ସରକାରଙ୍କୁ ମନ୍ଦିର ଚିନ୍ତା: ରାଜ୍ୟର ଚାରି ପ୍ରମୁଖ ମନ୍ଦିରର ବିକାଶ ନେଇ ଆଇନ ମନ୍ତ୍ରୀଙ୍କ ସମୀକ୍ଷା

ଭୁବନେଶ୍ବର: ପୁରୀ ଶ୍ରୀମନ୍ଦିରର ବିକାଶ ଏବେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଥିଲା ବେଳେ ରାଜ୍ୟର ପ୍ରମୁଖ ମନ୍ଦିରର ବିକାଶ ପାଇଁ ସରକାର ଅଣ୍ଟା ଭିଡ଼ିଛନ୍ତି। ମନ୍ଦିର ସବୁ କିପରି ବ୍ୟବସ୍ଥିତ ଢଙ୍ଗରେ ଚାଲିବ, ସେହି ଚିନ୍ତା ଏବେ ସରକାରଙ୍କୁ ଘାରିଛି। ଆଜି ଲୋକସେବା ଭବନରେ ଆଇନ ମନ୍ତ୍ରୀ ପ୍ରତାପ ଜେନା ପୃଥକ ପୃଥକ ବୈଠକରେ ରାଜ୍ୟର ଚାରି ପ୍ରମୁଖ ମନ୍ଦିରର ପରିଚାଳନା ନେଇ ସମୀକ୍ଷା କରିଥିଲେ। ଏହି ମନ୍ଦିର ହେଲା ଭୁବନେଶ୍ବରର ଶ୍ରୀଲିଙ୍ଗରାଜ ମନ୍ଦିର, ବାରିପଦାର ଜଗନ୍ନାଥ ମନ୍ଦିର, ଘଟଗାଁ ତାରିଣୀ ମନ୍ଦିର ଓ ରେମୁଣା କ୍ଷୀରଚୋରା ଗୋପୀନାଥ ମନ୍ଦିର। ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଆଇନ ଢାଞ୍ଚାରେ ହେବ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମନ୍ଦିର ପରିଚାଳନା ପାଇଁ ହେବ ସ୍ବତନ୍ତ୍ର ଆଇନ। ଖୁବ୍ ଶୀଘ୍ର ଏହି ଆଇନ ପ୍ରଣୟନ ହେବ ବୋଲି ଆଇନ ମନ୍ତ୍ରୀ ସୂଚନା ଦେଇଛନ୍ତି। ଶ୍ରୀ ଲିଙ୍ଗରାଜଙ୍କ ମନ୍ଦିର ପୁରୀ ଶ୍ରୀମନ୍ଦିରର ସମସାମୟିକ ହୋଇଥିବାରୁ ଏପରି ଆଇନ ପ୍ରଣୟନର ଆବଶ୍ୟକତା ରହିଛି ବୋଲି ଏକାମ୍ର ଭୁବନେଶ୍ବର ବିଧାୟକ ତଥା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅ‌େଶାକ ପଣ୍ଡା ବୈଠକରେ ଯୁକ୍ତି ଉପସ୍ଥାପନ କରିଥିଲେ। ଏଥି ସହ ଟ୍ରଷ୍ଟ ବୋର୍ଡର ପୁନର୍ଗଠନ, ଆଇନ ପ୍ରସ୍ତୁତି ପାଇଁ ଟ୍ରଷ୍ଟ ବୋର୍ଡ ଆଇନ ବିଭାଗକୁ ଦେବୋତ୍ତର କମିସନଙ୍କ ମାଧ୍ୟମରେ ପ୍ରସ୍ତାବ ଦେବେ। ମନ୍ଦିର ଆଇନ ସମ୍ବନ୍ଧରେ ଯଥେଷ୍ଟ ଅଭିଜ୍ଞତା ରହିଥିବା ଆଇନଜ୍ଞମାନଙ୍କୁ ସଂପୃକ୍ତ କରି ଏକ କମିଟି ଗଠନ କରିବା ଉପରେ ଶ୍ରୀ ପଣ୍ଡା ପରାମର୍ଶ ଦେଇଥିଲେ। ବୈଠକରେ ମନ୍ଦିର ଚତୁଃପାର୍ଶ୍ବରୁ ଜବରଦଖଲ ଉଚ୍ଛେଦ, ପ୍ରତ୍ନତତ୍ତ୍ବ ବିଭାଗ ଦ୍ବାରା ରକ୍ଷଣାବେକ୍ଷଣ, ମାର୍କେଟ୍‌ କମ୍ପ୍ଲେକ୍ସ ସମ୍ବନ୍ଧିତ ସମସ୍ୟାର ସମାଧାନ, ବ୍ୟାଖ୍ୟାନ କେନ୍ଦ୍ର ସମ୍ମୁଖରୁ ବିକାଶ ଓ ଦେବୀ ପାଦହରା ପୁଷ୍କରିଣୀର ଉନ୍ନୟନ ପାଇଁ ପ୍ରକଳ୍ପ ବିବରଣୀ ପ୍ରସ୍ତୁତ ହୋଇସାରିଥିବା ସମ୍ପର୍କରେ ଆଲୋଚନା ହୋଇଥିଲା।

ବାରିପଦା ଜଗନ୍ନାଥ ମନ୍ଦିର ରକ୍ଷଣାବେକ୍ଷଣ ପ୍ରତ୍ନତତ୍ତ୍ବ ବିଭାଗ କରିବ
ତାରିଣୀ ମନ୍ଦିର ଓ କ୍ଷୀରଚୋରା ଗୋପୀନାଥ ମନ୍ଦିର ଟ୍ରଷ୍ଟ ବୋର୍ଡର ହେବ ପୁନର୍ଗଠନ

ସେହିପରି ଷୋଡ଼ଶ ଶତାବ୍ଦୀରେ ନିର୍ମିତ ବାରିପଦା ଜଗନ୍ନାଥ ମନ୍ଦିରର କାର୍ଯ୍ୟକାରିତା ନେଇ ମଧ୍ୟ ଆଇନ ମନ୍ତ୍ରୀ ସମୀକ୍ଷା କରିଥିଲେ। ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି ଏଥିରେ ଉପସ୍ଥିତ ଥି‌େଲ। ଏହି ମନ୍ଦିର ଅତି ପୁରାତନ ହୋଇଥିବାରୁ ଏହାର ରକ୍ଷଣାବେକ୍ଷଣ ଦାୟିତ୍ବ ପ୍ରତ୍ନତତ୍ତ୍ବ ବିଭାଗ କରିବା ପାଇଁ ଉପସ୍ଥିତ ଅଧିକାରୀମାନଙ୍କୁ ମନ୍ତ୍ରୀ ଶ୍ରୀ ଜେନା ପରାମର୍ଶ ଦେଇଥିଲେ। ବାରିପଦା ଉପଜିଲ୍ଲାପାଳ ଏ ଦିଗରେ ପ୍ରତ୍ନତତ୍ତ୍ବ ବିଭାଗ ସହ ସମନ୍ବୟ ରଖି କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ବର୍ତ୍ତମାନ ଦେବୋତ୍ତର ଜମିରେ ବାରିପଦା ପୌରପାଳିକା ପକ୍ଷରୁ ଅର୍ଥ ଆଦାୟ କରାଯାଉଛି ଓ ତାହାର ଅଂଶ ମନ୍ଦିରକୁ ଦେବା ପାଇଁ ବୈଠକରେ ଆଲୋଚନା ‌କରାଯାଇଥିଲା। ଏହା ବାଦ୍ ଦେବୋତ୍ତର ଜମି ଯେଉଁମାନଙ୍କ ଅଧୀନରେ ଅଛି, ସେମାନଙ୍କୁ ୧୯ ଧାରାରେ ନିୟମିତ କରିବା ଉପରେ ମନ୍ତ୍ରୀ ଗୁରୁତ୍ବାରୋପ କରିଥିଲେ। ଏହି କାର୍ଯ୍ୟ କରିବା ପାଇଁ ପ୍ରଥମେ ୨୫ ଧାରାରେ ସେମାନଙ୍କୁ ନୋଟିସ୍ ପଠାଇବାକୁ ବୈଠକରେ ସ୍ଥିର ହୋଇଥିଲା। ଆଗାମୀ ଏକ ମାସ ମଧ୍ୟରେ ମନ୍ଦିର ୱେବ୍‌ସାଇଟ୍‌ ଓ ସେବାୟତମାନଙ୍କ ସ୍ବାସ୍ଥ୍ୟବୀମା କାର୍ଯ୍ୟ ଶେଷ ହେବ ବୋଲି ଉପଜିଲ୍ଲାପାଳ ସୂଚନା ଦେଇଥିଲେ। ସେବାୟତମାନଙ୍କ ଯାହା କିଛି ସମସ୍ୟ‌ା ରହିଛି, ସେ ସମ୍ପର୍କରେ ଖୁବ୍ ଶୀଘ୍ର ନିଷ୍ପତ୍ତି ନିଆଯିବ ବୋଲି ମନ୍ତ୍ରୀ ପ୍ରକାଶ କରିଥିଲେ। ଘଟଗାଁ ତାରିଣୀ ମନ୍ଦିର କମିଟି ଓ ରେମୁଣା କ୍ଷୀ‌ରଚୋରା ଗୋପୀନାଥ ମନ୍ଦିରର ଟ୍ରଷ୍ଟ ବୋର୍ଡର ସମ୍ପୂର୍ଣ୍ଣ ପୁନର୍ଗଠନ ଓ ବିଭିନ୍ନ ସମସ୍ୟା ସମ୍ପର୍କରେ ଦେବୋତ୍ତର ବିଭାଗ ଦ୍ବାରା ତଦନ୍ତ କରିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଥିଲା। ବୈଠକରେ ଘଷିପୁରା ବିଧାୟକ ବଦ୍ରି ନାରାୟଣ ପାତ୍ର, ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା, ଆଇନ୍ ବିଭାଗର ପ୍ରମୁଖ ଶାସନ ସଚିବ ଶଶିକାନ୍ତ ମିଶ୍ର, ପୌର ପ୍ରଶାସନ ନିର୍ଦ୍ଦେଶକ ସଂଗ୍ରାମଜିତ ନାୟକ, ଦେବୋତ୍ତର କମିସନର ଚିତ୍ତରଞ୍ଜନ ମହାପାତ୍ର, ଭୁବନେଶ୍ବର ଅତିିରିକ୍ତ ଜିଲ୍ଲାପାଳ ଅରୁଣ କୁମାର ବେହେରା, ବାରିପଦା ଉପଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଓ ଲିଙ୍ଗରାଜ ମନ୍ଦିର ନିର୍ବାହୀ ଅଧିକାରୀ ପ୍ରଦୀପ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥି‌େଲ।

ସମ୍ବନ୍ଧିତ ଖବର