ଅବହେଳିତ ଅବସ୍ଥାରେ ନାଲକୋ ଖଣି ଅଞ୍ଚଳର ୩ଟି ଗାଁ : ମୌଳିକ ସୁବିଧା ସୁଯୋଗରୁ ବଞ୍ଚିତ ହୋଇ ଅଭିଶପ୍ତ ଜୀବନ ବିତାଉଛନ୍ତି ଏଠାକାର ବାସିନ୍ଦା

ନାରାୟଣପାଟଣା : ବ୍ଲକ ମହକୁମାରୁ ଦୂରତା ୪୬କିଲୋମିଟର। ପଞ୍ଚାୟତ ଠାରୁ ପ୍ରାୟ ୧୮କିଲୋମିଟର ଦୂର। ନବରତ୍ନ କଂପାନି ନାଲକୋର ଖଣି ଅଞ୍ଚଳରେ ରହିଛି। କିନ୍ତୁ ବିକାଶର ଆଲୁଅରୁ ବଞ୍ଚିତ ହୋଇ ରହିଛନ୍ତି ପ୍ରାୟ ୧୨୦ପରିବାର। ସାମାନ୍ୟ ସ୍ବାସ୍ଥ୍ୟ ସେବା ବି ସେମାନଙ୍କ ନିକଟରେ ପହଞ୍ଚି ପାରୁନାହିଁ। ତେଣୁ ରାସ୍ତା ଅବସ୍ଥା କେମିତି ରହିଥିବ ଅନୁମାନ କରାଯାଇ ପାରିବ। ଦୂଷିତ ପାଣି ଏବଂ ଦୂଷିତ ପରିବେଶ ସେମାନଙ୍କ ପାଇଁ ପାଲଟି ଯାଇଛି ଅଭିଶାପ। ଦୀର୍ଘ ଦିନ ଧରି ଯନ୍ତ୍ରଣାପୂର୍ଣ୍ଣ ଜୀବନ ବିତାଇବା ପରେ ପ୍ରଶାସନ ଉପରେ ଆସ୍ଥା ତୁଟାଇ ସାରିଛନ୍ତି। ତେଣୁ ଭିଟାମାଟି ଛାଡ଼ି ଅନ୍ୟତ୍ର ଯିବାକୁ ନିଷ୍ପତ୍ତି ନେଇଛନ୍ତି ମୁଣ୍ତଗଡତି, ଉପରଗଡତି, ତଳଗଡତି ଗ୍ରାମବାସୀ।

ନାରାୟଣପାଟଣା ବ୍ଲକ ବିଜାଘାଟି ପଞ୍ଚାୟତ ଅନ୍ତର୍ଗତ ଉପରୋକ୍ତ ୩ଟି ଗାଁରେ ଜନସଂଖ୍ୟା ପ୍ରାୟ ୭ଶହ ହେବ। ନାଲୋକୋ ଖଣି ଅଂଚଳର ତଳିଆ ଅଂଚଳରେ ଏମାନେ ବସବାସ କରୁଛନ୍ତି। ନା’ କଂପାନି ପକ୍ଷରୁ ଏମାନଙ୍କୁ କୌଣସି ସୁବିଧା ମିଳୁଛି ନା’ ପ୍ରଶାସନ କିଛି କରୁଛି। ଅବହେଳିତ ଅବସ୍ଥାରେ ରହିଛନ୍ତି ଏଠାକାର ବାସିନ୍ଦା। ଏହି ତଳିଆ ଅଂଚଳରେ ବସବାସ କରୁଥିବା ୩ଖଣ୍ତ ଗ୍ରାମକୁ ଏଯାଏଁ ପକ୍କା ରାସ୍ତା ଖଣ୍ଡିଏ ହୋଇନାହିଁ। ନାରାୟଣପାଟଣା ବ୍ଲକ୍ ଅଧୀନରେ ରହିଥିଲେ ମଧ୍ୟ ଲୋକଙ୍କୁ ଦାମନଯୋଡି ଅଞ୍ଚଳର ଭେଜାପୁଟ ନଚେତ୍ ମାଥାଲପୁଟ୍ ବଜାରରେ ନିର୍ଭର କରିବାକୁ ପଡ଼ୁଛି। ଗାଁକୁ ରାସ୍ତା ନଥିବାରୁ ବର୍ଷ ବର୍ଷ ଧରି କୌଣସି ସରକାରୀ ଯୋଜନା ସଠିକ୍ ରୂପେ ପହଂଚି ପାରୁନି। ଏପରିକି ଗର୍ଭବତୀ ହେବା ବି ଏକ ପ୍ରକାର ଅଭିଶାପ ବୋଲି ଏଠକାର ଲୋକ କୁହନ୍ତି। କାରଣ ମେଡିକାଲ ନେବାକୁ ଅକଥନୀୟ ଦୁର୍ଦଶାର ସମ୍ମୁଖୀନ ହେବାକୁ ପଡ଼େ। ପ୍ରସବ ବେଦନା ଆରମ୍ଭ ହେଲେ ପ୍ରାୟ ୧୦କିଲୋମିଟର ଭାରରେ ବୁହା ହୁଅନ୍ତି ଗର୍ଭବତୀ। ନାଲକୋ ସାଉଥ କନଭେୟର ବେଲ୍ଟ ପର୍ଯ୍ୟନ୍ତ ଅଣାଯାଉଛି। ସେଠାରୁ କୌଣସି ଆମ୍ବୁଲାନ୍ସ କିମ୍ବା ଗାଡ଼ି ଯୋଗେ ମାଥାଲପୁଟ ମେଡିକାଲକୁ ସ୍ଥାନାନ୍ତର କରାଯାଉଛି। ରୋଗୀଙ୍କୁ ବି ଏମିତି ମେଡିକାଲ ପର୍ଯ୍ୟନ୍ତ ନିଆଯାଉଥିବା ଜଣାପଡ଼ିଛି। ଶିକ୍ଷାଦାନ ପାଇଁ ଗାଁରେ ବିଦ୍ୟାଳୟ ରହିଛି ସତ। କିନ୍ତୁ ନାନା ସମସ୍ୟା ଦେଖି ଗତି କରୁଥିବା ଜଣାପଡ଼ିଛି। ରାସ୍ତା ନଥିବା ଏହି ଗାଁ ଗୁଡ଼ିକୁ କୌଣସି ଗାଡ଼ି ଯା‌ଇପାରେ ନାହିଁ। ତେଣୁ ଘର ନିର୍ମାଣ ହୋଇପାରି ନାହିଁ। ଯାହାଫଳରେ ପିଲାଙ୍କୁ ଅନ୍ୟର ବାରଣ୍ଡାରେ ବସି ପାଠ ପଢ଼ିବାକୁ ପଡ଼ୁଛି। ତାହା ମଧ୍ୟ ୫ମ ଶ୍ରେଣୀ ପର୍ଯ୍ୟନ୍ତ। ଏହାପରେ ଗାଁ ଛାଡ଼ି ପିଲାଙ୍କୁ ବାହାରକୁ ଯିବାକୁ ପଡ଼ୁଛି। ଯେଉଁ ବିଦ୍ୟାଳୟରେ ହଷ୍ଟେଲ ବ୍ୟବସ୍ଥା ରହିଛି ସେଠାକୁ ହିଁ ଯାଉଥିବା ଗ୍ରାମବାସୀ କହିଛନ୍ତି।

ବିଶୁଦ୍ଧ ପାଣିର ସ୍ବାଦ କ’ଣ ଗ୍ରାମବାସୀ ଆଦୌ ଜାଣି ନାହାନ୍ତି। ବର୍ଷ ସାରା ଚୁଆ ପାଣି ଉପରେ ନିର୍ଭରଶୀଳ। ବକ୍ସାଇଟ୍ ପାହାଡରୁ ଝରୁଥିବା ମଇଳା ପାଣିକୁ ଚୁଆ ଜରିଆରେ ସଂଗ୍ରହ କରୁଥିବା ଗ୍ରାମର ନାଏବ ସରପଂଚ କେଶବ ଜାନୀ କହିଛନ୍ତି। ୨୦୦୬ ମସିହାରେ ଏହି ବିଷାକ୍ତ ଝରଣା ପାଣି ପିଇ ୧୪ଜଣ ଗ୍ରାମବାସୀଙ୍କ ମୃତ୍ୟୁ ହୋଇଥିଲା। ସେତେବେଳେ ଏହି ଘଟଣା ଚର୍ଚାର ବିଷୟ ପାଲିଟିଥିଲା। ସମୟକ୍ରମେ ଏହି ଘଟଣାକୁ ସରକାର ଓ ପ୍ରଶାସନ ଭୁଲିଗଲେ। ଲୋକଙ୍କୁ ସେମିତି ଦୁର୍ଦଶା ମଧ୍ୟରେ ଛାଡ଼ି ଦିଆଯାଇଛି। ଅନ୍ୟପଟେ କିଛି ମାସ ହେଲା ନାଲକୋର ନୂତନ ସାଉଥ ବ୍ଲକ୍ ଖଣି ଖନନ ଯୋଗୁ ଧୂଳି ଉଡ଼ି ଗାଁରେ ପଶୁଛି। ନିଶ୍ବାସ ନେବାକୁ ବି କଷ୍ଟକର ହେଉଛି। ଜମି ଗୁଡ଼ିକ ଉର୍ବରତା ହରାଇଲେଣି। ଏକପ୍ରକାର ଅଣନିଶ୍ବାସୀ ହୋଇ ରହିଥିବା ଡୁମୁରି ସାଉନ୍ତା, ଲିଙ୍ଗେୟା ଜାନି, ବାଙ୍ଗାରି ଜାନି, ବିଜୟ ସାଉନ୍ତା, ରାଧା ଜାନୀ, ବାଙ୍ଗାରି ଜାନି, ଲିଉ ଜାନି, ଭତ୍ରା ସାଉନ୍ତା, ରଂଜିତ ଜାନି ପ୍ରମୁଖ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ୧୦ରୁ ଅଧିକ ଶିକ୍ଷିତ ଯୁବକ ଖଣ୍ତିଏ ଚାକିରି ପାଇଁ ବାରଦାଣ୍ତ ହେଉଛନ୍ତି। ଆଶା ରଖିଛନ୍ତି ଖଣି ଅଂଚଳ ହୋଇଥିବରୁ ସେଠାରେ ଖଣ୍ତିଏ ଚାକିରି ସେମାନଙ୍କୁ ମିଳିଯିବ। ସେହିପରି ଟଙ୍କିକିଆ ଚାଉଳ, କିରୋସିନି, ମାସିକ ଭତ୍ତା ପାଇଁ ୧୮କିଲୋମିଟର ଦୂର ପଂଚାୟତ କାର୍ଯ୍ୟାଳୟକୁ ଯିବା ପାଇଁ ପଡ଼ୁଛି। ଏଥିଯୋଗୁଁ ଅଯଥା ଖର୍ଚ୍ଚାନ୍ତ ଏବଂ ସମୟର ଅପଚୟ ହେଉଛି।

ଉପରୋକ୍ତ ତିନିଖଣ୍ତ ଗ୍ରାମର ସମସ୍ୟା ସମାଧାନ କରିବା ପାଇଁ କଳାହାଣ୍ତି ଜିଲ୍ଲାର ଜଣେ ସାମଜିକ କର୍ମୀ ଜାତୀୟ ମନବାଧିକାର କମିସନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଇତି ମଧ୍ୟରେ ବର୍ଷେ ବିତିଯାଇଥିଲେ ସୁଦ୍ଧା କୌଣସି ସମସ୍ୟାର ସମାଧାନ କରାଯାଇ ନଥିବା ଡମ୍ବରୁ ସାଉନ୍ତା, ରୁପୁଣା ସାଉନ୍ତା, ଟେଟୁ ସାଉନ୍ତା, ଅମିତ୍ ସାଉନ୍ତା, ଲିଙ୍ଗୁ ସାଉନ୍ତା, ସିଧୁ ଜାନୀ, କେଶବ ଜାନୀ, କେଶରୀ ଜାନୀ, ବିକୁଣୁ ସାଉନ୍ତା, ଉଦୁନୁ ସାଉନ୍ତା, ବାଚୁ ଶିରିକା, କୃଷ୍ଣ ଜାନି, ବୋଦ୍‌ ସାଉନ୍ତା, ତିଲୁସୁ ସାଉନ୍ତା, ସମ୍ବୁରୁ ସାଉନ୍ତା, ଉତ୍ତରା ସାଉନ୍ତା, ଚନ୍ଦ୍ର ସାଉନ୍ତା ପ୍ରମୁଖ କହିଛନ୍ତି। ପ୍ରଶାସନ ଏଥିପ୍ରତି ଦୃଷ୍ଟିଦେଇ ତୁରନ୍ତ ଲୋକଙ୍କୁ ମୌଳିକ ସୁବିଧା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି। ନଚେତ ଆଗାମୀ ଦିନରେ ଭିଟାମାଟି ଛାଡି ଚାଲିଯିବୁ ବୋଲି ଚେତାବନୀ ଦେଇଛନ୍ତି। ଏମିତିରେ ଦେଖିବାକୁ ବାକି ରହିଲା ନାଲକୋ କର୍ତୃପକ୍ଷ, ରାଜନେତା ଏବଂ ଜିଲ୍ଲା ପ୍ରଶାସନ କେବେ ଏହି ଗାଁରେ ପହଞ୍ଚି ଲୋକଙ୍କୁ ମୌଳିକ ସୁବିଧା ଯୋଗାଇ ଦେବେ।

ସମ୍ବନ୍ଧିତ ଖବର