ସରକାରୀ ଯୋଜନା ଲାଭ ଚାଷୀଙ୍କୁ ମିଳୁଛି କି ନାହିଁ, ଅନୁଧ୍ୟାନ କରିବ କୃଷି ବିଭାଗ, ୩୦ ଜିଲ୍ଲାରେ ଅନୁଧ୍ୟାନ କରିବେ ୧୦ ଅଧିକାରୀ

ଭୁବନେଶ୍ବର : ଖରିଫ ଋତୁ ଆରମ୍ଭ ହେବାକୁ ବସିଲାଣି। ଧାନ ଚାଷ ପାଇଁ ଚାଷୀମାନେ ସେମାନଙ୍କ ଜମି ପ୍ରସ୍ତୁତ କରି ତଳି ପକାଇବା ଆରମ୍ଭ କରିଛନ୍ତି। ଚାଷୀଙ୍କ ପାଇଁ ସରକାର ବହୁ ଯୋଜନା ଦେଇଛନ୍ତି। ଏସବୁ ଯୋଜନା ଚାଷୀଙ୍କ ପାଖରେ ପହଞ୍ଚୁଛି କି ନାହିଁ। ଏହାକୁ ଅନୁଧ୍ୟାନ କରିବାକୁ ସଚିବାଳୟର ଶୀତତାପ ନିୟନ୍ତ୍ରିତ କୋଠରୀରୁ ବାହାରି ୩୦ଟି ଜିଲ୍ଲାରେ କ୍ଷେତ୍ର ପରିଦର୍ଶନ କରିବେ କୃଷି ବିଭାଗର ୧୦ ଜଣ ବରିଷ୍ଠ ଅଧିକାରୀ। ଏହି ଅନୁଧ୍ୟାନକାରୀ ଦଳରେ ଉପସଚିବଙ୍କଠୁ ଆରମ୍ଭ କରି ଯୁଗ୍ମ ସଚିବ, ଅତିରିକ୍ତ ଶାସନ ସଚିବ ଓ ସ୍ବତନ୍ତ୍ର ସଚିବ ପାହ୍ୟାର ବଛାବଛା ଅଧିକାରୀ ସାମିଲ ଅଛନ୍ତି। ଆଜିଠାରୁ ୨୨ ତାରିଖ ପର୍ଯ୍ୟନ୍ତ ଏହି ଅଧିକାରୀମାନେ ସବୁ ଜିଲ୍ଲା ଗସ୍ତ କରି ଚଳିତମାସ ଶେଷସୁଦ୍ଧା କୃଷି ବିଭାଗର ପ୍ରମୁଖ ଶାସନ ସଚିବଙ୍କୁ ରିପୋର୍ଟ ପ୍ରଦାନ କରିବେ।

କୃଷି ଓ କୃଷକ ସଶକ୍ତିକରଣ ବିଭାଗର ନିର୍ଦ୍ଦେଶ ଅନୁଯାୟୀ, ଜଣେ ଅଧିକାରୀ ୩ଟି ଲେଖାଏଁ ଜିଲ୍ଲା ଗସ୍ତ କରିବେ। କାଳିଆ ଯୋଜନାଠୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ପର୍ଯ୍ୟନ୍ତ ଚାଷୀଙ୍କ ପାଇଁ ଉଦ୍ଦିଷ୍ଟ ସବୁ ଯୋଜନାର କାର୍ଯ୍ୟକାରିତା ନେଇ ଯାଞ୍ଚ କରିବେ। ଏଥିପାଇଁ କୃଷି ବିଭାଗ ୧୮ଟି ବିନ୍ଦୁ ଉପରେ ଅନୁଧ୍ୟାନ କରିବାକୁ ନିର୍ଦ୍ଦେଶ ଜାରି କରିଛି। ମୁଖ୍ୟତଃ ଚାଷୀଙ୍କୁ ମିଳୁଥିବା ବିହନର ମାନ, ଫସଲ ପାଇଁ ଉପଯୁକ୍ତ ଜମି ଓ ଅନୁକୂଳ ପାଣିପାଗ ସମେତ ରୋଗପୋକ ଅବସ୍ଥା ନେଇ ତଥ୍ୟ ସଂଗ୍ରହ କରାଯିବ। ସେହିପରି ଜିଲ୍ଲାରେ କାଳିଆ ଯୋଜନାର କାର୍ଯ୍ୟକାରିତା, ଓଡ଼ିଶା ମିଲେଟ ମିସନ ଯୋଜନା, ମହାତ୍ମାଗାନ୍ଧୀ ନରେଗା, ଜାତୀୟ ସ୍ବାସ୍ଥ୍ୟ ମିସନ, ପ୍ରଧାନମନ୍ତ୍ରୀ କୃଷି ବିକାଶ ଯୋଜନା, ପ୍ରଧାନମନ୍ତ୍ରୀ କୃଷି ଜଳସେଚନ ଯୋଜନା, ଆତ୍ମା କାର୍ଯ୍ୟକ୍ରମର କାର୍ଯ୍ୟକାରିତା ନେଇ ବି ଯାଞ୍ଚ କରିବେ। ଚାଷୀମାନଙ୍କ ପାଇଁ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିହନ ଗ୍ରାମ ଯୋଜନା, ଚାଷୀଙ୍କ ପାଇଁ ସାର ଉପଲବ୍ଧି ହେଉଛି କି ନାହିଁ ସେ ନେଇ ବିଭାଗୀୟ ଅଧିକାରୀ ତର୍ଜମା କରିବେ। ଜମିର ଉର୍ବରତା ମାପିବା ପାଇଁ ମୃତ୍ତିକା ସ୍ବାସ୍ଥ୍ୟ କାର୍ଡ଼ ସମେତ ପ୍ରଧାନମନ୍ତ୍ରୀ ଫସଲ ବୀମା ଅନ୍ତର୍ଗତ ଚାଷୀମାନଙ୍କୁ ବୀମା କ୍ଷତିପୂରଣ ମିଳିବାରେ ସୁବିଧା ହେଉଛି କି ନାହିଁ ସେ ନେଇ ମଧ୍ୟ ବିଭାଗୀୟ ଅଧିକାରୀ କ୍ଷେତ୍ର ପରିଦର୍ଶନ କରି ତଥ୍ୟ ସଂଗ୍ରେହ କରିବେ।

କୃଷି ବିଭାଗର ଏହି ଅଧିକାରୀମାନେ ଗୋଟିଏ ଜିଲ୍ଲାରେ ଅନ୍ତତଃ ଗୋଟିଏ ରାତି ରହି ବିସ୍ତୃତ ତଥ୍ୟ ସଂଗ୍ରହ କରିବା ସହ ଜିଲ୍ଲା ସ୍ତରରେ ସଭା ଡାକି ବିଭାଗୀୟ ଅଧିକାରୀ ଓ ଜିଲ୍ଲା ପ୍ରଶାସନଠାରୁ ବାସ୍ତବ ସ୍ଥିତିର ସମୀକ୍ଷା କରିବାକୁ ବିଭାଗ ନିର୍ଦ୍ଦେଶ ଦେଇଛି।

ସମ୍ବନ୍ଧିତ ଖବର