ଭୁବନେଶ୍ବର: କୋରାପୁଟ ଜିଲ୍ଲା ସିସିଆଗୁଡ଼ାରେ ଭୂମିଆଁ, ଡୁମୁରିଝୋଲି, କାଲିଆଝୋଲି, ଚିଙ୍ଗିରିଗୁଡ଼ାରେ କଥିତ ଭାଷା କୁଇ। ସେହି ଅଞ୍ଚଳରେ ଥିବା ପ୍ରାଥମିକ ବିଦ୍ୟାଳୟରେ ନିଯୁକ୍ତ କଟକ, ଖୋର୍ଦ୍ଧା, ପୁରୀ କିମ୍ବା ରାଜ୍ୟର ଅନ୍ୟ ଅଞ୍ଚଳର ଅଧିକାଂଶ ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ଭାଷାର ଶିକ୍ଷାଦାନକୁ ବୁଝିପାରନ୍ତି ନାହିଁ ସ୍ଥାନୀୟ ବିଦ୍ୟାର୍ଥୀ। ତେଣୁ ଅନେକ ପିଲାଙ୍କ ପଢ଼ିବାରେ ଆଗ୍ରହ ରହେନାହିଁ, ସେମାନେ ଅଧାରୁ ପାଠ ଛାଡ଼ିଦିଅନ୍ତି କିମ୍ବା ସ୍କୁଲ ଯାଆନ୍ତି ନାହିଁ। ଏକଥା କହନ୍ତି, କୋରାପୁଟ ଜିଲ୍ଲା ସିସିଆଗୁଡ଼ାର ଜନଜାତି ପିଲାଙ୍କୁ ତାଙ୍କ ଭାଷାରେ ବୁଝାଇ ସ୍କୁଲ ପର୍ଯ୍ୟନ୍ତ ନେବାର କାର୍ଯ୍ୟ କରୁଥିବା ଜେମି ଖୋସଲା(୧୯)।
ଜେମି ନିଜେ ଅର୍ଥାଭାବ ଯୋଗୁଁ ଯୁକ୍ତ ଦୁଇ ପାଠ ସରିବା ପରେ ସ୍ନାତକ ପାଇଁ ନାମଲେଖାଇ ପାରି ନାହାନ୍ତି। କିନ୍ତୁ ତାଙ୍କ ସମେତ ନିକଟସ୍ଥ ପଞ୍ଚାୟତ ପିଲାଙ୍କୁ ସ୍କୁଲକୁ ନେବାର କାର୍ଯ୍ୟରେ ଲାଗିଥିବା କହନ୍ତି। ଏପରିକି ସେ ୨୦ ଜଣ ସ୍ଥାନୀୟ ପିଲାଙ୍କୁ ମାଗଣାରେ ଟ୍ୟୁସନ୍ କରୁଥିବା କହନ୍ତି। ସିୱାଇଏସ୍ଡିର ପ୍ରତିଷ୍ଠା ଦିବସ ଅବସରରେ ଆୟୋଜିତ ସ୍ବେଚ୍ଛାସେବୀ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଜେମିଙ୍କ ଭଳି ଗୋଷ୍ଠୀ ସ୍ତରରେ କାର୍ଯ୍ୟ କରୁଥିବା ସାମାଜିକ କର୍ମକର୍ତ୍ତା ସାମିଲ ହୋଇଥିଲେ। ଜେମିଙ୍କ ଅନୁସାରେ, କୋରାପୁଟ ଭଳି ଆଦିବାସୀ ଅଞ୍ଚଳରେ ଶିକ୍ଷା ସୁବିଧା ସ୍ଥିତି ଅତି ନିରାଶାଜନକ। ଜନଜାତି ଭାଷା କହୁଥିବା ସ୍ଥାନୀୟ ଯୁବ ଗୋଷ୍ଠୀଙ୍କୁ ଶିକ୍ଷକ ଭାବରେ ନିଯୁକ୍ତି ବଦଳରେ ପ୍ରାଥମିକ ସ୍କୁଲରେ ବାହାରୁ ଶିକ୍ଷକ ଆସୁଥିବା ଭାଷାଗତ ସମସ୍ୟା ଲାଗିରହୁଛି। ଏଥିପ୍ରତି ସରକାର ଗୁରୁତ୍ବ ନ ଦେଲେ ଆଗାମୀ ଦିନରେ ଅବସ୍ଥା ଆହୁରି ଗୁରୁତର ହେବ। ଆଜିବି ଡୁମୁରିଝୋଲି, କାଲିଆଝୋଲି, ଚିଙ୍ଗିରିଗୁଡ଼ା ଭଳି ଅଞ୍ଚଳର ପିଲାଙ୍କୁ ହାଇସ୍କୁଲରେ ପାଠ ପଢିବା ପାଇଁ ୧୦ କିଲୋମିଟର ଦୂରତା ଅତିକ୍ରାନ୍ତ କରିବାକୁ ପଡ଼ୁଛି।
ସେହି ଅଞ୍ଚଳର ରାସ୍ତାର ସ୍ଥିତି ଏହିଭଳି ଯେ ବର୍ଷା ଦିନରେ ଯାତାୟାତ ଠପ୍ ହୋଇଯାଏ। ପିଲା ସ୍କୁଲ ବନ୍ଦ ପାଇଁ ବାଧ୍ୟ ହୁଅନ୍ତି। କିଛି ବର୍ଷ ହେଲା ଝିଅମାନଙ୍କୁ ସାଇକେଲ ଦିଆଯାଉଛି। ଯାହା ସେମାନଙ୍କୁ ସ୍କୁଲ ପର୍ଯ୍ୟନ୍ତ ପହଞ୍ଚାଇବାରେ ସହାୟକ ହେଉଛି। କେନ୍ଦୁଝର ଜିଲ୍ଲା ସାହାରପଡ଼ାର ଗୋକୁଳ ସାହୁ କହନ୍ତି, ତାଙ୍କ ଅଞ୍ଚଳରେ ଅନେକ ବ୍ୟକ୍ତି ବାର୍ଧକ୍ୟ ଭତ୍ତା, ବିଧବା ଭତ୍ତା, ଅବିବାହିତ ଭତ୍ତା, ଭିନ୍ନକ୍ଷମ ଭତ୍ତା ପାଇଁ ଯୋଗ୍ୟ। ବର୍ଷାଧିକ ସମୟ ଧରି କାର୍ଯ୍ୟାଳୟରେ ଆବେଦନ କରି କୌଣସି ଫଳ ନ ହେବା ଅନ୍ଲାଇନ ବ୍ୟବସ୍ଥା ସମ୍ପର୍କରେ ଅବଗତ ନ ଥିବାରୁ ସେମାନେ ନିଜ ହକରୁ ବଞ୍ଚିତ ହେଉଥିଲେ। କିନ୍ତୁ ସେ ନିଜେ ଅନ୍ଲାଇନ ଆବେଦନ ସମ୍ପର୍କରେ ବିସ୍ତୃତ ତଥ୍ୟ ସଂଗ୍ରହ କରି ଏହାର ସହାୟତାରେ ଗୋଟିଏ ଦିନରେ ଏକାସହିତ ୮୦ ଜଣଙ୍କ ଭତ୍ତା ମଞ୍ଜୁର କରାଇପାରିଥିବାରୁ ଖୁସି ଅନୁଭବ କରନ୍ତି। କେନ୍ଦୁଝର ଜିଲ୍ଲାର ମାଳତୀ ସେଠି ମଧ୍ୟ ରାସନ କାର୍ଡ, ବିଧବା ଭତ୍ତା, ନରେଗା ପ୍ରାପ୍ୟ ନେଇ ସ୍ଥାନୀୟ ଲୋକ ସମ୍ମୁଖୀନ ସମସ୍ୟାର ମୁକାବିଲା ପାଇଁ କାର୍ଯ୍ୟ କରି ସଫଳତା ପାଇଥିବା ଜଣାଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/12/teacher.jpg)