ଅପହଞ୍ଚ ଇଲାକା ନୟାଗଡ଼ ଜିଲ୍ଲାର ନୂଆଗାଁ ବ୍ଲକ୍ : ପାହାଡ଼ ଭିତରେ ୬ ଗାଁ’ର ଭାଗ୍ୟ

ନୂଆଗାଁ : ରାଜ୍ୟ ସରକାର ଆଦିବାସୀ ଓ ଦଳିତ ସମୁଦାୟର ଲୋକମାନଙ୍କୁ ଥାଇଥାନ କରିବା ସହିତ ସମସ୍ତ ସୁବିଧା ଯୋଗାଇ ଦେବାକୁ ଯୋଜନା ପରେ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ଏଥିପାଇଁ କୋଟି କୋଟି ଟଙ୍କା ବାର୍ଷିକ ଅନୁଦାନ ଖର୍ଚ୍ଚ ହେଉଛି। କିନ୍ତୁ ଏହି ସବୁ ଯୋଜନା ସରକାରଙ୍କ ନାଲିଫିତା ତଳେ ରହି ଯାଉଥିବା ଦେଖିବାକୁ ମିଳିଛି। ରାଜ୍ୟ ସରକାରଙ୍କ ତାଲିକାରେ ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ୍ ଏବେ ବି ଅପହଞ୍ଚ ହୋଇରହିଛି। ଏଠାରେ ଆଦିବାସୀ ଏବଂ ହରିଜନ ଲୋକମାନେ ସରକାରୀ ସବିଧା ସୁଯୋଗ ପାଇବାରୁ ବଞ୍ଚିତ ହୋଇଛନ୍ତି। ବଞ୍ଚିବାକୁ ପ୍ରତିଦିନ ଏଠାରେ ଜୀବନ ବାଜି ଲାଗୁଥିବା ବେଳେ ପାହାଡ଼ ଭିତରେ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଲୋକେ କାଳାତିପାତ କରୁଛନ୍ତି। ଏପଟେ ସରକାରଙ୍କୁ ମିଥ୍ୟା ରିପୋର୍ଟ ଦେଇ ସ୍ଥିତି ସମ୍ଭାଳିବାକୁ ବ୍ଲକ୍ ପ୍ରଶାସନ ଉଦ୍ୟମ କରୁଛି। ରାଜଧାନୀ ଭୁବନେଶ୍ବରଠାରୁ ନୟାଗଡ଼ର ଦୂରତା ୯୦ କିଲୋମିଟର ଭିତରେ ଲୋକମାନେ ଆଜି ବି ଅବହେଳିତ ହୋଇ ରହିଛନ୍ତି। ଏଠାରେ ଲୋକଙ୍କ ପାଇଁ ରାସ୍ତାଘାଟ, ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟ ଜଳ, ପରିମଳ ଆଦି ଯୋଜନା ବିଗିଡ଼ି ଯାଇଛି। ଲୋକମାନେ ଶହଶହ ବର୍ଷର ସେହି ପୁରୁଣା ଅବସ୍ଥାକୁ ଫେରି ଆସିଛନ୍ତି। ଗାଁର ଶିଶୁମାନେ ପାଠପଢ଼ାରୁ ବଞ୍ଚିତ ହୋଇଥିବା ବେଳେ ଭତ୍ତା, ଆବାସ, ଗମନାଗମନ ତାଙ୍କୁ ମରଣମୁହଁକୁ ଠେଲି ଦେଉଛି। ନିର୍ବାଚନ ସମୟରେ ନେତାମନ୍ତ୍ରୀମାନେ ଚିଲିକା ମାଛ ଆକାଶ କୟାଁ ନ୍ୟାୟରେ ସମସ୍ତ ସମସ୍ୟାର ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇ ପୁଣି ପରବର୍ତ୍ତୀ ସମୟରେ ଭୁଲି ଯାଇଥାନ୍ତି।

ନୂଆଗାଁ ବ୍ଲକ୍ ୨୨ଟି ପଞ୍ଚାୟତକୁ ନେଇ ଗଠିତ। ୨୦୧୧ ମସିହା ଜନଗଣନା ଅନୁଯାୟୀ ୯୩ ହଜାର ୨ ଶହ ୫୩ ଜଣ ଲୋକ ଏଠାରେ ବସବାସ କରିଥାନ୍ତି। ୪୮ ହଜାର ୫ ଶହ ୧୪ ଜଣ ପୁରୁଷ ଥିବା ବେଳେ ୪୪ ହଜାର ୭ ଶହ ୩୯ ଜଣ ମହିଳା ଥିବା ତାଲିକାରୁ ଜଣାଯାଇଛି। ଏଥିରେ ୮ ହଜାର ୫ ଶହ ୨୧ ଜଣ ହରିଜନ ପୁରୁଷ ବ୍ୟକ୍ତି ଏବଂ ୮ ହଜାର ୧ ଶହ ୧୩ ଜଣ ମହିଳା ଏହିପରି ମୋଟ ୧୬ ହଜାର ୬ ଶହ ୩୪ ଜଣ ତାଲିକାରେ ଅଛନ୍ତି। ସେହିପରି ୫ ହଜାର ୫ ଶହ ୬୯ ଜଣ ପୁରୁଷ ଏବଂ ୫ ହଜାର ୩ ଶହ ୯୩ ଜଣ ମହିଳା ଏହିପରି ୧୦ ହଜାର ୯ ଶହ ୫୨ ଜଣ ବସବାସ କରିଥାନ୍ତି। ଆଦିବାସୀଙ୍କ କଥା ବିଚାରକୁ ନେଲେ ପ୍ରତି ପଞ୍ଚାୟତରେ କିଛି ନା କିଛି ଆଦିବାସୀ ଶ୍ରେଣୀର ଲୋକ ବସବାସ କରନ୍ତି। କେତେକ ପରିବାର ଭୂମିହୀନ ହୋଇଥିବା ବେଳେ ଆଉ କେତେକ ଲୋକ ସେହି ଝାଟିମାଟି ନୁଆଁଣିଆ ଘରେ ନିଜ ପରିବାରକୁ ଧରି ରୁହନ୍ତି। ବସୁନ୍ଧରା ଯୋଜନାରେ ଭୂମିହୀନଙ୍କୁ ଚାରି ଡିସିମିଲ ଜାଗା ଯୋଗାଇ ଦେବାକୁ ସରକାର ଘୋଷଣା କରିବା ପରେ ବ୍ଲକ୍ ପ୍ରଶାସନ ପକ୍ଷରୁ ତତ୍ପରତା ଦେଖାଦେଇଥିଲା। ଜାଗା ଚିହ୍ନଟ କରି ଯୁଦ୍ଧକାଳୀନ ଭିତ୍ତିରେ ଜାଗା ଯୋଗାଇ ପରେ ସେମାନଙ୍କୁ ପ୍ରଶାସନ ଅଣଦେଖା କରି ଚାଲିଛି। ଏପଟେ ଆବାସ ଆସି ବାରମ୍ବାର ଫେରୁଥିଲେ ମଧ୍ୟ ସେମାନେ ଘର ପାଇବାରୁ ବଞ୍ଚିତ ହେଉଛନ୍ତି। କିଏ ରାସ୍ତାକଡ଼ରେ ପଡ଼ିଛି ତ ଆଉ କିଏ ଜରିପାଲ ତଳେ ନିଜ ପିଲାଛୁଆଙ୍କୁ ଧରି ଆଶ୍ରୟ ନେଇଛି। ଏଭଳି ଅବସ୍ଥାରେ ଆଦିବାସୀମାନେ ବର୍ଷବର୍ଷ ଧରି ପଡ଼ି ରହିଥିଲେ ମଧ୍ୟ ପ୍ରଶାସନ ଆଖି ବୁଜି ଦେଇଛି।

ବ୍ଲକ୍‌ର ଜାକେଡ଼ା, କାପ୍ତାପଲ୍ଲୀ, ଗୁମୀ, ସିଙ୍ଗାରପଲ୍ଲୀ, ବେରୁଆଁବାରୀ, ହରିପୁର, କୋରଡ଼ା, ପାରାଢିପି, ଗାତେରୀ ଏବଂ ଉଦୟପୁର ପଞ୍ଚାୟତରେ ହରିଜନ ଏବଂ ଆଦିବାସୀମାନଙ୍କ ପାଇଁ ସରକାରଙ୍କ ଯୋଜନା ପାଣିର ଗାର ବୋଲି ଅଭିଯୋଗ ହୋଇଛି। ସରକାରୀ ବାବୁମାନେ ଏହି ପଞ୍ଚାୟତର ଉପାନ୍ତ ଅଂଚଳକୁ କେବେ ବି ଯାଇନଥାନ୍ତି। ଏହି ଅଗମ୍ୟ ଅଂଚଳର ବିକାଶ ପାଇଁ ଯଦି କେବେ ଅନୁଦାନ ଆସେ ତାହା ଦଲାଲ, ଟାଉଟର ଏବଂ ନେତାମନ୍ତ୍ରୀଙ୍କ ପାଖ ଲୋକଙ୍କ ହାତରେ ଟେକି ଦିଆଯାଏ। ଏହିମାନେ ଅତ୍ୟନ୍ତ ନିମ୍ନମାନର କାମ କରି ଟଙ୍କା ସବୁକୁ ଚଳୁ କରି ଦିଅନ୍ତି। ଏପଟେ ବ୍ଲକ୍ ପ୍ରଶାସନ ଆଦିବାସୀଙ୍କ ବିକାଶକୁ ନେଇ ସବୁବେଳେ ଗର୍ବ ଅନୁଭବ କରୁଛି। ମିଥ୍ୟା ରିପୋର୍ଟ ଏବଂ ଅନୁଦାନର ଆକଳନ ସରକାରଙ୍କୁ ଦିଆଯାଉଛି। ଯଦି କେବେ ରାଜ୍ୟ ସରକାର କିମ୍ବା କେନ୍ଦ୍ର ସରକାରଙ୍କ ବରିଷ୍ଠ ଅଧିକାରୀମାନେ ପରିଦର୍ଶନରେ ଆସନ୍ତି ତାଙ୍କୁ ବିଭ୍ରାନ୍ତ କରି ବ୍ଲକ୍ କର୍ମଚାରୀମାନେ ଉପାନ୍ତ ଅଂଚଳ ପରିବର୍ତ୍ତେ ଅନ୍ୟ ସ୍ଥାନ ଦେଖାଇ ଛାଡ଼ି ଦିଅନ୍ତି। ବର୍ଷ ପରେ ବର୍ଷ ଗଡ଼ି ଚାଲିଥିଲେ ମଧ୍ୟ ବିକାଶ ଦିନକୁ ଦିନ ବିଗିଡ଼ି ଯାଉଥିବା ଲକ୍ଷ୍ୟ କରାଯାଉଛି। ବ୍ଲକ୍‌ର କୋରଡ଼ା ପଞ୍ଚାୟତକୁ ଦେଖିବାକୁ ଗଲେ କଖାରୁମଡ଼ା, ବେଲବଣି, ରଗଡିମଡା, ଟୁଣିଆପଡ଼ା, ରକ୍ତପଟା ଏବଂ ଗୁଣ୍ତୁରାବାରୀ ଛଅ ଖଣ୍ତ ଗାଁ ପାହାଡ଼ ମଧ୍ୟରେ ଅବସ୍ଥିତ। ଏହି ଗାଁଗୁଡ଼ିକରେ ଆଦିବାସୀ ଏବଂ ଦଳିତ ସମୁଦାୟର ଲୋକ ବସବାସ କରିଥାନ୍ତି। ଗାଁ’ଗୁଡ଼ିକୁ ଆଜି ପର୍ଯ୍ୟନ୍ତ ନିତିଦିନିଆ ରାସ୍ତାଟିଏ ନିର୍ମାଣ ହୋଇନଥିବା ବେଳେ ଅନ୍ୟ କୌଣସି ସରକାରୀ ସୁବିଧା ନାହିଁ। ବ୍ଲକ୍‌ରୁ ୫ କିଲୋମିଟର ଗଲେ ଏହିସବୁ ଗାଁ’ ପଡ଼ିଥାଏ। ଏହି ଗାଁର ଲୋକମାନେ ଚାଷବାସ ଉପରେ ପ୍ରାୟତଃ ନିର୍ଭର କରି ଚଳିଥାନ୍ତି। ଗାଁ’ଗୁଡ଼ିକରେ ସରକାରୀ ସୁବିଧା ଆଜି ପର୍ଯ୍ୟନ୍ତ ପହଞ୍ଚି ପାରିନାହିଁ। କେବଳ ଚଲାବାଟ ବ୍ୟତୀତ ଅନ୍ୟ ରାସ୍ତା ନିର୍ମାଣ ହୋଇନଥିବା ବେଳେ ଲୋକମାନେ ସେହି ପାହାଡ଼ିଆ ଖାଲଖମା ରାସ୍ତା ଦେଇ ପ୍ରତିଦିନ ଯିବାଆସିବା କରିଥାନ୍ତି।

ଯଦି ବ୍ଲକ୍‌ଠାରୁ ୫ କିଲୋମିଟର ଦୂରତା ଭିତରେ ଗାଁ’ଗୁଡ଼ିକର ଅବସ୍ଥା ଏପରି ତେବେ ୨୦ କିଲୋମିଟର ଦୂରତ୍ବର ଗାଁ’ କିପରି ଥିବ, ତାହା ଏଥିରୁ ସ୍ପଷ୍ଟ ବାରି ହୋଇପଡ଼ୁଛି। ବ୍ଲକ୍ ପ୍ରଶାସନ ନେତା, ମନ୍ତ୍ରୀଙ୍କ ଆଗରେ ମୁଣ୍ତ ନୁଆଁଇ ଆଦିବାସୀ ଲୋକଙ୍କ ଦୁଃଖ ଭୁଲି ଯାଉଥିବା କହିଛନ୍ତି। ଏହି ଲୋକମାନେ ଜିଲ୍ଲାପାଳଙ୍କ ପାଖକୁ ଗାଁର ସମସ୍ୟା ନେଇ ଧାଇଁ ଆସୁଥିଲେ ମଧ୍ୟ ତାହା ନାଲି ଫିତା ତଳେ ରହି ଯାଉଥିବା କହିଛନ୍ତି। ଆଦିବାସୀମାନେ ଚାଷବାସ ଉପରେ ନିର୍ଭର କରି ଚଳିଥାନ୍ତି। କେବେ ବର୍ଷାର ଅଭାବ ଯୋଗୁ ଧାନକ୍ଷେତ ଉଜୁଡ଼ିଯାଏ ତ ଆଉ କେତେବେଳେ ହାତୀପଲ ଆସି ଧାନକ୍ଷେତରେ ପଶି ଦଳିଚକଟି ନଷ୍ଟ କରିଥାନ୍ତି। ଏବେ ଆଦିବାସୀମାନେ ନିଜ ଜୀବନକୁ ବାଜି ଲଗାଇ ବଂଚିବାକୁ ସଂଘର୍ଷ କରୁଛନ୍ତି। ସରକାରଙ୍କ ନିଦ କେବେ ଭାଙ୍ଗିବ ଏବଂ ଏମାନଙ୍କୁ ସରକାରୀ ସାହାଯ୍ୟ କେବେ ମିଳିବ, ତାହା ଦେଖିବାକୁ ବାକି ରହିଛି।

ସମ୍ବନ୍ଧିତ ଖବର