୍ତି କୋଭିଡ-୧୯ ପାଇଁ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ।

ଆଜି ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ବାଗଚୀ କହିଲେ, ରାଜ୍ୟରେ କରୋନା(କୋଭିଡ-୧୯)ର ମୁକାବିଲା ପାଇଁ ୭ମ ଓ ୯ମ ସେମିଷ୍ଟରରେ ପଢ଼ୁଥିବା ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ତାଲିମ ପ୍ରଦାନ କରାଯାଇଛି। ଗତକାଲି ହୋଇଥିବା ଏହି ତାଲିମ କାର୍ଯ୍ୟକ୍ରମରେ ୫ଶହ ଛାତ୍ରଛାତ୍ରୀ ଯୋଗ ଦେଇଛନ୍ତି। ଏସ୍‌ସିବି ମେଡିକାଲ କଲେଜର ଫାକଲ୍‌ଟି ସଦସ୍ୟ ତଥା ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଅଧିକାରୀମାନେ ଏହି ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ପ୍ରଶିକ୍ଷଣ ପରେ ପ୍ରଥମ ୧ଘଣ୍ଟା ମଧ୍ୟରେ ୪୩୪ ଜଣ ଛାତ୍ରଛାତ୍ରୀ ଅନଲାଇନ୍ କୁଇଜ୍‌ରେ ଭାବ ନେବା ପାଇଁ ପଞ୍ଜୀକରଣ କରିଥିଲେ। କେନ୍ଦ୍ର ସରକାର ପ୍ରଦତ୍ତ କୋଭିଡ୍‌ ସଂପର୍କିତ ମଡ୍ୟୁଲଗୁଡ଼ିକ ଏହି ପ୍ରଶିକ୍ଷଣରେ ଉପସ୍ଥାପନ କରାଯାଇଥିଲା।

ରାଜ୍ୟରେ ଆଜି ପର୍ଯ୍ୟନ୍ତ ୧୩୯୫ କୋଭିଡ୍‌ ନମୁନା ପରୀକ୍ଷା କରାଯାଇଛି। ତହିଁରୁ ୨୦ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଦୁଇ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୪ର୍ଥ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ୪୨ଜଣ ଆସିଥିବା ବେଳେ ୫ମ ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ୩୮ଜଣ ଆସିଛନ୍ତି। ଏହି ୩୮ଜଣଙ୍କ ମଧ୍ୟରୁ ୭ଜଣ ପଜିଟିଭ୍ ରହିଛନ୍ତି। ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ କେତେ ଜଣ ଆସିଛନ୍ତି ତାହାର ଅନୁସନ୍ଧାନ ଜାରି ରହିଛି। ତୃତୀୟ ସଂକ୍ରମିତ ବ୍ୟକ୍ତି କ୍ୟାପିଟାଲ ହସ୍ପିଟାଲ, ପଞ୍ଚମ ଏମ୍‌ସ ଓ ଅନ୍ୟ ୧୬ଜଣ କଟକର ଅଶ୍ବିନୀ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ରାଜ୍ୟରେ ଏ ପର୍ଯ୍ୟନ୍ତ ଯେତିକି ସଂଖ୍ୟକ ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି ତହିଁରୁ ରାଜଧାନୀର ସର୍ବାଧିକ ୧୪ଜଣ ବ୍ୟକ୍ତି ରହିଛନ୍ତି। ଏହା ବାଦ୍ ଭଦ୍ରକରେ ୩ଜଣ, ପୁରୀ, କଟକ ଓ ଯାଜପୁରରେ ଜଣେ ଲେଖାଏ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ରାଜ୍ୟର ବିଭିନ୍ନ ଡାକ୍ତରଖାନାରେ କରୋନା ସନ୍ଦିଗ୍ଧରେ ୯୧ଜଣ ପୃଥକ୍‌ବାସରେ ରହିଛନ୍ତି। ସେ ଆହୁରି ମଧ୍ୟ କହିଥିଲେ ଯେ, କୌଣସି ସନ୍ଦେହଜନକ ଜିନିଷକୁ ନ ବୁଝି ଏହାକୁ ଫରୱାର୍ଡ କରିବା କିମ୍ବା ଟ୍ବିଟ୍‌ର ଓ ଫେସବୁକ୍‌ରେ ପୋଷ୍ଟ କରିବା ଆଜିର ସମୟରେ ଅତ୍ୟନ୍ତ ନିନ୍ଦନୀୟ ଘଟଣା। ଏହା ସାମାଜିକ ଗଣମାଧ୍ୟମର ଅପବ୍ୟହାର। ସମୁଦ୍ର ବେଳାଭୂମିରେ ଚାଲି ଯାଉଥିବା ସମୟରେ ପଦଚିହ୍ନକୁ ଢେଉ ଧୋଇ ନେଇଥାଏ। ମାତ୍ର ସାମାଜିକ ଗଣମାଧ୍ୟମର ପଦଚିହ୍ନ ବା ଡିଜିଟାଲ ଫୁଟ ପ୍ରିଣ୍ଟ କେବେ ବି ଚାଲିଯାଏ ନାହିଁ। ସାମାଜିକ ଗଣମାଧ୍ୟମକୁ ଅପବ୍ୟବହାର କରୁଥିବା ବ୍ୟକ୍ତିଙ୍କୁ ଖୋଜିବା କଠିନ କାମ ନୁହେଁ। ତେଣୁ ଡିଜିଟାଲ ଫୁଟ୍‌ ପ୍ରିଣ୍ଟ ପ୍ରତି ସତର୍କ ରୁହନ୍ତୁ ବୋଲି ଶ୍ରୀ ବାଗଚୀ ଚେତାଇ ଦେଇଛନ୍ତି।

ଭୁବନେଶ୍ବର: ରାଜ୍ୟରେ ଯେ‌ତେବେଳେ ଜଣେ ବ୍ୟକ୍ତି କରୋନା ପଜିଟିଭ୍ ଚିହ୍ନଟ ହୁଅନ୍ତି, ସେହି ମୁହୂର୍ତରୁ ସରକାରୀ କଳ କାମ କରିବା ଆରମ୍ଭ କରିଦିଏ। ତେବେ ସରକାରୀ କଳ କିଭଳି ଭାବେ କାର୍ଯ୍ୟ କରିଥାଏ ତାହାର ଏକ ବିସ୍ତୃତ ତଥ୍ୟ ଆଜି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥାପନ କରିଛନ୍ତି କୋଭିଡି-୧୯ ପାଇଁ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ। ଶ୍ରୀ ବାଗଚୀ କହିଥିଲେ, କ‌ରୋନା ପଜିଟିଭ୍ ଚିହ୍ନଟ ହେବା ପରେ ସଂପୃକ୍ତ ବ୍ୟକ୍ତି ଜଣକ କେଉଁଠିକୁ ଯାତ୍ରା କରିଥିଲେ ଓ କେଉଁ କେଉଁ ଜାଗାକୁ ଯାଇଥିଲେ ତାହାକୁ ଖୋଜିବା ଆରମ୍ଭ ହୋଇଥାଏ।

ସେହି ଜାଗାରେ କେଉଁ କେଉଁ ବ୍ୟକ୍ତି ସଂସ୍ପର୍ଶରେ ଆସିଥିଲେ ତାହାକୁ ‘କଣ୍ଟାକ୍ଟ ଲିଷ୍ଟ’ ବୋଲି କୁହାଯାଏ। ପରେ ରାତାରାତି ସେହି କଣ୍ଟାକ୍ଟ ଲିଷ୍ଟରେ ଥିବା ବ୍ୟକ୍ତିମାନଙ୍କ ସହିତ ଯୋଗାଯୋଗ କରାଯାଇଥାଏ। କାରଣ ଅଧିକ ସମୟ ଅତିବାହିତ ହେଲେ ଅଧିକ ବିପଦ ଆଣି ଦେଇଥାଏ। ଯଦି ଏହି କଣ୍ଟାକ୍ଟ ଲିଷ୍ଟରୁ କୌଣସି ବ୍ୟକ୍ତି ପଜିଟିଭ୍‌ ଚିହ୍ନଟ ହୁଅନ୍ତି, ତାହେଲେ ପୁରୁଣା ପଦ୍ଧତିକୁ ଆଉଥରେ ଦୋହରାଇବାକୁ ପଡ଼ିଥାଏ। ଲଗାତର ଏହି ପଦ୍ଧତି ଯଦି ଜାରି ରଖିବାକୁ ପଡ଼େ, ତାହାଲେ ଶାସନ କଳ ଉପରେ ଏହା ବୋଝ ପକାଇବ।

ଉଦାହରଣ ଜରିଆରେ ‌ଶ୍ରୀ ବାଗଚୀ ବୁଝାଇଥିଲେ ଯେ ଯଦି ଆଜି ରାତିରେ ରାଜ୍ୟରେ ୨୦ଟି ନମୁନା ପଜିଟିଭ୍‌ ହୁଏ ଓ ଜଣେ ସଂକ୍ରମିତ ବ୍ୟକ୍ତିଙ୍କ ହାରାହାରି ୫୦ଟି କଣ୍ଟାକ୍ଟ ଲିଷ୍ଟ ବାହାରେ, ତେବେ ସେହି ରାତିରେ ୧୦୦୦ଜଣ ଲୋକଙ୍କୁ ଯୋଗଯୋଗ କରିବାକୁ ହେବ। ଯୋଗାଯୋଗ ପାଇଁ ପ୍ରଶାସନିକ ଅଧିକାରୀ, ପୁଲିସ ଓ ହସ୍ପିଟାଲର କର୍ମଚାରୀଙ୍କୁ ନେଇ ହାରାହାରି ୧୦ ଜଣିଆ ଟିମ୍‌ ଗଠନ କରିବାକୁ ପଡ଼େ। ୧୦୦୦ ଜଣ ବ୍ୟକ୍ତିଙ୍କ ସହିତ ଯୋଗାଯୋଗ କରିବା ପାଇଁ ୨୦ଟି ଟ୍ରାକିଂ ଟିମ୍‌ରେ ୨୦୦ ଜଣ କର୍ମଚାରୀଙ୍କ ଆବଶ୍ୟକତା ପଡ଼େ ଓ ସେହି ବ୍ୟକ୍ତିମାନଙ୍କୁ ଆଣିବା ପାଇଁ ଟ୍ରାକିଂ ଟିମ୍‌କୁ ୨୦୦୦ ଗାଡ଼ି ଆବଶ୍ୟକ। ଗୋଟିଏ ଆମ୍ବୁଲାନ୍ସରେ ସଂକ୍ରମିତ ବ୍ୟକ୍ତି ଆସିବେ ଓ ଅନ୍ୟ ଗାଡ଼ିରେ ଟ୍ରାକିଂ ଟିମ୍‌ର କର୍ମଚାରୀ ରହିବେ। ଏହି ୧୦୦୦ ଜଣଙ୍କ ନମୁନା ପରୀକ୍ଷା ପାଇଁ ୧୦୦୦ଟି ଟେଷ୍ଟିଂ କିଟ୍‌ର ଆବଶ୍ୟକତା ରହିଛି। ଯଦି ଏହି ୧୦୦୦ ବ୍ୟକ୍ତିଙ୍କ ମଧ୍ୟରୁ ୧୦ ପ୍ରତିଶତ ଅର୍ଥାତ ୧୦୦ ଜଣ ପଜିଟିଭ୍‌ ରହନ୍ତି ଓ ସେମାନଙ୍କର ୫୦ ଜଣ ଲେଖାଏ କଣ୍ଟାକ୍ଟ ଲିଷ୍ଟ ଚିହ୍ନଟ ହୁଅନ୍ତି, ତାହାଲେ ୫ହଜାର ବ୍ୟକ୍ତିଙ୍କୁ ଟ୍ରାକିଂ କରିବାକୁ ପଡ଼ିବ। ଏହି ୫ ହଜାର ବ୍ୟକ୍ତିଙ୍କୁ ୧୦୦ଟି ଟ୍ରାକିଂ ଟିମ୍‌ ଦରକାର ହେବ ଓ ଏଥିରେ ୧୦୦୦ ଜଣ କର୍ମଚାରୀ ଏବଂ ୧୦ହଜାର ଗାଡ଼ିର ଆବଶ୍ୟକତା ପଡ଼ିବ। ଏହି ୫ହଜାର ଲୋକଙ୍କ ପାଇଁ ୫ ହଜାର ଟେଷ୍ଟିଂ କିଟ୍‌ର ଆବଶ୍ୟକତା ପଡ଼ିବ। ସେଥିରୁ ଯଦି ୧୦ ପ୍ରତିଶତ ଅର୍ଥାଥ ୫୦୦ ଜଣ ପଜିଟିଭ୍‌ ଚିହ୍ନଟ ହୁଅନ୍ତି ଓ ସେମାନଙ୍କର ୫୦ ଜଣ ଲେଖାଏ କଣ୍ଟାକ୍ଟ ଲିଷ୍ଟ ରହେ, ତେବେ ଏହି ସଂଖ୍ୟା ୨୫ହଜାରରେ ପହଞ୍ଚିବ। ଏହି ୨୫ହଜାର ଲୋକଙ୍କ ପାଇଁ ୫ଶହ ଟ୍ରାକିଂ ଟିମ୍‌ରେ ୫ହଜାର କର୍ମଚାରୀ ଓ ୫୦ହଜାର ଗାଡ଼ି ଆବଶ୍ୟକ ପଡ଼ିବ। ଏମାନଙ୍କ ପରୀକ୍ଷା ପାଇଁ ୨୫ହଜାର ଟେଷ୍ଟିଂ କିଟ୍‌ ଦରକାର ପଡ଼ିବ। ଯଦି ଏହି ୨୫ହଜାର ବ୍ୟକ୍ତିଙ୍କ ମଧ୍ୟରୁ ଯଦି ୫ହଜାର ବ୍ୟକ୍ତି ପଜିଟିଭ୍‌ ଚିହ୍ନଟ ହୁଅନ୍ତି, ତାହାଲେ କଣ୍ଟାକ୍ଟ ଲିଷ୍ଟ ୨.୫ ଲକ୍ଷ ଛୁଇଁବ। ଏଥିପାଇଁ ୫ହଜାର ଟ୍ରାକିଂ ଟିମ୍‌ ଓ ୫୦ହଜାର କର୍ମଚାରୀ ଆବଶ୍ୟକ ପଡ଼ିବେ। ସେମାନଙ୍କୁ ଆଣିବା ପାଇଁ ୫ ଲକ୍ଷ ଗାଡ଼ି ଓ ୨.୫ ଲକ୍ଷ ଟେଷ୍ଟିଂ କିଟ୍‌ ଆବଶ୍ୟକ। ତାହାଲେ ପ୍ରଥମରୁ ଏ ପର୍ଯ୍ୟନ୍ତ ସମୁଦାୟ ୨.୮୧ ଲକ୍ଷ ଟେଷ୍ଟିଂ କିଟ୍‌ ଆବଶ୍ୟକ ହେବ। ତେବେ ଯଦି ଲୋକମାନେ ନିଜ ଆଡ଼ୁ ୧୦୪କୁ ଫୋନ୍‌ କରି ପରୀକ୍ଷା ପାଇଁ ଆସିବେ, ତାହାଲେ ୨.୮୧ ଲକ୍ଷ କିଟ୍‌ ବଦଳରେ ୫୬୨୦ଟି କିଟ୍‌ରେ ପରୀକ୍ଷା ସମ୍ଭବ ହୋଇଥାନ୍ତା। ତେଣୁ ଲୋକମାନେ ସରକାରଙ୍କ କଣ୍ଟାକ୍ଟ ଟ୍ରେସିଂ ପର୍ଯ୍ୟନ୍ତ ନ ଯାଇ ନିଜ ଆଡ଼ୁ ୧୦୪ ସହାୟତା ନମ୍ବରକୁ କଲ୍‌ କରି ଆଗେଇ ଆସନ୍ତୁ। ଏଭଳି ନ ହେଲେ ପୃଥିବୀର କୌଣସି ବି ସରକାର ଏହାକୁ ସମ୍ଭାଳି ପାରିବେ ନାହିଁ। ପ୍ରଶାସନ, ପୁଲିସ ଓ ହସ୍ପିଟାଲ କର୍ମଚାରୀଙ୍କୁ ତାଙ୍କ କାମ କରିବାକୁ ଦିଅନ୍ତୁ। ଯଦି ପୁଲିସ ଓ ପ୍ରଶାସନ ହାଟରେ ବାଟରେ ଲୋକମାନଙ୍କୁ ସାମାଜିକ ଦୂରତ୍ବ ସମ୍ପର୍କରେ ବୁଝାଇବେ, ତେବେ ଟ୍ରାକିଂ କାମ କେମିତି ହେବ। କୌଣସି ଡାକ୍ତରଖାନାର ଡାକ୍ତର ଓ କର୍ମଚାରୀଙ୍କ ଉପରେ ଚାପ ନ ପକାଇ ସମ୍ମାନର ସହ ସେମାନଙ୍କୁ ସେମାନଙ୍କ କାମ କରିବାକୁ ଦେବା ଦରକାର। ଆଗାମୀ ଦିନ ମାନଙ୍କରେ ପ୍ରତ୍ୟେକ ନାଗରିକ ନିଜକୁ ଜଣେ ଜଣେ ସୀମାନ୍ତ ପ୍ରହାରୀ ଭାବେ ଭାବିବାକୁ ହେବ ବୋଲି ଶ୍ରୀ ବାଗଚୀ କହିଥିଲେ।

ସମ୍ବନ୍ଧିତ ଖବର