ଗଞ୍ଜାମରେ ସ୍ଥିତି ସାଙ୍ଘାତିକ, ରାଜ୍ୟ ସରକାର ପଠାଇଲେ ୧୩୦ ଡାକ୍ତର, ୫ ଓଏଏସ ଅଧିକାରୀ

ଭୁବନେଶ୍ୱର : ଓଡ଼ିଶାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢିଚାଲିଥିବାବେଳେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ଗଞ୍ଜାମ ଜିଲ୍ଲା । ଜିଲ୍ଲାରେ ସ୍ଥିତି ଦିନକୁ ଦିନ ଅଧିକ ସଂଗୀନ ହେଉଛି । ଜିଲ୍ଲାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪୩୩୫ରେ ପହଞ୍ଚିଛି । ଏହା ମଧ୍ୟରୁ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧୫୮୮ ଥିବାବେଳେ ମୃତ୍ୟୁସଂଖ୍ୟା ୪୪ରେ ପହଞ୍ଚିଛି ।

ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଗଞ୍ଜାମ ଜିଲ୍ଲା ଉପରେ ସତର୍କ ଦୃଷ୍ଟି ରଖିଛନ୍ତି । ଜିଲ୍ଲାରେ ସ୍ଥିତିର ମୁକାବିଲା ଲାଗି ଆଜି ସରକାର କେତେକ ସ୍ୱତନ୍ତ୍ର ପଦକ୍ଷେପ ନେଇଛନ୍ତି ।

୧୩୦ ଜଣ ଡାକ୍ତରଙ୍କୁ ନିୟୋଜିତ କରିଛନ୍ତି । ସେମାନଙ୍କ ମଧ୍ୟରୁ ୧୦୦ ଜଣ ଆୟୁଷ ଡାକ୍ତର ଅଛନ୍ତି । ଅବଶିଷ୍ଟ ୩୦ ଜଣ ହେଉଛନ୍ତି ଏମବିବିଏସ ଡାକ୍ତର । ଏହାଛଡ଼ା ଜିଲ୍ଲାକୁ ୩୩ ଜଣ ଲାବରେଟୋରୀ ଟେକନିସିଆନଙ୍କୁ ପଠାଯାଇଛି । ଜିଲ୍ଲାକୁ ଅତିରିକ୍ତ ଆମ୍ବୁଲାନ୍ସ ମଧ୍ୟ ପଠାଯାଇଛି ।

ଅନ୍ୟପକ୍ଷରେ ଜିଲ୍ଲାରେ ସ୍ଥିତିର ପରିଚାଳନା ପାଇଁ ରାଜ୍ୟ ସରକାର ୫ ଜଣ ଓଏଏସ ଅଧିକାରୀ ଓ ୩୨ ଜଣ ଓଆରଏସ (ଗ୍ରୁପ-ବି) କର୍ମଚାରୀଙ୍କୁ ଗଞ୍ଜାମ ଜିଲ୍ଲାକୁ ପଠାଇଛନ୍ତି । ସେମାନେ ଜିଲ୍ଲା ପ୍ରଶାସନ ଅଧିନରେ କାର୍ଯ୍ୟକରିବେ । ସେମାନଙ୍କୁ ଆସନ୍ତା ୧୭ ତାରିଖ ସୁଦ୍ଧା ଗଞ୍ଜାମରେ ପହଞ୍ଚିବାକୁ କୁହାଯାଇଛି ।

ଏହି ୫ ଜଣ ଓଏଏସ ଅଧିକାରୀ ହେଲେ ବଲାଙ୍ଗୀର ଜିଲ୍ଲାରେ ଅବସ୍ଥାପିତ ଡେପୁଟୀ କଲେକ୍ଟର ସରୋଜ କୁମାର ରାଉତ, ବୌଦ୍ଧ ଜିଲ୍ଲାରେ ଅବସ୍ଥାପିତ ଡେପୁଟୀ କଲେକ୍ଟର ଅବନୀକାନ୍ତ ସାହୁ, ଝାରସୁଗୁଡ଼ା ଜିଲ୍ଲାରେ ଅବସ୍ଥାପିତ ଡେପୁଟୀ କଲେକ୍ଟର ଯୋଗେନ୍ଦ୍ର ମାଝୀ,  କନ୍ଧମାଳ ଜିଲ୍ଲାରେ ଅବସ୍ଥାପିତ ଡେପୁଟୀ କଲେକ୍ଟର ଜଗଦୀଶ ଷଡ଼ଙ୍ଗୀ ଓ ଲହୁଣୀପଡ଼ା ତହସିଲଦାର ଆଲୋକ କୁମାର ଦେହୁରୀ ।

ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆଜି ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଏକ ଉଚ୍ଚସ୍ତରୀୟ  ବୈଠକ କରି ୫ଟି ସର୍ବାଧିକ ପ୍ରଭାବିତ ଜିଲ୍ଲାରେ କରୋନା ସଂକ୍ରମଣ ସ୍ଥିତିର ସମୀକ୍ଷା କରିଥିଲେ ।  ଏହି ୫ଟି ଜିଲ୍ଲା – ଗଞ୍ଜାମ, କଟକ, ଯାଜପୁର, ସୁନ୍ଦରଗଡ଼ ଓ ଖୋର୍ଦ୍ଧାକୁ ଅଧିକ ପ୍ରବାସୀଙ୍କ ଯାତାୟତ ହୋଇଥିବାରୁ ସେସବୁ ଜିଲ୍ଲାରେ ପରିସ୍ଥିତି ସାଂଘାତିକ ରହିଛି। ତେଣୁ ଏସବୁ ଜିଲ୍ଲା ଉପରେ ଅଧିକ ଫୋକସ କରାଯାଇ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ।

ସମ୍ବନ୍ଧିତ ଖବର