ମୌଳିକ ସୁୁବିଧାରୁ ବଞ୍ଚିତ ଲାଞ୍ଜିଗଡ଼ ବ୍ଲକର ୨୫ଟି ଆଦିବାସୀ ଗାଁ

ଲାଞ୍ଜିଗଡ :ଲାଞ୍ଜିଗଡ ବ୍ଲକ ଭୂର୍ଟିଗଡ ପଞ୍ଚାୟତ ଅଧୀନସ୍ଥ ମହିନାଲ ଓ ତେତେଲପଡା ଗ୍ରାମ ବାସୀଙ୍କ ପାଇଁ ମୌଲିକ ସୁବିଧା  ଅପହଞ୍ଚ ହୋଇ ରହିଛି। ୨୫ଟି ଆଦିବାସୀ ପରିବାର ରହୁଥିବା ଏହି ଗାଁକୁ ରାସ୍ତା ନାହିଁ, ବିଦ୍ୟାଳୟ କିମ୍ବା ଅଙ୍ଗନୱାଡି କେନ୍ଦ୍ର ମଧ୍ୟ ନାହିଁ। ଏପରିକି ତେତଲପଡାରେ ନଳକୂପ ଟିଏ ନଥିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସ୍ବାସ୍ଥ୍ୟସେବା ଏହି ଗ୍ରାମବାସୀଙ୍କ ପାଇଁ ଅପହଞ୍ଚ। ଗାଁର ଶିଶୁ ମାନେ ଅପପୁଷ୍ଟିର ଶିକାର ହେଉଥିବା ବେଳେ ଲୋକେ ମଧ୍ୟ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇଥାନ୍ତି। ଏଠାରୁ ବିଶ୍ବନାଥପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ୩୦ କିମି ଦୂର। ରାସ୍ତା ନଥିବାରୁ ଗାଁକୁ ଜନନୀ ସୁରକ୍ଷା ଗାଡି ଆସିପାରେ ନାହିଁ। ଅସୁରକ୍ଷିତ ଭାବେ ଏଠାରେ ଜଣେ ମା’ ସନ୍ତାନ ପ୍ରସବ କରେ। ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ଏଠାରେ ପହଞ୍ଚିପାରେ ନାହିଁ। ବଣ ପାହାଡ ଘେରା ଅଞ୍ଚଳ ହେତୁ ଏଠାରେ ଭଲ ଚାଷ ହୁଏନାହିଁ। ନାଁକୁ ମାତ୍ର ଜମିଥାଏ କିନ୍ତୁ ସେଠାରେ ଫସଲ ନଥାଏ। ଯାହାବି ହୁଏ ହିସାବ କଲେ ଖର୍ଚ୍ଚକୁ ଅନିଣ୍ଟ। ଫଳରେ ଲୋକଙ୍କ ଆର୍ଥିକ ଅବସ୍ଥା ଦୟନୀୟ। ସରକାରଙ୍କ ତରଫରୁ ଗାଁର କେତେକ ଲୋକଙ୍କ ନାଁରେ ଇନ୍ଦିରା ଆବାସ ଆସିଛି। କିନ୍ତୁ ଏହା ସଂପୃକ୍ତ ହିତାଧିକାରୀ ନକରି ଠିକାଦାର ମାଧ୍ୟମରେ କରାଯାଇଛି। ଆବାସ ଯୋଜନା ଗୃହର ବାହାର ପଟ ପଲସ୍ତର ହୋଇଛି କିନ୍ତୁ ଭିତରପଟ ସେମିତି ପଡି ରହିଛି। ସେହି ବିନା ପଲସ୍ତରରେ ଘରକୁ ହିତାଧିକାରୀଙ୍କ ହସ୍ତାନ୍ତର କରିଛନ୍ତି ଠିକାଦାର ଓ ସରକାରୀ ବାବୁମା‌ନେ।

ଏହି ଗାଁକୁ ଆସିବାକୁ ହେଲେ ଦୁଇଟି ନାଳ ଅତିକ୍ରମ କରିବାକୁ ପଡେ। ବର୍ଷ ସାରା ଏହି ନାଳରେ ପାଣି ରହେ। ନାଳ ଉପରେ ଛୋଟ ବ୍ରିଜ ଓ ରାସ୍ତା ନିର୍ମାଣ କରିବାକୁ ସ୍ଥାନୀୟ ଜନ ପ୍ରତିନିଧି ଓ ବ୍ଲକ ପ୍ରଶାସନକୁ ବାରମ୍ବାର ଗୁହାରୀ କରି କିଛି ମଧ୍ୟ ସୁଫଳ ମିଳିନଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। ବର୍ତମାନ ତେତେଲପଡା ଗାଁକୁ ପାଦଚଲା ରାସ୍ତା ଛଡା ଯାନବାହାନ ଯିବା ପାଇଁ ରାସ୍ତାଟିଏ ନାହିଁ। ତେବେ ବର୍ତମାନ ମହିନାଲ ସହ ପ୍ରଧାନମନ୍ତ୍ରୀ ସଡକ ଯୋଡି ହେବାକୁ ଯାଉଛି। ଗାଁର ସବୁଠାରୁ ବଡ ସମସ୍ୟା ହେଉଛି ପାନୀୟ ଜଳ। ପ୍ରତ୍ୟେକ ନାଗରିକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ପାଇଁ ସରକାରୀ ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ ହେଉଥିବାବେଳେ ଏହି ଗାଁରେ ସାମାନ୍ୟ ନଳକୂପଟିଏ ମଧ୍ୟ ହୋଇ ପାରିଲା ନାହିଁ। ଫଳରେ ମହିଳାମାନେ ନାଳରୁ ବହୁ କଷ୍ଟରେ ପାଣି ସଂଗ୍ରହ କରନ୍ତି। ଖରାଦିନେ ପଣି ସମସ୍ୟା ବଢିଯାଏ। ପାଣି ମୁନ୍ଦିଏ ପାଇଁ ଡହଳ ବିକଳ ହୁଅନ୍ତି ଏଠାକାର ଅଧିବାସୀ। ନଳକୂପ ପାଇଁ ବାରମ୍ବାର ପଞ୍ଚାୟତ ଓ ବ୍ଲକ କର୍ତ୍ତୃପକ୍ଷଙ୍କ ପାଖରେ ନେହୁରା ହେଲେ ମଧ୍ୟ ସେମାନେ ଶୁଣୁନଥିବା ଗୁରୁବାରୀ ମାଝୀ ପ୍ରକାଶ କରିଛନ୍ତି। ଏମାନଙ୍କୁ ନିର୍ବାଚନ ସମୟରେ ସବୁ ପ୍ରକାର ପ୍ରତିଶ୍ରୁତି ମିଳିଥାଏ। କିନ୍ତୁ ନିର୍ବାଚନ ସରିଗଲେ ପ୍ରତିଶ୍ରୁତି ସବୁ ପ୍ରତିଶ୍ରୁତିରେ ରହିଯାଏ। ଆଉ କିଛି ମାସ ପରେ ସାଧାରଣ ନିର୍ବାଚନ ହେବ। ଏଣୁ ଗ୍ରାମବାସୀଙ୍କ ସମସ୍ୟା ଦୃଷ୍ଟି ଦିଆନଗଲେ ସେମାନେ ଭୋଟ ବର୍ଜନ କରି‌ବେ ବୋଲି ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର