କାଗଜପତ୍ରରେ ସରକାରୀ ଯୋଜନା: ନିଜ ନାମରେ ଟଙ୍କା ଉଠିଲେ ବି ଶ୍ରମିକ ଜାଣିପାରିଲେନି

ସୁନ୍ଦରଗଡ଼:  ଜମି ମରାମତି ହେଲା, ଶ୍ରମିକମାନଙ୍କ ନାମ ମଷ୍ଟରରୁଲ୍ରେ ଦରଜ ହୋଇ ବିଲ୍ ତିଆରି ହେଲା। ଆକାଉଣ୍ଟରେ ମଜୁରି ଜମା ହୋଇ ବ୍ୟାଙ୍କରୁ ଟଙ୍କା ବି ଉଠିଲା।  କିନ୍ତୁ ସବୁ କାଗଜପତ୍ରରେ। ବାସ୍ତବରେ ନା ଜମି ମରାମତି ହୋଇଛି ନା ଶ୍ରମିକ କାମ କରିଛନ୍ତି। ବିସ୍ମୟକର କଥା ହେଲା, ଏ ଜାଲିଆତି ସମ୍ପର୍କରେ ନା ହିତାଧିକାରୀମାନେ ଟେର୍ ପାଇଥିଲେ ନା ଶ୍ରମିକ। ଏପରିକି  ସେମାନଙ୍କ ନାମ ଜମି ମରାମତି ଯୋଜନାରେ ସାମିଲ ହୋଇଛି ବୋଲି ମଧ୍ୟ ହିତାଧିକାରୀମାନେ  ଜାଣି ନଥିଲେ। ଏବେ ଜାଣିବା ପରେ ଜିଲ୍ଲା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀଙ୍କୁ ଅଭିଯୋଗ କରି ସରକାରୀ ଯୋଜନାକୁ ଚଳୁ କରିଥିବା ଅଧିକାରୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଚାଞ୍ଚଲ୍ୟକର ଅଭିଯୋଗଟି ଆସିଛି ଲେଫ୍ରିପଡ଼ା ବ୍ଲକରୁ। ବ୍ଲକର ଶତାଧିକ ଚାଷୀଙ୍କୁ  ଜମି ମରାମତି ଯୋଜନାରେ ସାମିଲ କରାଯାଇଥିଲା।

ସେମାନଙ୍କ ମଧ୍ୟରେ ଦୁଇ ହିତାଧିକାରୀ ହେଲେ ଡୁମାବାହାଲ ପଞ୍ଚାୟତର ରାକସଖୋଲ ଗାଁର ସଂଜୟ ବିଲୁଙ୍ଗ ଓ ଗୁଞ୍ଜଖୋଲର ସୁଶୀଳ ମିଞ୍ଜ। କିନ୍ତୁ ଚାଷୀ ସଂଜୟ ଓ ସୁଶୀଳଙ୍କୁ ଏ ସମ୍ପର୍କରେ କୌଣସି ସୂଚନା ନଥିଲା। କିନ୍ତୁ ଗତ ଜୁଲାଇ ମାସରେ କାଗଜପତ୍ରରେ ସେମାନଙ୍କ ଜମି ମରାମତି ହୋଇ ପ୍ରାୟ ୭୦ ହଜାର ଟଙ୍କା ଉଠାଇ ନିଆଯାଇଥିଲା। ଏଥିପାଇଁ ଶ୍ରମିକ ଗିରୀଶ ସେଠ, ରମାକାନ୍ତ ମାଝୀ, ଉକିଆ ବାଗ, ବିକାଶ ନାଏକ, ନରେନ୍ଦ୍ର ପ୍ରଧାନ, ଲକ୍ଷ୍ମୀ ସିଂ, ସୁଜାତା ନାଏକ, ପ୍ରଫୁଲ୍ଲ ସିଂ, ଦେବକୀ ନାଏକ, ଅମ୍ବିକା କାଲୋ, ଦମୟନ୍ତୀ ବଛା, ମଞ୍ଜୁଲତା ସା, ହରିଶ୍ଚନ୍ଦ୍ର ପ୍ରଧାନ, ଅମିତ ବାର୍ଲା,ଜଗଦୀଶ ସା, ଗୁଲାପ ସିଂ, ସୌରଭ ସିଂ, ମନଧର ପ୍ରଧାନ, ପ୍ରଦୀପ କାଲୋ, ଅଞ୍ଜନ ସାଙ୍କ ନାମରେ ମିଛ ବିଲ୍ ତିଆରି କରାଯାଇଥିଲା।

ଏ ଜାଲିଆତି ସମ୍ପର୍କରେ  ଜଣାପଡ଼ିବା ପରେ ହିତାଧିକାରୀ ବିସ୍ମିତ ହୋଇପଡ଼ିଥିଲେ। ମଙ୍ଗଳବାର ସଂଜୟ ବିଲୁଙ୍ଗ ଓ ସୁଶୀଳ ମିଞ୍ଜଙ୍କ ପତ୍ନୀ ତାରସିନିଆ ମିଞ୍ଜ ଲେଫ୍ରିପଡ଼ା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ପଞ୍ଚାୟତ ସମିତି ଅଧ୍ୟକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ। ଏହି ସମୟରେ ଡୁମାବାହାଲ ସରପଞ୍ଚ, ଗ୍ରାମ ରୋଜଗାର ସେବକ, ଗାଁ ସାଥୀ ପହଞ୍ଚି ପ୍ରଥମେ ନାଲିଆଖି ଦେଖାଇବା ପରେ ସେମାନଙ୍କୁ ଟଙ୍କା ଫେରାଇ ଦେବେ ବୋଲି କହିଥିଲେ। କିନ୍ତୁ ହିତାଧିକାରୀ  ସେମାନଙ୍କ ଜମିରୁ ମାଟି ଟେଳାଏ ଉଠି ନଥିବା ବେଳେ କିପରି ବିଲ୍ ଉଠିଲା ବୋଲି ପ୍ରଶ୍ନ କରିଥିଲେ। ଏହା ପରେ ଜିଲ୍ଲା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀଙ୍କୁ ଲିଖିତ  ଅଭିଯୋଗ କରିଥିଲେ। ତେବେ କାଗଜପତ୍ରରେ କେବଳ ଡୁମାବାହାଲର ଚାଷୀ ସଂଜୟ,  ସୁଶୀଳ ମିଞ୍ଜଙ୍କ ଜମି ମରାମତି ହୋଇଛି ତାହ ନୁହେଁ, ବ୍ଲକର ଅନ୍ୟ ପଞ୍ଚାୟତରେ ମଧ୍ୟ ହିତାଧିକାରୀଙ୍କ ଅଜଣାତରେ ମିଛ ବିଲ୍ କରି ଲକ୍ଷ ଲକ୍ଷ ଟଙ୍କା ହଡ଼ପ କରି ନିଆଯାଇଥିବା ଅଭିଯୋଗ ହୋଇଛି। ଉଚ୍ଚ କର୍ତ୍ତୃପକ୍ଷ ଏହାର ତଦନ୍ତ କଲେ ସରକାରୀ ଯୋଜନା ବାଟମାରଣାର ଅସଲ ଚିତ୍ର ସାମ୍ନାକୁ ଆସିବ ବୋଲି ସାଧାରଣରେ ମତପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର