ଭୁବନେଶ୍ୱର: ଓଡ଼ିଶାରେ ପ୍ରାଥମିକ ଶିକ୍ଷାର ସୁଦୃଢ଼ୀକରଣ ପାଇଁ ସରକାରୀ ସ୍କୁଲଗୁଡ଼ିକୁ ବଞ୍ଚାଇ ରଖିବା ଅବଶ୍ୟମ୍ଭାବୀ। ଆଲାହାବାଦ୍ ହାଇକୋର୍ଟଙ୍କ ଐତିହାସିକ ଆଦେଶନାମା ଏହାର ଦିଗବାରେଣୀ ଭାବେ ବିବେଚନା କରାଯାଉଛି। ହାଇକୋର୍ଟ ଆଦେଶ ମୁତାବକ ସରକାରୀ ସ୍କୁଲରେ ରାଜନେତା, ଆଇଏଏସ୍ ତଥା ଅଫିସର(ବାବୁ)ଙ୍କ ପିଲାଙ୍କୁ ପଢ଼ିବା ପାଇଁ ପଠାଯାଉ। ଅବଶ୍ୟ ଏ ନେଇ ଆଇନଗତ ବାଧ୍ୟବାଧକତା ନାହିଁ। କିନ୍ତୁ ଏଭଳି ପଦକ୍ଷେପ ନେଲେ, ରାଜ୍ୟର କ୍ରମକ୍ଷୟିଷ୍ଣୁ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ମୁଣ୍ଡ ଟେକି ଉଠିପାରିବ। ପ୍ରାଥମିକ ଶିକ୍ଷାର ବୋଝ ଗରିବ ଲୋକଙ୍କୁ ବୋହିବାକୁ ପଡ଼ିବନାହିଁ। ସରକାରୀ ସ୍କୁଲ ପିଣ୍ଡାକୁ ସବୁ ପିଲା ଉଠି ପାଠ ପଢ଼ିବେ। ପ୍ରାଥମିକ ଶିକ୍ଷାକୁ ସାର୍ବଜନୀନ କରି ସବୁ ପିଲାଙ୍କୁ ଶିକ୍ଷାଦାନ କରିବା ହେଉଛି ସରକାରଙ୍କ ମୌଳିକ ତଥା ସାମ୍ବିଧାନିକ ଦାୟିତ୍ୱ। ଏଥିରେ ରାଜ୍ୟ ସରକାର ଚରମ ବିଫଳ। ଏହାର ପ୍ରତିଫଳନ--ପ୍ରତିବର୍ଷ ସରକାରୀ ସ୍କୁଲଗୁଡ଼ିକରୁ ପିଲା ସଂଖ୍ୟା କମୁଛି। ସେ ପଟେ ବଢ଼ୁଛି ଘରୋଇ ସ୍କୁଲ୍ ଏବଂ ସେଥିରେ ପଢ଼ୁଥିବା ପିଲାଙ୍କ ସଂଖ୍ୟା। ଏହା ସତ୍ୟ ଯେ ଇଂରାଜୀ ଶିକ୍ଷା ପ୍ରତି ଅହେତୁକ ଆକର୍ଷଣ, ସରକାରୀ ସ୍କୁଲଗୁଡ଼ିକରେ ନିମ୍ନତମ ଭିିତ୍ତିଭୂମିର ଅଭାବ, ଶିକ୍ଷକ ମରୁଡ଼ି, ଖସଡ଼ାହୀନ ଶିକ୍ଷାଦାନ, ବିଶୃଙ୍ଖଳା ଆଦି ସମସ୍ୟା ଘେରି ରହିଛି। ଫଳରେ ଘରୋଇ ସ୍କୁଲଗୁଡ଼ିକୁ ଅଧିକାଂଶ ଅଭିଭାବକ ଧାଇଁବାକୁ ବାଧ୍ୟ ହେଉଛନ୍ତି। ଏଭଳି ପରିସ୍ଥିତି ଶିକ୍ଷାର ଘରୋଇକରଣ ପାଇଁ ବାଟ କଢ଼େଇ ନେଉଛି।
ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ତଥ୍ୟ ବୟାନ କରୁଛି, ୨୦୦୯-୧୦ରେ ପ୍ରଥମ ଶ୍ରେଣୀଠାରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୬୬ ଲକ୍ଷ ୨୧ ହଜାର ୭୪୧ଜଣ ପିଲା ପଢ଼ୁଥିଲେ। ସେଥିମଧ୍ୟରୁ ସରକାରୀ ସ୍କୁଲରେ ଅଧ୍ୟୟନ କରୁଥିବା ପିଲାଙ୍କ ସଂଖ୍ୟା ୬୦ ଲକ୍ଷ ୭୨ ହଜାର ୫୮୦ ଏବଂ ଘରୋଇ ସ୍କୁଲରେ ୫ ଲକ୍ଷ ୪୯ହଜାର ୧୬୧ ଥିଲା। ଘରୋଇ ସ୍କୁଲର ପିଲାଙ୍କ ପ୍ରତିଶତ ଥିଲା ୮.୨୯। ୨୦୧୬-୧୭ରେ ମୋଟ ପିଲାଙ୍କ ସଂଖ୍ୟା ୬୧ ଲକ୍ଷ ୯୮ ହଜାର ୨୫କୁ କମିଛି। ସରକାରୀ ସ୍କୁଲରେ ପଢ଼ୁଥିବା ପିଲାଙ୍କ ସଂଖ୍ୟା ପହଞ୍ଚିଛି ୫୧ ଲକ୍ଷ ୫୮ ହଜାର ୯୦୫ରେ। ଘରୋଇ ସ୍କୁଲର ପିଲାଙ୍କ ସଂଖ୍ୟା ୫.୪୯ ଲକ୍ଷରୁ ପ୍ରାୟ ଦୁଇଗୁଣ ବୃଦ୍ଧି ପାଇ ୧୦ ଲକ୍ଷ ୩୯ ହଜାର ୧୨୦ରେ ପହଞ୍ଚିଛି। ବର୍ତମାନ ସରକାରୀ ସ୍କୁଲ ତୁଳନାରେ ଘରୋଇ ସ୍କୁଲ ପିଲାଙ୍କ ସଂଖ୍ୟାରେ ୧୬.୭୭ ପ୍ରତିଶତ ବୃଦ୍ଧି ପାଇଛି। କିନ୍ତୁ ଗତ ୮ବର୍ଷରେ ଘରୋଇ ସ୍କୁଲ ପିଲାଙ୍କ ସଂଖ୍ୟାରେ ୧୦୨.୨୯ ପ୍ରତିଶତ ବୃଦ୍ଧି ଘଟିଛି। ଏଭଳି ସରକାରୀ ତଥ୍ୟ ସରକାରୀ ସ୍କୁଲଗୁଡ଼ିକ ପାଇଁ ବିପଦ ଘନେଇ ଆସୁଥିବାର ସୂଚନା ଦେଉଛି।
୨୦୧୦-୧୧ରୁ ୨୦୧୬-୧୭ ବର୍ଷ ମଧ୍ୟରେ ପିଲା ସଂଖ୍ୟା ନେଇ ସରକାରୀ ଓ ଘରୋଇ ସ୍କୁଲ ମଧ୍ୟରେ ଏକ ତୁଳନାତ୍ମକ ପରିସଂଖ୍ୟାନ ନଜରକୁ ଆସିଛି। ଏହି ତଥ୍ୟ ବୟାନ କରୁଛି, ୨୦୧୬-୧୭ ବେଳକୁ ସରକାରୀ, ଅନୁଦାନପ୍ରାପ୍ତ ଏବଂ ଘରୋଇ, କେନ୍ଦ୍ରୀୟ ଆଦି ସମସ୍ତ ସ୍କୁଲରେ ପଢ଼ୁଥିବା ପିଲାଙ୍କ ସଂଖ୍ୟା ୫୯ ଲକ୍ଷ ୯୮ ହଜାର ୮୨ ରହିଛି। ଏଥିମଧ୍ୟରୁ ସରକାରୀ ସ୍କୁଲରେ ପିଲାଙ୍କ ସଂଖ୍ୟା ୫୦ ଲକ୍ଷ ୨୫ ହଜାର ୫୬୯ ଥିବା ବେଳେ କେନ୍ଦ୍ରୀୟ ସ୍କୁଲ ସମେତ ଘରୋଇ ପିଲାଙ୍କ ସଂଖ୍ୟା ୯ ଲକ୍ଷ ୭୨ ହଜାର ୫୧୩କୁ ବୃଦ୍ଧି ପାଇଛି। ଅନୁଦାନପ୍ରାପ୍ତ ସମେତ ସରକାରୀ ସ୍କୁଲରେ ପିଲାଙ୍କ ସଂଖ୍ୟା ୭୯.୫୦ ପ୍ରତିଶତକୁ ହ୍ରାସ ପାଇଥିବା ବେଳେ ଘରୋଇ ସ୍କୁଲରେ ୧୬୨.୨୨ ପ୍ରତିଶତ ଏବଂ କେନ୍ଦ୍ରୀୟ ସ୍କୁଲରେ ୩୯୬.୪୬ ପ୍ରତିଶତ ବୃଦ୍ଧି ପାଇଛି। ଏହି ପରିସଂଖ୍ୟାନଗତ ତୁଳନାରୁ ଗୋଟିଏ କଥା ସ୍ପଷ୍ଟ ଯେ ପ୍ରତି ବର୍ଷ ସରକାରୀ ସ୍କୁଲରୁ ପିଲାଙ୍କ ସଂଖ୍ୟା ଯେଉଁ ଅନୁପାତରେ କମୁଛି, ତା’ଠାରୁ ଅଧିକ ହାରରେ ବଢ଼ୁଛି ଘରୋଇ ସ୍କୁଲ ପିଲାଙ୍କ ସଂଖ୍ୟା। ମଧ୍ୟାହ୍ନ ଭୋଜନ, ମାଗଣା ୟୁନିଫର୍ମ ଏବଂ ମାଗଣା ପାଠ୍ୟପୁସ୍ତକ ଭଳି ବିଭିନ୍ନ ଯୋଜନାରେ ସରକାର ବିପୁଳ ଅର୍ଥ ବ୍ୟୟ କରୁଛନ୍ତି। ବଜେଟରେ ଶିକ୍ଷା ବାବଦରେ ଅର୍ଥ ବରାଦ ବି ବୃଦ୍ଧି ହୋଇଛି। ଏହା ସତ୍ତ୍ୱେ ସବୁ ପିଲାଙ୍କୁ ସ୍କୁଲକୁ ଆକର୍ଷିତ କରିପାରୁନାହାନ୍ତିି ସରକାର। ଯୋଜନାରେ ତ୍ରୁଟି, ବାରମ୍ବାର ନୀତିନିୟମ ଅଦଳବଦଳ, ସ୍କୁଲ ଭିତ୍ତିଭୂମି, ଶିକ୍ଷକ ଅଭାବ ଆଦି ସାଧାରଣତଃ ଦାୟୀ। ବିଶେଷ କରି ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ଅଧିକାରୀ ଆଇନର କାର୍ଯ୍ୟାନ୍ଵୟନ ସଠିକ୍ ଭାବେ ହୋଇପାରୁନଥିବା ଅନ୍ୟତମ ବଡ଼ କାରଣ। ଏହି ଆଇନ, ୨୦୦୯ର କାର୍ଯ୍ୟକାରିତା ପାଇଁ ସରକାରଙ୍କୁ ପ୍ରତି ପିଲା ପାଇଁ ୨୪.୭୦୧ ଟଙ୍କା ଖର୍ଚ କରିବାକୁ ହେବ। କିନ୍ତୁ ଏ ବାବଦରେ ଖର୍ଚ ହେଉଛି ପ୍ରାୟ ୫୫୯୫ ଟଙ୍କା। ଏହା କେବଳ ପ୍ରାଥମିକ ଶିକ୍ଷା ନିମନ୍ତେ ନୁହେଁ, ଓଡ଼ିଆ ଭାଷାର ବର୍ତମାନ, ଭବିଷ୍ୟତ ପ୍ରତି ଉଦ୍ବେଗଜନକ ପରିସ୍ଥିତି ସୃଷ୍ଟି କରୁଛି।