ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ବି ଦୁର୍ଗମ ଅଞ୍ଚଳରେ ଅପହଞ୍ଚ ସରକାରୀ ଯୋଜନା

ମାଲକାନଗିରି : ସରକାରଙ୍କର ମାଳ ମାଳ ଯୋଜନା। ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଯୋଜନା ହିଁ ଯୋଜନା। କିନ୍ତୁ ଦୁର୍ଗମ ତଥା ପାହାଡ଼ିଆ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କ ନିକଟରେ ସମସ୍ତ ଯୋଜନା ପହଞ୍ଚି ପାରୁନି। ସ୍ବାଧୀନତାର ଦୀର୍ଘ ବର୍ଷ ପରେ ବି ଗାଁକୁ ପକ୍କା ରାସ୍ତା ନିର୍ମାଣ ହୋଇପାରିନି। ସ୍କୁଲ ଓ ଅଙ୍ଗନୱାଡି କେନ୍ଦ୍ର ମଧ୍ୟ ନାହିଁ। ବିଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା ନଥିବାରୁ ଚୁଆ ଓ ଝରଣା ପାଣି ହିଁ ଭରସା। ସ୍ବାସ୍ଥ୍ୟ ଓ ବିଦ୍ୟୁତ ସେବା ଏମାନଙ୍କ ପାଇଁ ସାତ ସପନ। ଦୀର୍ଘ ବର୍ଷ ହେଲା ମୌଳିକ ସୁବିଧାରୁ ବଞ୍ଚିତ ହୋଇ ଏଭଳି ଅଭିଶପ୍ତ ଜୀବନ ବିତାଉଛନ୍ତି ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଗୋବିନ୍ଦପାଲ୍ଲୀ ପଞ୍ଚାୟତ ଦୁଗର୍ମ ଅଞ୍ଚ‌ଳରେ ରହୁଥିବା ଡାବାଯୋଡ଼ି ଗ୍ରାମବାସୀ।

ଗୋବିନ୍ଦପାଲ୍ଲୀ ପଞ୍ଚାୟତ ସଦର ଠାରୁ ପ୍ରାୟ ୧୫କିଲୋମିଟର ଦୂରରେ ରହିଛି ଡାବାଯୋଡ଼ି ଗ୍ରାମ। ପାହାଡ଼ ଘେରାରେ ଥିବା ଏହି ଗ୍ରାମରେ ଦୀର୍ଘ ବର୍ଷ ହେଲା ଗ୍ରାମବାସୀ ରହି ଆସୁଛନ୍ତି। କିନ୍ତୁ ଆଜି ପର୍ଯ୍ୟନ୍ତ ଗାଁକୁ ପକ୍କା ରାସ୍ତା ନିର୍ମାଣ ହୋଇନଥିବାରୁ ଗ୍ରାମବାସୀ ଆବଡା ଖାବଡା ରାସ୍ତା ଦେଇ ଯାତାୟାତ କରୁଛନ୍ତି। ଗାଁକୁ ଦୁଇ ଓ ଚାରି ଚକିଆ ଯାନ ଯିବା କାଠିକର ପାଠ ହୋଇଥିବାରୁ ରୋଗୀ ଓ ଗର୍ଭବତୀ ମହିଳାଙ୍କୁ କାଉଡ଼ି ନଚେତ୍‌ ଭାରରେ ବୋହି ସ୍ବାସ୍ଥ୍ୟକେନ୍ଦ୍ର ନିଆଯାଉଛି। ବିଶେଷ କରି ବର୍ଷା ଦିନେ ରାସ୍ତା କାଦୁଅମୟ ହେଉଥିବାରୁ ଯାତାୟାତ ସମୟରେ ଗ୍ରାମବାସୀ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଗାଁକୁ ପକ୍କା ରାସ୍ତା ନଥିବାରୁ ଏହି ଆବୁଡା ଖାବୁଡା ରାସ୍ତାରେ ଚାଲି ଚାଲି ପଞ୍ଚାୟତ କାର୍ଯ୍ୟାଳୟରେ ପହଞ୍ଚି ପିଡିଏସ ସମାଗ୍ରୀ ଓ ଭତ୍ତା ଆଣୁଥିବା ଗ୍ରାମବାସୀ କ୍ଷୋଭର ସହ ପ୍ରକାଶ କରିଛନ୍ତି। ଗାଁରେ ସ୍କୁଲ ଓ ଅଙ୍ଗନୱାଡି କେନ୍ଦ୍ର ନିର୍ମାଣ ହୋଇନଥିବାରୁ ବିଭିନ୍ନ ସମସ୍ୟା ଦେଖାଦେଉଛି। ଗ୍ରାମର କୋମଳମତି ଶିଶୁ ତଥା ଗର୍ଭବତୀ ଓ ପ୍ରସୂତି ମହିଳା ମାନେ ପୁଷ୍ଟିକର ଖାଦ୍ୟ ପାଇପାରୁନାହାନ୍ତି। ସ୍କୁଲ ୪କିଲୋମିଟର ଦୂରରେ ଥିବାରୁ ଗ୍ରାମର ପିଲା ମାନେ ପାଠ ପଢ଼ିବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି।

ଏହି ଗ୍ରାମର କିଛି ପିଲା ବାହାରେ ଯାଇ ପାଠ ପଢିବାକୁ ଇଚ୍ଛା କଲେ ସେମାନଙ୍କ ପାଖରେ ଜମି ପଟ୍ଟା ନଥିବାରୁ ତାଙ୍କୁ ସ୍କୁଲରେ ନାମ ଲେଖାଇବା କଷ୍ଟକର ହେଉଥିବା ଗ୍ରାମବାସୀ କହିଛନ୍ତି। ତେଣୁ ଏଠାକାର ପିଲାମାନେ ଅଶିକ୍ଷିତ ହେବା ସହ ଗାଈ ଚରାଇବା ଏବଂ ପରିବାରକୁ ବିଭିନ୍ନ କାର୍ଯ୍ୟରେ ସହଯୋଗ କରିବାରେ ଦିନ କାଟୁଛନ୍ତି। ସବୁଠୁ ପରିତାପର ବିଷୟ ଏହିକି ଯେ, ଅଦ୍ୟାବଧି ପ୍ରଶାସନ ପକ୍ଷରୁ ଗାଁରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରାଯାଇନି। ତେଣୁ ଗ୍ରାମବାସୀ ଦୀର୍ଘ ବର୍ଷ ହେଲା ଚୁଆ ଓ ଝରଣା ପାଣି ଉପରେ ନିର୍ଭର କରି ଆସୁଛନ୍ତି। ପାଣି ଟିକିଏ ପାଇଁ ଗ୍ରାମବାସୀଙ୍କୁ ଦୀର୍ଘ ୪କିଲୋମିଟର ରାସ୍ତା ଯିବାକୁ ପଡୁଛି। ଗ୍ରାମବାସୀଙ୍କ ପାଇଁ ସ୍ବାସ୍ଥ୍ୟ ଓ ବିଦ୍ୟୁତ ସେବା ସାତ ସପନ ପାଲଟିଛି। ଲୋକେ ପାରମ୍ପରିକ ଚିକିତ୍ସା ପଦ୍ଧତିରେ ବିଶ୍ବାସ କରନ୍ତି। ଅତି ଗୁରୁତର ହେଲେ ହିଁ ରୋଗୀଙ୍କୁ ଭାରରେ ବୋହି ଡାକ୍ତରଖାନା ‌ନେଇଥାଉ ବୋଲି ଗ୍ରାମବାସୀ କହିଛନ୍ତି। ଦୁର୍ଗମ ଅଞ୍ଚଳରେ ଥିବା ତଥା ସଚେତନତା ଅଭାବରୁ ଗ୍ରାମବାସୀ କେବଳ ଇନ୍ଦିରା ଆବାସ, ଭତ୍ତା ଓ ପିଡିଏସ ସାମଗ୍ରୀ ଭଳି ଯୋଜନା ସଂପର୍କରେ ହିଁ ଏହି ଗ୍ରାମବାସୀ ଜାଣନ୍ତି। ଅନ୍ୟ ଯୋଜନା ସଂପର୍କରେ ଏମାନେ ଅନଭିଜ୍ଞ। ଦୀର୍ଘ ବର୍ଷ ହେଲା ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ଡାବାଯୋଡି ଗ୍ରାମବାସୀ ମୌଳିକ ସୁବିଧାରୁ ବଞ୍ଚିତ ରହିଥିଲେ ହେଁ ପ୍ରଶାସନର ଦୃଷ୍ଟି ନପଡିବା ପରିତାପର ବିଷୟ ହୋଇ ପଡିଛି।

ଏହି ଗ୍ରାମର ସମସ୍ୟା ସଂପର୍କରେ ଅବଗତ ହେବା ପରେ ତୁରନ୍ତ ଏହି ଅଞ୍ଚଳରେ ମନରେଗା ମାଧ୍ୟମରେ ରାସ୍ତା କାମ ଆରମ୍ଭ କରାଯିବ ବୋଲି ଖଇରପୁଟ ବିଡିଓ କହିଛନ୍ତି। ସେହିପରି ପିଲାମାନେ କିଭଳି ଶିକ୍ଷାରୁ ବଞ୍ଚିନ ନହେବେ ସେନେଇ ଶିକ୍ଷା ଅଧିକାରୀଙ୍କ ସହ ଆଲୋଚନା କରି ସମାଧାନ କରିବୁ ବୋଲି କହିଛନ୍ତି। ଦୁର୍ଗମ ଅଞ୍ଚଳର ବିକାଶ ପାଇଁ ସରକାର ମାଳ ମାଳ ଯୋଜନା କରୁଥିଲେ ହେଁ କିଛି ଦୁର୍ଗମ ଗ୍ରାମରେ ଯୋଜନା ନପହଞ୍ଚିବା ଦୁର୍ଭାଗ୍ୟଜନକ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି। ତେବେ ପ୍ରଶାସନ କେବେ ଏହି ଅଭିଶପ୍ତ ଡାବାଯୋଡି ଗ୍ରାମବାସୀଙ୍କୁ ମୌଳିକ ସୁବିଧା ଯୋଗାଇ ଦେଉଛି ତାହା ଦେଖିବାକୁ ବାକି ରହିଲା।

ସମ୍ବନ୍ଧିତ ଖବର