ବିକାଶଠାରୁ ବହୁ ଦୂରରେ ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକର ତଳମୂଳ ଶାସନ ପଞ୍ଚାୟତର ତଅଁଳାସାହି

ଲୋକେ ଏବେ ବି ଚୁଆ ପାଣି ଉ‌ପରେ ନିର୍ଭରଶୀଳ

ଆବାସ ପାଇଁ ଦେଖୁଛନ୍ତି ସ୍ୱପ୍ନ
ଗାଁକୁ ଆସେନାହିଁ ଆମ୍ବୁଲାନ୍ସ

ବଅଁରପାଳ : ଅନୁଗୁଳ ଜିଲ୍ଲା ମୁଖ୍ୟାଳୟଠାରୁ ମାତ୍ର ୧୬ କିଲୋମିଟର ଦୂରରେ ରହିଛି ତଳମୂଳ ତଅଁଳାସାହି ଗାଁ। ସ୍ବାଧୀନତାର ୭୩ ବର୍ଷ ପରେ ବି ପରାଧୀନ ଭାରତ ଭଳି ଗାଁର ସ୍ଥିତି। ସରକାରୀ ଯୋଜନା ଏଇଠି ଅପହଞ୍ଚ। ଅଧକିଲୋମିଟର ଦୂରତାରେ ରହୁଥିବା ତଳମୂଳ ଗାଁ ବାସିନ୍ଦା ପାଇପ ଯୋଗେ ପିଇବା ପାଣିଠାରୁ ଆରମ୍ଭ କରି ସବୁକିଛି ସୁବିଧା ପାଉଥିବା ବେଳେ ରାଜସ୍ବ ଗାଁର ମାନ୍ୟତା ପାଇଥିବା ତଅଁଳାସାହିର ଲୋକେ ଏବେ ବି ଚୁଆ ପାଣି ଉ‌ପରେ ନିର୍ଭରଶୀଳ।

ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକର ତଳମୂଳ ଶାସନ ପଞ୍ଚାୟତର ତଅଁଳାସାହିରେ ରହନ୍ତି ପାଖାପାଖି ଶହେ ପରିବାର। ପ୍ରାୟ ସମସ୍ତେ ଅନୁସୂଚିତ ଜାତିର ଲୋକେ। ୪/୫ଟି ପରିବାରକୁ ଛାଡ଼ି ଦେଲେ ସମସ୍ତେ ଝୁମ୍ପୁଡ଼ି ଘରେ ବାସ କରୁଛନ୍ତି। ସରକାର ସବୁ ପରିବାରକୁ ପକ୍କା ଘର ଆଉ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଉପରେ ଗୁରୁତ୍ବ ଦେଉଥିଲେହେଁ ତଅଁଳାସାହିକୁ ସରକାରୀ ଯୋଜନା ଅପହଞ୍ଚ ହୋଇଛି। ୨୦୧୨ ମସିହାରେ ସରପଞ୍ଚ ଆସନ ଅନୁସୂଚିତ ବର୍ଗର ଲୋକଙ୍କ ପାଇଁ ସଂରକ୍ଷିତ ଥିବାରୁ ଏହି ଗାଁର ଜଣେ ବ୍ୟକ୍ତି ସରପଞ୍ଚ ହେବାର ସୌଭାଗ୍ୟ ପାଇଥିଲେ। ତାଙ୍କ ସମୟରେ ଯାହା ଗାଁର କିଛି ଲୋକ ଇନ୍ଦିରା ଆବାସ ଯୋଜନାରେ ପକ୍କା ଘର ଖଣ୍ଡେ ଲେଖାଏଁ ପାଇଥିଲେ। ଅଧିକାଂଶ ଲୋକ ଗାଁ ପାଖ ଦେଇ ଯାଇଥିବା ମନ୍ଦାକିନୀ ନଦୀରେ ମାଛମାରି ଗୁଜୁରାଣ ମେଣ୍ଟାଇଥାନ୍ତି। ବିକଳ୍ପ ନଥିବାରୁ ଆଉ କିଛି ଲୋକ ଅନ୍ୟ ଗାଁକୁ ଯାଇ ଦିନମଜୁରିଆ ଭାବେ ଖଟିଥାନ୍ତି। ଗାଁର କିଛି ଲୋକଙ୍କ ପାଖରେ ଚାଷଜମି ଅଛି। ଉଠା ଜଳସେଚନ ପ୍ରକଳ୍ପ ଜରିଆରେ ମନ୍ଦାକିନୀ ନଦୀ ଜଳକୁ ବ୍ୟବହାର କରିହୁଅନ୍ତା। ମାତ୍ର ସରକାରଙ୍କ କୃପାଦୃଷ୍ଟି ପଡ଼ି ନାହିଁ।

ନଦୀ ଉପରେ ପୋଲଟିଏ ନିର୍ମାଣ କରାଗଲେ ଗାଁକୁ ଯିବାଆସିବା ସୁଗମ ହୁଅନ୍ତା। ନଦୀ ଯୋଗୁଁ ଗାଁଲୋକଙ୍କୁ ଖାଲଖମା ଭରା ୪ କିଲୋମିଟର ରାସ୍ତା ବୁଲି ମୁଖ୍ୟରାସ୍ତାକୁ ଆସିବାକୁ ପଡ଼ିଥାଏ। ବର୍ଷାଦିନ କଥା ଭିନ୍ନ, ରାସ୍ତା ଭଲ ନଥିବାରୁ ଖରାଦିନେ ବି ଗାଁକୁ ଚାରିଚକିଆ ଗାଡ଼ି ଯାଇପାରେ ନାହିଁ। ରୋଗୀଙ୍କୁ ଆଣିବାକୁ ଆମ୍ବୁଲାନସ୍‌ ବି ଆସିପାରେ ନାହିଁ। ଆମ୍ବୁଲାନ୍‌ସ ଅଟକି ଜାଗା ପର୍ଯ୍ୟନ୍ତ ରୋଗୀଙ୍କୁ ବୋହି ଆଣିବାକୁ ପଡ଼ିଥାଏ। ଆବାସ ଯୋଜନାରେ ଘରେ ଖଣ୍ଡେ ପାଇବା ପାଇଁ ପଞ୍ଚାୟତ କାର୍ଯାଳୟଠାରୁ ବ୍ଲକ ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଅନେକ ‌ଥର ଦୌଡ଼ିବା ପରେ ବି କିଛି ଲାଭ ହୋଇ ନାହିଁ। ସରକାରଙ୍କ ଇନ୍ଦିରା ଆବାସ, ବିଜୁ ପକ୍କା ‌ଘର ଯୋଜନା ଥିଲେ କ’ଣ ହେବ, ଆମକୁ ତ ଝୁମ୍ପୁଡ଼ି ଘରେ ରହିବା ପାଇଁ ଅଭିଶାପ ମିଳିଛି ବୋଲି ଗାଁର ରମେଶ ସିଠ, ସୋମନାଥ ସିଠ, ଜିତୁ ବେହେରା, ବଳଭଦ୍ର ସିଠ, ଶୈଳବାଳା ସିଠ ଓ କୈଳାସ ସିଠ କହିଛନ୍ତି।

ତଅଁଳାସାହିଠାରୁ ଅଧ କିଲୋମିଟର ଦୂର ନଦୀର ଅପରପାର୍ଶ୍ବରେ ଥିବା ତଳମୂଳ ଗାଁକୁ ସରକାର ବସୁଧା ଯୋଜନାରେ ଘରକୁ ଘର ପାଇପ ଯୋଗେ ପାଣି ଯୋଗାଇ ଦେଉଛନ୍ତି। ପାଇପ ପାଣି ଅପବ୍ୟବହାର ହେଉଛି। ପାଣି ପଡ଼ି ରାସ୍ତା କାଦୁଅ ହେଉଛି। ଅନ୍ୟ ପଟେ ତଅଁଳାସାହି ଗାଁ ଲୋକେ ବର୍ଷ ସାରା ଚୁଆ ପାଣି ଉପରେ ନିର୍ଭର କରୁଛନ୍ତି। ଗାଁରେ ଥିବା ଏକମାତ୍ର ନୂଳକୂଅ ବହୁ ବର୍ଷ ହେଲା ଅଚଳ ହୋଇପଡ଼ିଛି। ମନ୍ଦାକିନୀ ନଦୀର ବାଲି ଚୁଆରୁ ଗୋଟିଏ ବାଲ୍ଟି ପାଣି ସଂଗ୍ରହ କରିବାକୁ ଘଣ୍ଟା ଘଣ୍ଟା ଅପେକ୍ଷା କରିବା ଛଡ଼ା ଅନ୍ୟ ବିକଳ୍ପ ନାହିଁ। କେନ୍ଦ୍ର ସରକାରଙ୍କ ସ୍ବଚ୍ଛ ଭାରତ ଅଭିଯାନରେ ଅଳ୍ପ କିଛି ଲୋକଙ୍କ ଘରେ ପାଇଖାନା ନିର୍ମାଣ ହୋଇଛି। ଗାଁ ମୁଣ୍ଡରେ ଲାଗିଛି ‘ବାହ୍ୟ ମଳମୁକ୍ତ ଗ୍ରାମ’ ଫଳକ। କିନ୍ତୁ ଲୋକେ ଆଜି ବି ଖୋଲା ଆକାଶ ତଳେ ମଳତ୍ୟାଗ କରୁଛନ୍ତି। ସୌଭାଗ୍ୟ ଯୋଜନାରେ ଦାରିଦ୍ର୍ୟ ସୀମାରେଖା ଓ ଗରିବ ଲୋକଙ୍କୁ ବିଦ୍ୟୁତ ଯୋଗାଣ ବ୍ୟବସ୍ଥା ଥିବା ବେଳେ ତଅଁଳାସାହି ଗାଁ ଲୋକଙ୍କ ସେହି ସୌଭାଗ୍ୟ ମିଳି ନାହିଁ। ‘ବିକାଶର ଆଲୋକ’କୁ ଅପେକ୍ଷା କରି ଅଭିଶପ୍ତ ଜୀବନ କାଟୁଛନ୍ତି ଏହି ଗାଁବାସୀ।

ସମ୍ବନ୍ଧିତ ଖବର