୧୦ ମୁଣ୍ଡ ଗଲା ପରେ ଚେତିଲେ : ବିପଜ୍ଜନକ ଅବସ୍ଥାରେ ଝୁଲିଥିବା ତାର ସଂପର୍କରେ ସାରା ରାଜ୍ୟରୁ ରିପୋର୍ଟ ତଲବ

ଶକ୍ତିମନ୍ତ୍ରୀଙ୍କ ତନାଘନା, ୨ ବିଭାଗର ୪ ଯନ୍ତ୍ରୀ ନିଲମ୍ବିତ
ଗ୍ରାମ୍ୟ ଉନ୍ନୟନ ବିଭାଗକୁ ଦୋଷ ‌ଦେଲା ସାଉଥ୍‌କୋ
ରାସ୍ତା କାମବେଳେ ଶକ୍ତି ବିଭାଗର ଅନୁମତି ଲୋଡ଼ା

ଭୁବନେଶ୍ବର : ଗଞ୍ଜାମ ଜିଲ୍ଲାର ରଙ୍ଗେଇଲୁଣ୍ଡା ବ୍ଲକ୍‌ ମେଣ୍ଢାରାଜପୁର ଡଙ୍କଲପାଡୁ ଗ୍ରାମ୍ୟ ରାସ୍ତାରେ ୧୧କେଭି ବିଦ୍ୟୁତ ତାର ଲାଗି ୧୦ ଜଣଙ୍କ ପ୍ରାଣହାନି ଘଟଣାକୁ ନେଇ ସମଗ୍ର ରାଜ୍ୟରେ କମ୍ପନ ସୃଷ୍ଟି ହୋଇଛି। ରାଜ୍ୟ ସରକାରଙ୍କ ଅବହେଳାକୁ ନେଇ ବିରୋଧୀ ବିଜେପି ଓ କଂଗ୍ରେସ ଆଜି ଘେରିଛନ୍ତି। ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି କରିଛନ୍ତି। ଏପରିକି ଏହି ପ୍ରସଙ୍ଗରେ ସରକାରଙ୍କୁ ବିଧାନସଭାରେ ଘେରିବା ଲାଗି ବିରୋଧୀ ଦଳ ସଜବାଜ ଆରମ୍ଭ କରିଛନ୍ତି।

ଅନ୍ୟପକ୍ଷରେ ଏହି ଦୁର୍ଘଟଣା ପରେ ସରକାରଙ୍କ ନିଦ ଭାଙ୍ଗିଛି। ଆଜି ଲୋକସେବା ଭବନରେ ମନ୍ତ୍ରୀ ଶ୍ରୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା। ଏହି ବୈଠକରେ ୪ଜଣଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଷ୍ପତ୍ତି ହୋଇଛି। ସାଉଥ୍‌କୋ ଯନ୍ତ୍ରୀ ଦେବାଶିଷ ନାୟକ, ଉପଖଣ୍ଡସ୍ତରୀୟ ଅଧିକାରୀ ବିଶ୍ବରଂଜନ ମହାପାତ୍ର ନିଲମ୍ବିତ ହୋଇଛନ୍ତି। ସେହିଭଳି ଗ୍ରାମ୍ୟ ଉନ୍ନୟନ ବିଭାଗର କନିଷ୍ଠ ଯନ୍ତ୍ରୀ ଓ ଉପଖଣ୍ଡସ୍ତରୀୟ ଅଧିକାରୀଙ୍କୁ ନିଲମ୍ବନ ନିର୍ଦେଶ ଦିଆଯାଇଥିବା ମନ୍ତ୍ରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ଆଜି ବୈଠକରେ ସ୍ଥିର ହୋଇଛି ଯେ ପୂର୍ତ, ଜାତୀୟ ରାଜପଥ, ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ରାସ୍ତାର ମରାମତି କିମ୍ବା ପ୍ରଶସ୍ତୀକରଣ କଲାବେଳେ ଶକ୍ତି ବିଭାଗର ଅନୁମତି ନେବାକୁ ବାଧ୍ୟ। ଏହା ବିନା ସେମାନେ ସଂପୃକ୍ତ ପ୍ରକଳ୍ପ କାର୍ଯ୍ୟ ତ୍ବରାନ୍ବିତ କରିପାରିବେ ନାହିଁ। ବିଦ୍ୟୁତ ବିଭାଗର ସମସ୍ତ କନିଷ୍ଠ ଯନ୍ତ୍ରୀ ଓ ଉପଖଣ୍ଡସ୍ତରୀୟ ପଦାଧିକାରୀମାନେ ଆସନ୍ତା ଦୁଇ ଦିନ ମଧ୍ୟରେ ବିପଜ୍ଜନକ ଭାବେ ଥିବା ୧୧କେଭି ଲାଇନ୍ ଓ ରାସ୍ତା ଅତିକ୍ରମ କରୁଥିବା ବିଦ୍ୟୁତ ତାର ବିଷୟରେ ଅନୁଧ୍ୟାନ କରି ରିପୋର୍ଟ ଦେବେ। ଯୁଦ୍ଧକାଳୀନ ଭିତ୍ତିରେ ବିଭାଗ ସେସବୁର ମରାମତି ଓ ରକ୍ଷଣାବେକ୍ଷଣ କରିବ। କୌଣସି ପରିସ୍ଥିତିରେ ଯଦି ଦୁର୍ଘଟଣା ଘଟେ, ତେବେ ତୁରନ୍ତ ଫିଡରରୁ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରିବା ସକାଶେ ବୈଷୟିକ ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରିବାକୁ ମନ୍ତ୍ରୀ ଶ୍ରୀ ନିର୍ଦେଶ ଦେଇଥିଲେ।

ଅନ୍ୟପକ୍ଷରେ ଗଞ୍ଜାମ ବସ୍‌ ଦୁର୍ଘଟଣା ନେଇ ଶକ୍ତି ବିଭାଗକୁ ରିପୋର୍ଟ ଦେଇଛି ସାଉଥ୍‌କୋ। ତଦନ୍ତ ରିପୋର୍ଟ ଦାଖଲ ପରେ ଦୁର୍ଘଟଣା ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ଦାୟୀ କରିଛି ସାଉଥ୍‌କୋ। ୨୦୧୮ରେ ରାସ୍ତା କାମ ପାଇଁ ଗ୍ରାମ ଉନ୍ନୟନ ବିଭାଗ ୩ରୁ ୪ ଫୁଟ ଉଚ୍ଚ କରିଥିଲା। ଫଳରେ ଭୂମିଠାରୁ ବିଦ୍ୟୁତ ତାରର ଦୂରତା କମିଯାଇଥିଲା। ଯେଉଁଥିପାଇଁ ବସ୍‌ ବିଦ୍ୟୁତ ସଂଯୋଗରେ ଆସି ଏତେ ବଡ଼ ଅଘଟଣ ହେଲା ବୋଲି ରିପୋର୍ଟରେ ଦର୍ଶାଯାଇଛି।

ଗ୍ରିଡ୍‌କୋ ମୁଖ୍ୟ ପରିଚାଳନା ନିର୍ଦେଶକ ସୌରଭ ଗର୍ଗ କହିଛନ୍ତି ଯେ ବିଭାଗର ୩୦ ଜଣ ପଦସ୍ଥ ଅଧିକାରୀ ୩୦ଟି ଜିଲ୍ଲା ଗସ୍ତ କରିବେ। ସେଠାରେ ଅସୁରକ୍ଷିତ ଥିବା ୧୧କେଭି ବିଦ୍ୟୁତ ସରବରାହ ସଂପର୍କରେ ଏକ ରିପୋର୍ଟ ପ୍ରଦାନ କରିବେ। ସବୁ ଜିଲ୍ଲାରେ ଅଧୀକ୍ଷଣ ଯନ୍ତ୍ରୀ ବୈଠକ କରି ବିଦ୍ୟୁତଜନିତ ସୁରକ୍ଷା ତର୍ଜମା କରିବେ। ଶକ୍ତି ସଚିବ ବିଷ୍ଣୁ ପ୍ରସାଦ ସେଠୀ ବିଦ୍ୟୁତ ସୁରକ୍ଷା ସଂକ୍ରାନ୍ତ ଏକ ପତ୍ରିକା ପ୍ରକାଶନ ଓ ପ୍ରଶିକ୍ଷଣ ପାଇଁ ପ୍ରସ୍ତାବ ଦେଇଥିଲେ। ସମସ୍ତ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ବିଦ୍ୟୁତ ସୁରକ୍ଷା ଜନିତ ସଚେତନତା କାନ୍ଥ ପ୍ରସ୍ତୁତ ଲାଗି ସରକାର ଆଜି ନିର୍ଦେଶ ଦେଇଥିଲେ। ସେହିପରି ସମସ୍ତ ଲାଇନ୍ ମ୍ୟାନ୍‌ଙ୍କୁ ବିଦ୍ୟୁତ ସୁରକ୍ଷା ସକାଶେ ପ୍ରଶିକ୍ଷଣ ଦେବା ଲାଗି ନୀତିଗତ ନିଷ୍ପତ୍ତି ହୋଇଛି ଓ ମାଷ୍ଟର ଟ୍ରେନରଙ୍କ ଦ୍ବାରା ପ୍ରଶିକ୍ଷଣ ଦେବାକୁ ସ୍ଥିର କରାଯାଇଛି। ଏହି ବୈଠକରେ ପରିବହନ ବିଭାଗର କମିସନର ସଂଜୀବ ପଣ୍ଡା, ଏସ୍ କେ ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର