ଗୁଜୁରାଟ ଓ ଆନ୍ଧ୍ରପ୍ରଦେଶରେ ଓଡ଼ିଆ ଚେୟାର

ଭୁବନେଶ୍ବର : ଓଡ଼ିଆ ଭାଷା ଓ ସାହିତ୍ୟର ପ୍ରଚାର ପ୍ରସାର ପାଇଁ ଗୁଜୁରାଟ ଓ ଆନ୍ଧ୍ରପ୍ରଦେଶର ଗୋଟିଏ ଲେଖାଏ ବିଶ୍ବବିଦ୍ୟାଳୟରେ ଓଡ଼ିଆ ଭାଷା ଚେୟାର ପ୍ରତିଷ୍ଠା ହେବ। ଏନେଇ ଓଡ଼ିଶା ସରକାରଙ୍କ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି। ଗୁଜୁରାଟର ଗାନ୍ଧୀନଗର ଓ ଆନ୍ଧ୍ରପ୍ରଦେଶର ହାଇଦ୍ରାବାଦସ୍ଥିତ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟରେ ଯଥାକ୍ରମ‌େ କୁନ୍ତଳାକୁମାରୀ ସାବତ ଓ ଭକ୍ତକବି ମଧୁସୂଦନ ରାଓଙ୍କ ନାମରେ ଭାଷା ଚେୟାର ପ୍ରତିଷ୍ଠା ପାଇଁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିଲା। ତାହା ଏପର୍ଯ୍ୟନ୍ତ ବିଚାରାଧୀନ ରହିଛି ବୋଲି ବିଧାୟକ ଦିଲ୍ଲୀପ ରାୟଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ବିଧାନସଭାରେ ଏହା କହିଛନ୍ତି।

ଏହାପୂର୍ବରୁ ଦିଲ୍ଲୀର ଜବା‌ହରଲାଲ ନେହରୁ ବିଶ୍ବବିଦ୍ୟାଳୟରେ ଆଦିକବି ସାରଳା ଦାସଙ୍କ ନାମରେ ଓଡ଼ିଆ ଭାଷା ଚେୟାର ପ୍ରତିଷ୍ଠା ହୋଇଥିବା ବେଳେ ବନାରସ ହିନ୍ଦୁ ବିଶ୍ବବିଦ୍ୟାଳୟରେ କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ନାମରେ ଅନ୍ୟ ଏକ ଭାଷା ଚେୟାର ପ୍ରତିଷ୍ଠା‌ ଲାଗି ଟଙ୍କା ଦିଆସରିଛି। ୨୦୧୭ରେ ଜେଏନ୍‌ୟୁରେ ଓଡ଼ିଆ ଭାଷା ସାହିତ୍ୟ ଚେୟାର ପ୍ରତିଷ୍ଠା ହୋଇଛି। ଏଥିପାଇଁ ୫ କୋଟି ଟଙ୍କା ଦିଆଯାଇଛି। ଏଠାରେ ଏବେ ଜଣେ ପ୍ରଫେସର ଓ ଜଣେ ସହକାରୀ ପ୍ରଫେସର ନିଯୁକ୍ତି ପାଇଛନ୍ତି। ଦିଲ୍ଲୀରେ ସେମାନଙ୍କ ବେତନ ଓ ଅନ୍ୟାନ୍ୟ ଖର୍ଚ୍ଚ ପାଇଁ ୧୫ ଲକ୍ଷ ଟଙ୍କା ବ୍ୟୟ ହୋଇଛି। ବନାରସ ହିନ୍ଦୁ ବିଶ୍ବବିଦ୍ୟାଳୟରେ ଓଡ଼ିଆ ଭାଷା ସାହିତ୍ୟ ଚେୟାର ପ୍ରତିଷ୍ଠା ପାଇଁ ଗତବର୍ଷ ରାଜ୍ୟ ସରକାର ୩ କୋଟି ୭୦ ଲକ୍ଷ ଟଙ୍କା ଦେଇଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ ତାହା କାର୍ଯ୍ୟକ୍ଷମ ହୋଇନି।

ସମ୍ବନ୍ଧିତ ଖବର